ଶ୍ରୀମନ୍ଦିରରେ ପୁଣି ବିକ୍ରି ହେଲାଣି ଟଙ୍କ ତୋରାଣି: ଦନାରେ ଦେଇ ୨୦ ଟଙ୍କା ଲୁଟୁଛନ୍ତି

ପୁରୀ: ଶ୍ରୀମନ୍ଦିରରେ ୭ ବର୍ଷ ତଳୁ ଟଙ୍କ ତୋରାଣି ବିକ୍ରି ଉପରେ କଟକଣା ଲାଗିଛି। ଶ୍ରୀମନ୍ଦିର ପ୍ରଶାସନ ବି ଏ ଉପରେ ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି କରିଛି। ଯେଉଁମାନେ ବିକ୍ରି କଟକଣାକୁ ଉଲ୍ଲଂଘନ କରିବେ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ତଥାପି ଅମାନିଆ ସେବକ ଓ ଅଣସେବକମାନେ ଏବେ ଶ୍ରୀମନ୍ଦିର ଆନନ୍ଦବଜାରରେ ପୁଣି ଟଙ୍କ ତୋରାଣି ବିକ୍ରି ଆରମ୍ଭ କରି ଦେଇଛନ୍ତି। ଭକ୍ତଙ୍କଠାରୁ ବି ଏ ବାବଦକୁ ଟଙ୍କା ଆଦାୟ ହେଉଛି। ତଥାପି ଏହା ଉପରେ ଶ୍ରୀମନ୍ଦିର ପ୍ରଶାସନର ନଜର ନ ପଡ଼ିବା ଆଶ୍ଚର୍ଯ୍ୟଜନକ ବୋଲି ଭକ୍ତ ଓ ସେବାୟତ ମତ ଦେଇଛନ୍ତି। ଏହା ପଛରେ କିଛି ଅଧିକାରୀଙ୍କ ପ୍ରଛନ୍ନ ହାତ ରହିଥିବାରୁ ଏଭଳି ବେଆଇନ କାର୍ଯ୍ୟକୁ ପ୍ରଶ୍ରୟ ଦିଆଯାଉଛି ବୋଲି ମତ ଦେଇଛନ୍ତି। ସେପଟେ ଶ୍ରୀମନ୍ଦିର ରୋଷଘରେ ପ୍ରସ୍ତୁତ ହେଉଥିବା ଓ ମହାପ୍ରଭୁଙ୍କୁ ଲାଗି ହେଉଥିବା ମହାପ୍ରସାଦ ଓ ଅନ୍ୟାନ୍ୟ ବ୍ୟଞ୍ଜନ ବାଦ୍‌ ଅନ୍ୟ କିଛି ଶ୍ରୀମନ୍ଦିର ଆନନ୍ଦବଜାରରେ ବିକ୍ରି ହୋଇପାରିବନି ବୋଲି ସ୍ପଷ୍ଟ ନିର୍ଦ୍ଦେଶନାମା ରହିଛି। ତଥାପି ରୋଷଘରେ ପ୍ରସ୍ତୁତ ହେଉନଥିବା ରାବିଡ଼ି, ଖିରି ଆଦି ଆନନ୍ଦବଜାରରେ ବିକ୍ର ହେଉଛି। ପରିଚାଳନା କମିଟି ବୈଠକରେ ଘନ ଘନ ଏ ଉପରେ ଆଲୋଚନା ହେଉଥିଲେ ବି ଫଳଶୂନ୍‌ ରହିଛି।

