ଓଡିଶାରେ କେନ୍ଦ୍ରୀୟ ଟିମ୍, ଜଓ୍ୱାଦ କ୍ଷୟକ୍ଷତିର କରିବେ ସମୀକ୍ଷା

ଭୁବନେଶ୍ୱର, ୧୨/୧୨:  ବାତ୍ୟା ଜୱାଦ୍‌ ଓ ଏହା ପ୍ରଭାବରେ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ଫସଲ ନଷ୍ଟ ହୋଇଛି । ଏହି କ୍ଷୟକ୍ଷତିର ଅନୁଧ୍ୟାନ ପାଇଁ କେନ୍ଦ୍ରୀୟ ଟିମ୍‌ ଆସି ଶନିବାର ଭୁବନେଶ୍ୱରରେ ପହଞ୍ଚିଛି । ଏହି ଟିମ୍‌ ରବିବାର ଭିନ୍ନ ଭିନ୍ନ ୩ଟି ଦଳରେ ୩ ଜିଲ୍ଲାକୁ ଯାଇ କ୍ଷେତ୍ର ପରିଦର୍ଶନ କରିବେ । ପ୍ରଥମ ଦିନରେ ଗଞ୍ଜାମ, ଜଗତସିଂହପୁର ଓ ଯାଜପୁର ଜିଲ୍ଲା ବୁଲି କ୍ଷୟକ୍ଷତି ଆକଳନ କରିବେ ବୋଲି ସୂଚନା ମିଳିଛି ।

କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ସୌରଭ ରୟଙ୍କ ନେତୃତ୍ୱରେ ଆସିଥିବା ଟିମ୍‌ ୧୩ ତାରିଖ ଯାଏ ରହି ବିଭିନ୍ନ କ୍ଷତିଗ୍ରସ୍ତ ଜିଲ୍ଲା ବୁଲିବେ । ବର୍ଷାରେ ଧାନ ଫସଲ, ପନିପରିବା ଓ ଅନ୍ୟ ଫସଲ ବ୍ୟାପକ ନଷ୍ଟ ହୋଇଛି । ଲକ୍ଷାଧିକ ହେକ୍ଟର ଜମିର ଫସଲ ଉଜୁଡ଼ି ଯାଇଛି । ଟିମ୍‌ ବିଭିନ୍ନ ଜିଲ୍ଲାକୁ ଯାଇ ବୁଲି କ୍ଷତି ପରଖିବେ । ମୋଟ ୩ଟି ଟିମ୍‌ରୁ ଗୋଟିଏ ଟିମ୍‌ ରବିବାର ଗଞ୍ଜାମ ଜିଲ୍ଲା ଅଭିମୁଖେ ଗସ୍ତ କରିବ । ଦିନତମାମ ଜିଲ୍ଲା ବୁଲିବା ପରେ ଅପରାହ୍ନରେ ପୁରୀ ଅଭିମୁଖେ ଯିବେ । ପୁରୀରେ ରାତ୍ରିରହଣି ପରେ ସୋମବାର ସକାଳୁ ପୁରୀ ଜିଲ୍ଲାର କ୍ଷୟକ୍ଷତି ଆକଳନ କରିବେ । ଅପରାହ୍ନରେ ଭୁବନେଶ୍ୱରକୁ ଫେରି ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ ।

ସେହିଭଳି ଆଉ ଗୋଟିଏ ଟିମ୍‌ ରବିବାର ଜଗତସିଂହପୁର ଜିଲ୍ଲାକୁ ଯାଇ କ୍ଷତି ହୋଇଥିବା ଫସଲ ସ୍ଥିତି ଦେଖିବେ । ସୋମବାର ଏହି ଟିମ୍‌ ଜଗତସିଂହପୁରରୁ କଟକକୁ ଯାଇ ସ୍ଥିତି ପରଖିବା ପରେ ଭୁବନେଶ୍ୱର ଫେରି ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ । ସେହିଭଳି ତୃତୀୟ ଟିମ୍‌ ରବିବାର ଯାଜପୁର ଜିଲ୍ଲାକୁ ଯାଇ କ୍ଷୟକ୍ଷତି ଆକଳନ କରିବେ । ସୋମବାର କେନ୍ଦ୍ରାପଡ଼ା ଜିଲ୍ଲା ବୁଲି ଫେରିବା ପରେ ଅପରାହ୍ନରେ ରାଜ୍ୟ ସରକାରୀ ଅଧିକାରୀଙ୍କ ସହ ବୈଠକରେ ସାମିଲ ହେବେ । ସୋମବାର ସନ୍ଧ୍ୟା ସୁଦ୍ଧା କେନ୍ଦ୍ରୀଟ ଟିମ୍‌ ଦିଲ୍ଲୀ ଫେରିଯିବ ବୋଲି ଜଣାପଡ଼ିଛି ।

Spread the love