ଗୁରୁ ଦିବସରେ ସରକାରଙ୍କ ଉପହାର, ଓଡିଶା ଆଦର୍ଶ ବିଦ୍ୟାଳୟ ପାଇଁ ୪୪୩ ଶିକ୍ଷକଙ୍କୁ ନିଯୁକ୍ତି

ଗୁରୁ ଦିବସ ଅବସରରେ  ରାଜ୍ୟ ସରକାରଙ୍କ ଉପହାର  ।  ଓଡିଶା ଆଦର୍ଶ ବିଦ୍ୟାଳୟ ପାଇଁ ୪୪୩ ଶିକ୍ଷକଙ୍କୁ ନିଯୁକ୍ତି କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ରାଜ୍ୟର ସବୁ ଅଞ୍ଚଳର ମେଧାବୀ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଏହି ଉଦ୍ଦେଶ୍ୟରେ ରାଜ୍ୟରେ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଆଦର୍ଶ ବିଦ୍ୟାଳୟ ଜରିଆରେ ଇଂରାଜୀ ମାଧ୍ୟମରେ ଶିକ୍ଷା ପ୍ରଦାନ କରାଯାଉଛି। ବିଶେଷକରି ଗ୍ରାମାଞ୍ଚଳ ଓ ସହରାଂଚଳର ମେଧାବୀ ଛାତ୍ରଛାତ୍ରୀ ଉପକୃତ ହେଉଛନ୍ତି । ଗୁଣାତ୍ମକ ଶିକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରି ସାରା ଦେଶରେ ଆଦର୍ଶ ବିଦ୍ୟାଳୟ ରୋଲ ମଡେଲ ହେବା ପାଇଁ ଲକ୍ଷ୍ୟ ରଖାଯାଇଛି ।

ଜାତୀୟସ୍ତରର ବିଭିନ୍ନ ପ୍ରବେଶିକା ପରୀକ୍ଷାରେ ସଫଳତା ହାସଲ କରିବା ପାଇଁ ଏହି ବିଦ୍ୟାଳୟ ଗୁଡିକୁ ସବୁପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି । ପିଲାଙ୍କ ମନରେ ଯେପରି ଆଶା ଓ ଆତ୍ମବିଶ୍ବାସ ବୃଦ୍ଧି ହେବ ଏବଂ ସେମାନେ ସଫଳତା ହାସଲ କରିବେ, ତାହା ଲକ୍ଷ୍ୟ ରହିଛି । ପିଲାମାନଙ୍କୁ ଭବିଷ୍ୟତର ସଫଳତା ପାଇଁ ଠିକ୍‌ ଭାବରେ ଗାଇଡ୍‌ କରିବାକୁ ମୁଖ୍ୟମନ୍ତ୍ରୀ ଶିକ୍ଷକମାନଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରତି ଛାତ୍ରଛାତ୍ରୀଙ୍କ ସ୍ବପ୍ନ ସାକାର କରିବା ଆମର ଉଦ୍ୟମ ହେବ । ନୂଆ ଓ ରୂପାନ୍ତରିତ ଓଡଶା ଗଠନରେ ଏହା ବଳିଷ୍ଠ ପଦକ୍ଷେପ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏଦିଗରେ ଶିକ୍ଷକମାନେ ଗୁରୁ ଦାୟିତ୍ୱ ନିର୍ବାହ କରିବାକୁ ଆଗେଇ ଆସିବାକୁ ସେ ଆହ୍ଵାନ ଜଣାଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଦର୍ଶ ବିଦ୍ୟାଳୟ ପାଇଁ ଦଶ ସୂତ୍ରୀ ଲକ୍ଷ୍ୟ ଘୋଷଣା କରିଛନ୍ତି । ଏଥିରେ ପିଲାଙ୍କୁ ରକ୍ତଦାନ, ପରିବେଶ ସୁରକ୍ଷା ସହ ସାକ୍ଷରତା ଅଭିଯାନରେ ସାମିଲ କରିବା ଯୋଗ, କ୍ରୀଡା ଓ ସୁସ୍ଥ ଜୀବନଶୈଳୀ ଆଦି ପାଇଁ ଉତ୍ସାହିତ କରିବା ଜାତୀୟ ଅନ୍ତଜାତୀୟ ପ୍ରତିଯୋଗିତାରେ ସଫଳତା ପାଇଁ ପ୍ରସ୍ତୁତ କରିବା ଉପରେ ଗୁରୁତ୍ବ ଦିଆଯିବ । ଏହାସହ ପ୍ରତି ଆଦର୍ଶ ବିଦ୍ୟାଳୟକୁ ଦଶ ବର୍ଷିଆ ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ୨୦୨୧ର ଜାତୀୟ ଶିକ୍ଷକ ପୁରସ୍କାର ପାଇଥିବା ଶିକ୍ଷକଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ ।

Spread the love