ସାଇବର ଠକଙ୍କ ଟାର୍ଗେଟରେ ସ୍କୁଲ ଶିକ୍ଷକ, ଆଖି ପିଛୁଳାକେ ଲୁଟିନେଲେ ୪୦ହଜାର

ବେତନଟୀସଦର: ସ୍କୁଲ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପାଇଁ ଏବେ ସାଇବର ଠକଙ୍କ ନୂଆ ଚାଲ୍। ବିଦ୍ୟାଳୟ ଉନ୍ନତୀକରଣ ନିମନ୍ତେ ଟଙ୍କା ଆକାଉଣ୍ଟକୁ ଯିବା ଆଳରେ ଠକୁଛନ୍ତି ସାଇବର ଠକ। ଏହିଭଳି ଠକାମିର ଶିକାର ହୋଇଛନ୍ତି ମୟୂରଭଂଜ ଜିଲ୍ଲା ବେତନଟୀ ବ୍ଲକ ଅଧୀନ ଗଡ଼ଦେଉଳିଆ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ।

ସୋମବାର ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଦାୟିତ୍ୱରେ ଥିବା ହେମଲତା ଭୂୟାଁଙ୍କ ମୋବାଇଲକୁ ୭୩୨୭୯୫୦୭୩୫ ନଂ ରୁ ଏକ ଫୋନ କଲ ଆସିଥିଲା । ସଂପୃକ୍ତ ବ୍ୟକ୍ତି ଜଣକ ନିଜକୁ ବିଡ଼ିଓଙ୍କ କାର୍ଯ୍ୟାଳୟରୁ କହୁଛି ବୋଲି ପରିଚୟ ଦେଇଥିଲା। ପରେ ବ୍ଲକର ସବୁ ବିଦ୍ୟାଳୟକୁ ଉନ୍ନତୀକରଣ ନିମନ୍ତେ ୪୦ହଜାର ଟଙ୍କା ଅନୁଦାନ ଆସିଛି ବୋଲି କହି ୨ ଜଣ ଶିକ୍ଷକଙ୍କ ଏସବିଆଇ ୟୋନ ନମ୍ବର ମାଗିଥିଲା ଓ ସେଥିରେ ୨୦ହଜାର ଟଙ୍କା ଲେଖାଏଁ ଯିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ପ୍ରଧାନଶିକ୍ଷୟତ୍ରୀଙ୍କର ଆକାଉଣ୍ଟରେ ୟୋନ ନମ୍ବର ନଥିବା ଯୋଗୁଁ ସେ ଉକ୍ତ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଅଜିତ କୁମାର ସେଠୀ ଓ ଦେବେନ୍ଦ୍ର ମଢୁଆଳଙ୍କର ୟୋନ ନମ୍ବର ଦେଇ ଦେଇଥିଲେ। ହେଲେ ଦେବାକ୍ଷଣି ସଙ୍ଗେ ସଙ୍ଗେ ୨ ଜଣ ଶିକ୍ଷକଙ୍କର ଆକାଉଣ୍ଟରୁ ୨୦ହଜାର ଟଙ୍କା ଲେଖାଏଁ ଟଙ୍କା କଟିଯାଇଥିବାର ମେସେଜ ଆସିଥିଲା ମୋବାଇଲକୁ।

ଏନେଇ ସେମାନେ କିଛି ବୁଝିନପାରି ସ୍ଥାନୀୟ ବ୍ୟାଙ୍କ ଶାଖାକୁ ପଚାରିବାରୁ ସେମାନେ କହିଥିଲେକି ଜଳନ୍ଧରର ଏକ ଏଟିଏମରୁ ଟଙ୍କା ଉଠାଣ ହୋଇଛି। ଏନେଇ କିଛି କରି ହବନି ଓ ଆପଣମାନେ ଠକାମୀର ଶିକାର ହୋଇଛନ୍ତି। ପରେ ଅନ୍ୟ ଉପାୟ ନପାଇ ଶିକ୍ଷକ ଶିକ୍ଷୟିତ୍ରୀ ବୈଶିଙ୍ଗା ଥାନାର ଦ୍ୱାରସ୍ଥ ହୋଇଥିଲେ। ହେଲେ ସମାଜକୁ ବାଟ କଢ଼ାଉଥିବା ଉଚ୍ଚ ଶିକ୍ଷିତ ଶିକ୍ଷକ-ଶିକ୍ଷୟିତ୍ରୀ ମଧ୍ୟ ଏହି ଭଳିଆ ଠକାମୀର ଶିକାର ହେବା ଲୋକଙ୍କୁ ଆଶ୍ଚର୍ଯ୍ୟନିତ କରିଛି।

Spread the love