ତାମିଲନାଡ଼ୁ: ଚିନ୍ତାରେ ଓଡ଼ିଆ ଶ୍ରମିକ

ସମ୍ବଲପୁର : ତାମିଲନାଡ଼ୁରେ ବର୍ତ୍ତମାନ ହିନ୍ଦୀ ଭାଷାଭାଷୀ ପ୍ରବାସୀ ଶ୍ରମିକମାନଙ୍କୁ ସ୍ଥାନୀୟ ଲୋକ ଘୋର ବିରୋଧ କରୁଛନ୍ତି। ବିଶେଷ କରି ବିହାର ଓ ଝାଡ଼ଖଣ୍ଡ ଶ୍ରମିକଙ୍କୁ ଟାର୍ଗେଟ୍‌ କରାଯାଉଥିବା ବେଳେ ଏହାକୁ ନେଇ ଓଡ଼ିଶା ଶ୍ରମିକମାନଙ୍କ ମଧ୍ୟରେ ଚିନ୍ତାବଢ଼ିଛି। ତାମିଲନାଡୁରେ ହଜାର ହଜାର ଓଡ଼ିଆ ଯୁବତୀ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବେଳେ କାଳେ ସେମାନେ ଭୟରେ ନିଜ ରାଜ୍ୟକୁ ଫେରିଯିବେ, ସେଥି ପାଇଁ ନିଯୁକ୍ତିଦାତା ସଂସ୍ଥା ସେମାନଙ୍କୁ ବିଭିନ୍ନ ହଷ୍ଟେଲ୍‌ ବା କାରଖାନାରେ ରଖି ସୁରକ୍ଷା ମଧ୍ୟରେ ନେବାଆଣିବା କରୁଛନ୍ତି। ସେମାନଙ୍କୁ ବାହାରକୁ ଛଡ଼ାଯାଉନାହିଁ ବୋଲି ତାମିଲନାଡୁରେ ଓଡ଼ିଆ ଶ୍ରମିକଙ୍କ ଅଧିକାର ପାଇଁ କାମ କରୁଥିବା ସ୍ବେଚ୍ଛାସେବୀ ନବୀନ ଅଭିଯୋଗ କରିଛନ୍ତି।

ବିଭିନ୍ନ ସଂଗଠିତ ଓ ଅଣସଂରକ୍ଷିତ କ୍ଷେତ୍ରରେ ଓଡ଼ିଶାରୁ ୩ ଲକ୍ଷରୁ ଅଧିକ ଓଡ଼ିଆ ଯୁବକଯୁବତୀ କାମ କରୁଛନ୍ତି। ଏମାନଙ୍କ ମଧ୍ୟରେ ଅଧିକାଂଶ ପଶ୍ଚିମ ଓଡ଼ିଶାର ବୋଲି ଜଣାପଡ଼ିଛି। ତାମିଲନାଡ଼ୁରେ ଉପୁଜିଥିବା ସ୍ଥିତିକୁ ନେଇ ସେମାନଙ୍କ ମଧ୍ୟରୁ ଅନେକ ଓଡ଼ିଶା ଫେରି ଆସିଥିବାବେଳେ ଆହୁରି ଅନେକ ନିଜ ଘରକୁ ଫେରିବାକୁ ବିଭିନ୍ନ ରେଳ ଷ୍ଟେସନ୍‌ରେ ଭିଡ଼ ଲଗାଇଛନ୍ତି। ଚେନ୍ନାଇ ସେଣ୍ଟ୍ରାଲ୍‌ ଷ୍ଟେସନ୍ ଏବେ ଲୋକାରଣ୍ୟ ହୋଇ ପଡ଼ିଥିବାବେଳେ ସେଠାରେ ଅପେକ୍ଷାରତ ଓଡ଼ିଆ ଦାଦନଙ୍କ ସଂଖ୍ୟା ବି କିଛି କମ୍ ନୁହେଁ। ଷ୍ଟେସନ୍‌ର ଅବସ୍ଥା ଏଭଳି ଯେ ସେଠାରେ ଅପେକ୍ଷାରତ ଯାତ୍ରୀଙ୍କୁ ଖାଦ୍ୟ, ପାନୀୟ ବି ମିଳୁ ନାହିଁ। ତାମିଲନାଡୁରେ କାର୍ଯ୍ୟରତ ଓଡ଼ିଆ ଶ୍ରମିକ, ବିଶେଷ କରି ମହିଳା ଓ ଯୁବତୀମାନଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ପଦକ୍ଷେପ ନେବାକୁ ଦାବି ହେଉଛି।

Spread the love