ଫାଇନାଲ୍‌ରେ ଟିମ୍‌ ଇଣ୍ଡିଆ ଫେଲ୍‌: ସ୍ବପ୍ନ ଚୂର୍‌ମାର୍‌

ଅହମଦାବାଦ: ୧୫୦ କୋଟି ଭାରତୀୟଙ୍କ ସ୍ବପ୍ନ ଭାଙ୍ଗି ଚୂରମାର ହୋଇଗଲା। ଉତ୍ସାହ, ଉନ୍ମାଦନା, ଉତ୍କଣ୍ଠା ଓ ଉଲ୍ଲାସର ମାହୋଲ ହଠାତ୍‌ ନିରାଶା, ଲୁହ ଓ କୋହରେ ପରିଣତ ହୋଇଗଲା। ‘ତିନ୍‌ କା ଡ୍ରିମ୍‌’ ଦୁଃସ୍ବପ୍ନ ପାଲଟିଗଲା। ଶୁଭେଚ୍ଛା, ଶୁଭକାମନା, ପୂଜାପାଠ ଓ ପ୍ରାର୍ଥନା କିଛି କାମ ଦେଲାନି। ଯେଉଁ ପଡ଼ିଆରେ ରନ୍‌ ବର୍ଷୁଥିଲା ଓ ୱିକେଟ୍‌ ଝଡ଼ ଲାଗି ରହୁଥିଲା, ସେଠି ପାଲଟା ପରିସ୍ଥିତିର ସମ୍ମୁଖୀନ ହେଲା ଭାରତୀୟ କ୍ରିକେଟ୍ ଦଳ। ବଡ଼ ମ୍ୟାଚ୍‌ ଚାପରେ ଚାପି ହୋଇଯିବାର ଭୂତ ଏବେ ପୁଣି ଭାରତକୁ ଗୋଡ଼ାଇଲା। ନକ୍ ଆଉଟ୍‌ରେ ‘ନକ୍ ଆଉଟ୍‌’ ହୋଇଯିବା ଯେଭଳି ଭାରତୀୟ ଦଳ ଅଭ୍ୟାସରେ ପରିଣତ କରିଛି। ୨୦୦୩ ବିଶ୍ବକପ୍‌ ଫାଇନାଲ୍ ପରାଜୟର ପ୍ରତିଶୋଧ ସମ୍ଭବ ହୋଇପାରିଲା ନାହିଁ। ୧୨ ବର୍ଷ ପରେ ବିଶ୍ବକପ୍‌ ଏବଂ ୧୦ ବ‌ର୍ଷ ପରେ ଏକ ଆଇସିସି ଟ୍ରଫି ଜିତିବାର ଯେଉଁ ସୁବର୍ଣ୍ଣ ସୁଯୋଗ ଆସିଥିଲା ତାହା ଏତେ ସହଜରେ ଖସିଯିବ ବୋଲି ବିଶ୍ବାସ ହେଉନି। ରୋହିତ ଶର୍ମାଙ୍କ ଦଳର ଘରୋଇ ମାଟିରେ ବିଶ୍ବକପ୍‌ ଜିତିବାର ପ୍ରତିବଦ୍ଧତା ଫୁତ୍‌କାରରେ ଉଡ଼ିଗଲା। କଙ୍ଗାରୁ ଆଗରେ ବାଘ ଆତ୍ମସମର୍ପଣ କରିଯିବାରୁ ଏହି କ୍ରିକେଟ୍ ପାଗଳ ଦେଶ ଏକ ଜାତୀୟ ଅବସାଦ ମୁହାଁ ହୋଇଗଲା। ଦେଢ଼ ମାସ ଧରି ଭାରତକୁ କବଳିତ କରିଥିବା କ୍ରିକେଟ୍‌ ଜ୍ବର ବି ଗୋଟିଏ ରାତିରେ ଶେଷ ହୋଇଗଲା।

