ପଞ୍ଚଭୂତରେ ଲୀନ ହେଲେ ତପୁ

ଭୁବନେଶ୍ଵର ୨୦।୦୬:  ପଞ୍ଚଭୂତରେ ଲୀନ ହେଲେ ତପୁ ।  ସତ୍ୟନଗର ଶ୍ମଶାନରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଛି । ପରିବାର, ସଂପର୍କୀୟଙ୍କ, ଏବଂ କିଛି ପ୍ରଶଂସକଙ୍କ ଉପସ୍ଥିତିରେ ତାଙ୍କୁ ଅନ୍ତିମ ବିଦାୟ ଦିଆଯାଇଥିଲ।  ତପୁ ମିଶ୍ରଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରି ଟ୍ବିଟ କରିଛନ୍ତି। 

 “ଏଇ ପୃଥିବୀରୁ ଦୂରେ ବହୁ ଦୂରେ, ଆ ସାଥୀ ଆମେ ଚାଲିଯିବା ଥରେ” । ବହୁ ଦୂରକୁ ଯିବା ପାଇଁ ଯେମିତି ବହୁ ପୂର୍ବରୁ ସେ ମନ କରିନେଇଥିଲେ। …. ଲାଲ ଶାଢ଼ୀ ପିନ୍ଧି ଅଜଣା ରାଇଜକୁ ଚାଲିଯିବା ପାଇଁ ସେ ସ୍ଥିର କରିନେଇଥିଲେ। ଆଜି ଅଗ୍ନିକୁ ସାଥିରଖି ନିଜ ସ୍ବାମୀଙ୍କ ଠାରୁ ନିଆଁ ନେଇ ପଞ୍ଚଭୂତରେ ବିଲୀନ ହୋଇଗଲେ ତପୁ ମିଶ୍ର। ବୟସ ବେଶୀ ହୋଇନଥିଲା । ୩୬ ବର୍ଷ ବୟସରେ ବେଳ ଗଡେଇ ସେ ଆରପାରିକୁ ଚାଲିଗଲେ ।  ନିଜ କଣ୍ଠର ଯାଦୁରେ ଭାବ ଓ ମନର ଅକୁହା ସଂପର୍କ ଯୋଡ଼ି ଦେଇଥିଲେ। ହେଲେ ସବୁ କିଛିକୁ ଛିଡ଼ାଇ ସେ ମେଲାଣି ନେଇଗଲେ।

କୋଭିଡ ନେଗେଟିଭ ଥିବାରୁ ତପୁଙ୍କ ପାର୍ଥିବ ଶରୀରକୁ ହଂସପାଳସ୍ଥିତ ବାସ ଭବନକୁ ନିଆଯାଇଥିଲା । ପରିବାର ଲୋକେ ତାଙ୍କ ଶେଷ ଦର୍ଶନ କରିବା ସହ ନୂଆ ଶାଢ଼ୀ, ଶଂଖା, ସିନ୍ଦୁର, ଅଳତା ସବୁ ଲଗାଇ ଦେଇଥିଲେ ।   ସତ୍ୟନଗର ଶ୍ମଶାନରେ ମଧ୍ୟ ତପୁଙ୍କ ସଂପର୍କୀୟ ଓ କିଛି କଳାକାର ପହଞ୍ଚିଥିଲେ। ଏତେ କମ୍ ବୟସରେ ଏମିତି ଜଣେ ପ୍ରତିଭାଙ୍କୁ ହରାଇ ସମସ୍ତଙ୍କ କଣ୍ଠ ବାଷ୍ପରୁଦ୍ଧ ହୋଇ ଯାଇଥିଲା।

ତପୁଙ୍କ ନିଧନ ଓଡ଼ିଆ ସଂଗୀତ ଦୁନିଆ ପାଇଁ ଏକ ଅପୂରଣୀୟ କ୍ଷତି ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ କରି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମେ ୧୦ ତାରିଖରେ ତପୁଙ୍କ ବାପାଙ୍କ କରୋନାରେ ଦେହାନ୍ତ ହୋଇଥିଲା।

ଗତ ମେ ମାସ ଦ୍ୱିତୀୟ ସପ୍ତାହରେ କରୋନାରେ ଆକ୍ରାନ୍ତ ହୋଇଥିଲେ ତପୁ। ଘରୋଇ ହସ୍ପିଟାଲରେ ଚିକିତ୍ସା ପରେ ରିପୋର୍ଟ ନେଗେଟିଭ ଆସିଥିଲା ସତ, ହେଲେ ସ୍ୱାସ୍ଥ୍ୟବସ୍ଥାରେ ଆସିନଥିଲା।  ଓଲଟା ବିଗିଡ଼ିବାରେ ଲାଗିଥିଲା ସ୍ଵାସ୍ଥ୍ୟବସ୍ଥା। ପୁଣି ଥରେ ଚିକିତ୍ସା ଆରମ୍ଭ ହେଲା, ହେଲେ ଏଥର କିନ୍ତୁ ଡାକ୍ତରୀ ଦଳର ସତ ଚେଷ୍ଟା ସତ୍ୱେ ତପୁ ମିଶ୍ର ଙ୍କୁ ବଞ୍ଚାଇ ହେଲାନି। ଉତ୍ତମ କଣ୍ଠ ସହ ଜଣେ ମେଳାପୀ, ମିଷ୍ଠଭାଷୀ ଗାୟିକା ଥିଲେ ତପୁ। ତାଙ୍କ ବିୟୋଗରେ ଓଡ଼ିଆ ସିନେ ଜଗତ ରେ ଏକ ଅପୂରଣୀୟ କ୍ଷତି ହୋଇଥିବ ,ତପୁ ଙ୍କ ଶେଷ ଦର୍ଶନରେ ସାମିଲ ହୋଇଥିବା କଳାକାର ମାନେ କହିଛନ୍ତି।

Spread the love