ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଛୁଟି କାଟ୍‌: ମାନବାଧିକାର କମିସନରେ ମାମଲା

ଭୁବନେଶ୍ୱର : ସ୍କୁଲ ଛୁଟି ରହିଛି। ପିଲାମାନଙ୍କ ପାଠପଢ଼ା ହେଉନି। ମାତ୍ର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବିଦ୍ୟାଳୟ ଆସିବାକୁ ବାଧ୍ୟ କରାଯାଉଛି। କେତେକ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ) ପ୍ରଧାନଶିକ୍ଷକଙ୍କୁ ପତ୍ର ଲେଖି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ରୋଟେସନ୍‌ ଡ୍ୟୁଟି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟାଳୟ ଛାଡ଼ି ନ ଯିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହାକୁ ବିରୋଧ କରି ନୂତନ ପେନସନ ଯୋଜନାଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଘ ଆଜି ରାଜ୍ୟ ମାନବାଧିକାର କମିସନଙ୍କ ଦ୍ବାରସ୍ଥ ହୋଇଛନ୍ତି।

ସଂଘ ସଭାପତି ପ୍ରଦୀପ୍ତ କୁମାର ପ୍ରଧାନ କହିଛନ୍ତି ଯେ ସରକାରୀ କର୍ମଚାରୀମାନଙ୍କ ପାଇଁ ଛୁଟି ଦେବା ନୀତି ନିୟମକୁ ରାଜ୍ୟ ସରକାର ପୂର୍ବରୁ ନିର୍ଧାରିତ କରିଛନ୍ତି। ସେହି ଅନୁସାରେ ସମସ୍ତ ବିଭାଗର କର୍ମଚାରୀଙ୍କ ପାଇଁ ତାଙ୍କ ବିଭାଗ ଛୁଟି ନିମନ୍ତେ ବାର୍ଷିକ କ୍ୟାଲେଣ୍ଡର ପ୍ରସ୍ତୁତ କରିଛନ୍ତି। ମାତ୍ର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଚାକିରି କରୁଥିବା ସରକାରୀ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କ କ୍ଷେତ୍ରରେ ଛୁଟିକୁ ନେଇ ବିବାଦ ସୃଷ୍ଟି ହୋଇଛି। କାରଣ ଗଣଶିକ୍ଷା ବିଭାଗ ସେମାନଙ୍କୁ ୮୨ ଦିନ ଛୁଟି ପ୍ରଦାନ କରିଛନ୍ତି। ଯେଉଁଥିରେ ଖରା ଛୁଟି ୩୮ ଦିନ ରହିଛି। ୮ ଦିନ ପାଳନୀୟ ଦିବସ ସହ କିଛି ରବିବାର ବିଭିନ୍ନ ପରୀକ୍ଷା ହେଉଛି। ଖରା ଛୁଟିରେ ମଧ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ରୋଷ୍ଟର ଡ୍ୟୁଟି କରୁଛନ୍ତି।

ହେଲେ ଦୁଃଖ ଓ ପରିତାପର ବିଷୟ ହେଉଛି ଯେ ମେ’ ୫ରୁ ଖରା ଛୁଟି ହେବା ସତ୍ତ୍ୱେ କିଛି ଜିଲ୍ଲାର ଡିଇଓ ଖରା ଛୁଟିରେ ଫିଜିକାଲ ରିମେଡିଆଲ କ୍ଲାସ କରିବାକୁ ଚିଠି କରିଛନ୍ତି। ଆଉ କେତେଜଣ ଡିଇଓ ଚିଠି ନ କରି ହ୍ୱାଟ୍ସଆପ୍‌ ଗ୍ରୁପ ଓ ଭର୍ଚୁଆଲ ବୈଠକ ମାଧ୍ୟମରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଫିଜିକାଲ କ୍ଲାସ କରିବାକୁ ବାଧ୍ୟ କରୁଛନ୍ତି। କୌଣସି ଶିକ୍ଷକ ଶିକ୍ଷୟିତ୍ରୀ ମୁଖ୍ୟାଳୟ ନ ଛାଡ଼ିବାକୁ ନିର୍ଦେଶ ଦେଇଛନ୍ତି। ଶିକ୍ଷକ ଶିକ୍ଷୟିତ୍ରୀମାନେ ଅବକାଶକାଳୀନ ଶିକ୍ଷା ଦେବାଠାରୁ ଆରମ୍ଭ କରି ଆଇରନ ବଟିକା ବାଣ୍ଟିବା, ବହି ବଣ୍ଟନ, ବିଭିନ୍ନ ପ୍ରକାର ସର୍ଭେ, ଟ୍ରେନିଂ ଆଦି କାର୍ଯ୍ୟ ଛୁଟି ଦିନରେ କରୁଛନ୍ତି। ଏବେ ପୁଣିଥରେ ଫିଜିକାଲ କ୍ଲାସ ସମସ୍ତଙ୍କ ମନରେ ଅସନ୍ତୋଷ ସୃଷ୍ଟି କରିଛି। ଗ୍ରୀଷ୍ମ ଛୁଟି ପାଇବାକୁ ଶିକ୍ଷକ ଶିକ୍ଷୟିତ୍ରୀ ହକଦାର। କିନ୍ତୁ ରାଜ୍ୟ ସରକାର ସେମାନଙ୍କ ଅଧିକାରକୁ ଛଡ଼ାଇ ନେଉଛନ୍ତି। ଛୁଟିରେ ବିଭିନ୍ନ କାର୍ଯ୍ୟ ଦେଇ ରାଜ୍ୟ ସରକାର ମାନବାଧିକାର ଆଇନକୁ ଉଲଂଘନ କରୁଛନ୍ତି ବୋଲି ଶ୍ରୀ ପ୍ରଧାନ ଦର୍ଶାଇଛନ୍ତି।

Spread the love