ମୋଟେରାର ନେରେନ୍ଦ୍ର ମୋଦୀ ଷ୍ଟ‌ାଡିୟମ୍‌ରେ ରବିବାର ଖେଳାଯାଇଥିବା ତ୍ରୟୋଦଶ ସଂସ୍କରଣ ଆଇସିସି ଦିନିକିଆ ବିଶ୍ବକପ୍‌ର ଫାଇନାଲ୍‌ରେ ଭାରତକୁ ଏକତରଫା ଭାବେ ୬ ୱିକେଟ୍‌ରେ ପରାସ୍ତ କରି ଅଷ୍ଟ୍ରେଲିଆ ଷଷ୍ଠ ଥର ପାଇଁ ବିଶ୍ବ ମୁକୁଟ ଅର୍ଜନ କରିଛି। ରେକର୍ଡକୁ ଆଗକୁ ବଢ଼ାଇଛି। ଅଷ୍ଟ୍ରେଲିଆ ଅଧିକ ପେସାଦାର ଓ ବଡ଼ ମ୍ୟାଚ୍‌ ଖେଳିବାକୁ ଧୂରନ୍ଧର ବୋଲି ମଧ୍ୟ ଛାପ ଛାଡ଼ିଛି। କ୍ରିକେଟ୍‌ର ନୂଆ ମକ୍କା ବୋଲି କୁହାଯାଉଥିବା ମୋଟେରାରେ ଭାରତକୁ ଧୂଳି ଚଟାଇଦେଇଛି। ଚଳିତ ବିଶ୍ବକପ୍‌ରେ ଯେତେବେଳେ ପ୍ରଥମେ ବ୍ୟାଟିଂ କରିଥିଲା ବିଗତ ୫ଟିରେ ୪ ଥର ୩୦୦ରୁ ଊର୍ଧ୍ବ ରନ୍‌ କରିଥିଲ। ୩ ଥର ୩୫୦ ବି ଟପିଯାଇଥିଲା। ରବିବାର କିନ୍ତୁ ଭାରତ ୨୦୦ ରନ୍‌ ପାଇଁ ସଂଘର୍ଷ କରିଥିଲା। ରୋହିତ ଶର୍ମା, ବିରାଟ କୋହଲି, କେଏଲ୍ ରାହୁଲଙ୍କ ପାଳି ବଳରେ ଅବଶ୍ୟ ୨୪୦ ରନ୍‌ କରିଥିଲା। ଅଷ୍ଟ୍ରେଲିଆ କିନ୍ତୁ ଏହି ବିଜୟ ଲକ୍ଷ୍ୟରେ ପହଞ୍ଚିବାକୁ କେବେ ବି ସଂଘର୍ଷ କରିନଥିଲା। ବୁମ୍‌ରାଙ୍କ ସାମୟିକ ବ‌ିସ୍ଫୋରଣ କାରଣରୁ ଅଷ୍ଟ୍ରେଲିଆ ୪୭/୩ରେ ପହଞ୍ଚିଥିଲା। କିନ୍ତୁ ଟ୍ରାଭିସ୍‌ ହେଡ୍‌ (୧୨୦ ବଲ୍‌ରୁ ୧୩୭ ରନ୍‌) ଏବଂ ମାର୍ନସ ଲବୁସାନ୍‌ (୧୧୦ ବଲ୍‌ରୁ ୫୮* ରନ୍‌) ଶତକୀୟ ଭାଗୀଦ‌ାରି (୧୯୮ ରନ୍‌) କରି ଭାରତର ସ୍ବପ୍ନକୁ ଧୂଳିସାତ କରିଦେଲେ। ଆହତ କାରଣରୁ ପ୍ରଥମରୁ ଖେଳିପାରିନଥିବା ହେଡ୍‌ ଏ ବିଶ୍ବକପ୍‌ରେ ଦ୍ବିତୀୟ ଶତକ ସହ ଭାରତ ହାତରେ ଥିବା ଶେଷ ସୁଯୋଗକୁ ବି ଛଡ଼ାଇ ନେଇଯାଇଥିଲେ। ୭ ଓଭର ପୂର୍ବରୁ ଅଷ୍ଟ୍ରେଲିଆ ୪ ୱିକେଟ୍‌ ହରାଇ ୨୪୧ ରନ୍ ସଂଗ୍ରହ କରି ନେଇଥିଲା। ମହମ୍ମଦ ସିରାଜଙ୍କଠାରୁ ୨ ରନ୍‌ ନେଇ ଗ୍ଲେନ୍ ମ୍ୟାକ୍ସୱେଲ ବିଜୟ ମୁଣ୍ଡି ମାରିବାମାତ୍ରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଭାରତୀୟ ଖେଳାଳିଙ୍କ ଆଖିରେ ଲୁହ ଭରିଯାଇଥିଲା। ଷ୍ଟାଡିୟମ୍‌ରେ ଭର୍ତ୍ତି ଲକ୍ଷାଧିକ ଦର୍ଶକ ଜାତୀୟ ଲଜ୍ଜା ଭଳି ତଳମୁହାଁ ହୋଇଯାଇଥିଲେ।

