୩ ବର୍ଷ ମଧ୍ୟରେ ନିଯୁକ୍ତ ଶିକ୍ଷକଙ୍କ ସାର୍ଟିଫିକେଟ ଯାଞ୍ଚ:ରାଜ୍ୟ ସରକାର

ଭୁବନେଶ୍ୱର : ରାଜ୍ୟରେ ନକଲି ଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିଲାଗି ଗତକାଲି ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଏକ ବୈଠକରେ ଗତ ୩ବର୍ଷ ମଧ୍ୟରେ ନିଯୁକ୍ତି ପାଇଥିବା ସମସ୍ତ ଶିକ୍ଷକଙ୍କ ସାର୍ଟିଫିକେଟ୍‌ ଯାଞ୍ଚ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି, ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ, ଓଡ଼ିଶା ଆଦର୍ଶ ବିଦ୍ୟାଳୟର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ।ବୈଠକର ନିଷ୍ପତ୍ତି ଅନୁଯାୟୀ ଗତ ତିନିବର୍ଷ ମଧ୍ୟରେ ନିଯୁକ୍ତି ପାଇଥିବା ସମସ୍ତ ଶିକ୍ଷକଙ୍କ ସାର୍ଟିଫିକେଟ୍‌ ଏବଂ ପ୍ରମାଣପତ୍ର ଯାଞ୍ଚ କରାଯିବ। ରାଜ୍ୟ ବାହାରର ବିଶ୍ୱବିଦ୍ୟାଳୟ ଏବଂ ସମ୍ପୃକ୍ତ ରାଜ୍ୟର ଶିକ୍ଷା ବିଭାଗକୁ ଏ ସମ୍ପର୍କରେ ଯାଞ୍ଚ ଲାଗି ଚିଠି ଲେଖାଯିବ। ଆବଶ୍ୟକ ପଡ଼ିଲେ ଯାଞ୍ଚ କାର୍ଯ୍ୟ ତ୍ୱରାନ୍ବିତ କରିବା ପାଇଁ ସ୍ବତନ୍ତ୍ର ଅଧିକାରୀଙ୍କୁ ରାଜ୍ୟ ବାହାରର ବିଶ୍ୱବିଦ୍ୟାଳୟକୁ ପଠାଯିବ। ମାଧ୍ୟମିକ ଶିକ୍ଷା ପରିଷଦ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦରେ ଚଳିତ ବର୍ଷରୁ ଡିଜିଲକ୍‌ ବ୍ୟବସ୍ଥା ପ୍ରଚଳନ କରାଯିବ। ଦୁଇଟି ପରିଷଦର ସମସ୍ତ ସାର୍ଟିଫିକେଟ୍‌କୁ ଡିଜିଟାଇଜେଶନ୍‌ କରାଯିବ। ଏଥିପାଇଁ ଆଇଟି ବିଭାଗର ସଚିବଙ୍କୁ ପତ୍ର ଲେଖାଯିବାକୁ ନିଷ୍ପତ୍ତି ନିଆଯାଇଛି। ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଦ୍ୱାରା ସମସ୍ତ ଶିକ୍ଷକଙ୍କ ଡାଟାବେସ୍‌ ପ୍ରସ୍ତୁତ କରାଯିବ। ସମସ୍ତ ମାମଲାର ତୁରନ୍ତ ଫଇସଲା ପାଇଁ ପଦକ୍ଷେପ ନିଆଯିବା ସହିତ ଏଫ୍‌ଆଇଆର୍‌ ଦାଖଲ କରାଯିବ। ଏଥିସହ ଚିହ୍ନଟ ଶିକ୍ଷକମାନଙ୍କଠାରୁ ଦରମା ଅର୍ଥ ଅସୁଲ କରିବା ପାଇଁ ଚିଠି ଲେଖାଯିବାକୁ ନିଷ୍ପତ୍ତି ହୋଇଛି।

Spread the love