ଟଙ୍କ ତୋରାଣିର ପ୍ରସ୍ତୁତି ପ୍ରଣାଳୀ ଭିନ୍ନ। ପ୍ରସ୍ତୁତି ପ୍ରଣାଳୀ ଅନୁଯାୟୀ, ମହାପ୍ରସାଦ ଅନ୍ନରୁ ପ୍ରଥମେ ତୋରାଣି ପ୍ରସ୍ତୁତ କରାଯାଏ। ସାଧାରଣତଃ ଦୁଇ ଦିନ ତଳର ଅନ୍ନ ଏଥିପାଇଁ ବ୍ୟବହାର କରାଯାଏ। ଏଥିରେ ଲେମ୍ବୁ, କମଳାପତ୍ର, ଜିରା, ଅଦା ପଡ଼ିଥାଏ। ସ୍ୱାଦ ପାଇଁ ଲଙ୍କା ଓ ଲୁଣ ବି ମିଶିଥାଏ। ଏଣୁ ପୂର୍ବରୁ ଆନନ୍ଦବଜାରରେ ବହୁ ମାତ୍ରାରେ ଟଙ୍କ ତୋରାଣି ବିକ୍ରି ହେଉଥିଲା। ଓଳିରେ ଭକ୍ତ ଟଙ୍କ ତୋରାଣି ପିଇ ଫେରୁଥିଲେ। କିନ୍ତୁ ପରିଛନ୍ନତା ଓ ସ୍ବାସ୍ଥ୍ୟକର ଭାବେ ଏହା ପ୍ରସ୍ତୁତ ହେଉନଥିବା ଅଭିଯୋଗ ଉଠାଇ ୨୦୧୭ ମସିହାରେ ଶ୍ରୀମନ୍ଦିର ପ୍ରଶାସନ ଏହାକୁ ବନ୍ଦ କରି ଦେଇଥିଲା। ଏହା ସହ ରାବିଡ଼ି, ଖିରି ଆଦି ବାହାର ଜିନିଷ ବିକ୍ରିରେ କଟକଣା ଲଗାଯାଇଥିଲା। କିଛି ବର୍ଷ ବନ୍ଦ ରହିବା ପରେ ଏବେ ପୁଣିଥରେ ଆନନ୍ଦବଜାରରେ ଟଙ୍କ ତୋରାଣି ବିକ୍ରି ଆରମ୍ଭ ହୋଇଗଲାଣି। ଏସମ୍ପର୍କରେ ସୁଆର ମହାସୁଆର ନିଯୋଗ ସଦସ୍ୟ ନାରାୟଣ ମହାପାତ୍ର କହିଛନ୍ତି, ଶ୍ରୀମନ୍ଦିର ଆନନ୍ଦବଜାରରେ ଏଭଳି ବେଆଇନ୍‌ କାର୍ଯ୍ୟକଳାପ, ବିକ୍ରିବଟାକୁ ରୋକିବା ପାଇଁ କମାଣ୍ଡର, ସୁପରଭାଇଜର ଆଦି ରହିଛନ୍ତି।

ଏମାନେ ନିୟମିତ ଆନନ୍ଦବଜାର ଶୃଙ୍ଖଳା ଅନୁଧ୍ୟାନ କରିବା କଥା। ତଥାପି ଶ୍ରୀମନ୍ଦିର ଭିତରେ ବେଆଇନ୍‌ ଘୋଷିତ ଟଙ୍କ ତୋରାଣି ବିକ୍ରି ହେବା ଓ ଏ ଦିଗରେ କୌଣସି ଅଧିକାରୀ କିଛି ନ କହିବା, ଦୁର୍ଭାଗ୍ୟଜନକ। କିଛି ବ୍ୟକ୍ତି ଏବେ ସ୍ନାନମଣ୍ଡପ ଓ ଏହା ଆଖପାଖରେ ଟଙ୍କ ତୋରାଣି ବିକ୍ରି କରୁଛନ୍ତି। ପୂର୍ବରୁ ଓଳିରେ ଟଙ୍କ ତୋରାଣି ଦିଆଯାଉଥିଲା। ଏବେ ବିକ୍ରି କରୁଥିବା ବ୍ୟକ୍ତିମାନେ କାଗଜ ଦନାରେ ଟଙ୍କ ତୋରାଣି ଦେଇ ଭକ୍ତଙ୍କଠାରୁ ୨୦ ଟଙ୍କା ଲୁଟିଛନ୍ତି। ଏ ବାବଦରେ ଲକ୍ଷାଧିକ ଟଙ୍କା ଟଙ୍କ ତୋରାଣି ବିକ୍ରି କରୁଥିବା ବ୍ୟକ୍ତିମାନେ ରୋଜଗାର କରୁଛନ୍ତି। ତୁରନ୍ତ ଏହି କାର୍ଯ୍ୟ ବନ୍ଦ କରିବାକୁ ଶ୍ରୀ ମହାପାତ୍ର ଦାବି କରିଛନ୍ତି। ସେପଟେ ବହୁ ଅଣସେବକଙ୍କ ଦୌରାତ୍ମ୍ୟ ବି ଆନନ୍ଦବଜାରରେ ବଢ଼ିଗଲାଣି। ଏ ଦିଗରେ ବି ଶ୍ରୀମନ୍ଦିର ପ୍ରଶାସନ ଦୃଷ୍ଟି ଦେବା ସହ ଆନନ୍ଦବଜାର ଶୃଙ୍ଖଳା ବଜାୟ ରଖିବାକୁ ସେ ନିବେଦନ କରିଛନ୍ତି। କେବଳ ଶ୍ରୀମନ୍ଦିର ନୁହେଁ, ଶ୍ରୀମନ୍ଦିର ବାହାରେ ବି ଟଙ୍କ ତୋରାଣି ନାଁରେ ଭକ୍ତଙ୍କୁ ଲୁଟାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି।

Spread the love