ଏହି ବିଜୟ ସହ ଅଷ୍ଟ୍ରେଲିଆ ମଧ୍ୟ ଭାରତ ମାଟିରେ ବିଶ୍ବକପ୍‌ ଜିତିବ‌‌‌ାର ଦ୍ବିତୀୟ ସ୍ବପ୍ନକୁ ସାକାର କରିନେଇଛି। ବିଦାୟୀ ବିଶ୍ବକପ୍‌ରେ ଡେଭିଡ୍‌ ୱାର୍ଣ୍ଣର ତୃତୀୟ ଥର ଟ୍ରଫି ତୋଳିବାର ବିରଳ ସଫଳତା ମଧ୍ୟ ପାଇଛନ୍ତି। ପ୍ୟାଟ୍ କମିନ୍ସ ମଧ୍ୟ ଅନ୍ୟତମ ସଫଳ ଅଧିନ‌ାୟକ ତାଲିକା‌ରେ ଯୋଡ଼ି ହୋଇଗଲେ। ସୂଚନ‌ାଯୋଗ୍ୟ ଯେ ଗତବର୍ଷ ଆଇସିସି ବିଶ୍ବ ଟେଷ୍ଟ୍ ଚାମ୍ପିୟନସିପ୍‌ ଫାଇନାଲ୍‌ରେ ମଧ୍ୟ ଭାରତକୁ ଅଷ୍ଟ୍ରେଲିଆ ମାତ୍ ଦେଇଥିଲା। ରବିବାର ରାତିରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅଷ୍ଟ୍ରେଲିଆ ଉପ ପ୍ରଧାନମନ୍ତ୍ରୀ ରିଚାର୍ଡ ମାଲ୍ସ ପୁରସ୍କାର ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି ଥିଲେ। ପ୍ରଧାନମନ୍ତ୍ରୀଙ୍କ ମୁଖମଣ୍ଡଳରେ ବି ପରାଜାୟର ଛାପ ବାରି ହୋଇପଡ଼ିଥିଲା। ଅଷ୍ଟ୍ରେଲିଆ ଦଳ ଉତ୍ସବ ଆରମ୍ଭ୍ ପୂର୍ବରୁ ସେ ପଡ଼ିଆ ଛାଡ଼ି ପଳାଇଥିଲେ। ଟ୍ରାଭିସ୍ ହେଡ୍‌ ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିବା ବେଳେ ବିରାଟ କୋହଲି (୭୬୫ ରନ୍‌) ବିଶ୍ବକପ୍‌ର ଶ୍ରେଷ୍ଠ ଖେଳାଳି ସମ୍ମାନ ପାଇଛନ୍ତି। ଭାରତୀୟ କିଂବଦନ୍ତି ସଚିନ ତେନ୍ଦୁଲକର, ବିସିସିଆଇ ସଭାପତି ରୋଜର ବିନ୍ନି ଏବଂ ସମ୍ପାଦକ ଜୟ ଶାହା ଉପସ୍ଥିତ ଥିଲେ। ଭାରତୀୟ ଦଳକୁ ଉତ୍ସାହିତ କରିବାକୁ ବଲିଉଡ୍‌ ଏବଂ କ୍ରିକେଟ୍ ଦୁନିଆର ଦିଗଜଙ୍କ ମହାମିଳାନ ବି ଶେଷରେ ଫିକା ପଡ଼ିଯାଇଥିଲା।

Spread the love