ଭୁବନେଶ୍ୱରରେ ଟମାଟୋ କିଲୋ ୧୨୦
ଭୁବନେଶ୍ବର : ଓଡ଼ିଶାରେ ନାହିଁ ଦେଶୀ ଟମାଟୋ। ବାତ୍ୟା ଆସାନି ଭୟରେ ତିନି ଦିନ ହେଲା ଭୁବନେଶ୍ବରରେ ଟମାଟୋ ଯୋଗାଣ ବନ୍ଦ ହୋଇଥିବାରୁ ଦର ଏବେ ଆକାଶ ଛୁଆଁ ହୋଇଛି। ରାଜଧାନୀର କଞ୍ଚା ପରିବା ସଂଘ ଅନୁସାରେ, ରାଜଧାନୀକୁ ଦୈନିକ ୧ ହଜାର କ୍ବିଣ୍ଟାଲ ଟମାଟୋ ଆସିଥାଏ। ସେଥିରୁ ସ୍ଥାନୀୟ ଚାହିଦା ୨୦୦ ଟନ୍। ବାକି ଟମାଟୋ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ାକୁ ଯାଇଥାଏ। ନାସିକ୍ ଓ ରାୟପୁରରୁ ଟମାଟୋ ଯୋଗାଣ ବନ୍ଦ ହେବା ଯୋଗୁଁ ଦର ୧୨୦ ଟଙ୍କାରେ ପହଞ୍ଚିଛି। ଏଥିଯୋଗୁଁ ଗ୍ରାହକ ଦୁର୍ଦ୍ଦଶା ମଧ୍ୟ ବଢ଼ିଛି। ହୋଲ୍ସେଲ୍ରେ ଦର ଆଜି ବି ୬୦ ଟଙ୍କା ରହିଥିବା ବେଳେ ବିଭିନ୍ନ ସ୍ଥାନରେ ବ୍ୟବସାୟୀ ଜାଣିଶୁଣି ଦର ୧୦୦ରୁ ୧୨୦ ଟଙ୍କାକୁ ବଢାଇ ଦେଇଥିବା ଜଣାପଡ଼ିଛି। ଟମାଟୋ ଅତ୍ୟାବଶକୀୟ ସାମଗ୍ରୀରେ ଆସୁନଥିବାରୁ ଯୋଗାଣ ବିଭାଗ ମଧ୍ୟ ଏହାକୁ ନିୟନ୍ତ୍ରିତ କରିପାରୁ ନାହିଁ।ଏଥିଯୋଗୁଁ ସାଧାରଣ ଦିନଠାରୁ ଦର ବଢିଛି ଅର୍ଥାତ ୬୦ରୁ ୮୦ ଟଙ୍କା ମଧ୍ୟରେ ରହିଥିଲା। ବାତ୍ୟା ଏବଂ ବନ୍ୟା ଭୟ ଯୋଗୁଁ ଟମାଟୋ ଯୋଗାଣ ବନ୍ଦ ଥିଲା। ଏହାର ଫାଇଦା ଉଠାଇ ବିଭିନ୍ନ ସ୍ଥାନରେ ବ୍ୟବସାୟୀମାନେ ଏହାର ଦର ବଢାଇ ଦେଇଛନ୍ତି। ଆଉ କିଛି ବ୍ୟକ୍ତି କୃତ୍ରିମ ହୋର୍ଡିଂ ମଧ୍ୟ କରିଛନ୍ତି। ଆସନ୍ତାକାଲି ଠାରୁ ପୁଣି ଟମାଟୋ ମଗାଯିବ।ରାଜଧାନୀର କଞ୍ଚା ପରିବା ସଂଘ ଅନୁସାରେ, ନାସିକ, ରାୟପୁର, ବେଙ୍ଗାଲୁରୁ, ଚିନ୍ତାମଣି, କୋଲାରରୁ ଆସୁଥିବା ଟମାଟୋ ମୁଖ୍ୟତଃ ଓଡ଼ିଶା ଚାହିଦା ପୂରଣ କରେ। ବର୍ତ୍ତମାନ କେବଳ ନାସିକ ଏବଂ ରାୟପୁର ଟମାଟୋ ହିଁ ଓଡ଼ିଶାକୁ ଆସିପାରୁଛି। ଆଜି ଟମାଟୋ ରାୟପୁରରୁ ବାହାରି ସାରିଛି, ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ପହଞ୍ଚିଯିବା ନେଇ ଆଶା କରାଯାଉଛି। ଏହାଛଡ଼ା ୨୦ ତାରିଖ ସୁଦ୍ଧା ବେଙ୍ଗାଲୁରୁ ଏବଂ କୋଲାରରୁ ଟମାଟୋ ଆସିଲେ ଦର ନିୟନ୍ତ୍ରିତ ହୋଇଯିବ ବୋଲି ବ୍ୟବସାୟୀ ସଂଘ ଆଶା କରିଛି।