ଜିତିଲା ଟିମ୍ ଇଣ୍ଡିଆ, କନ୍ଦେଇଲା ଆଫଗାନିସ୍ତାନ

ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଓ ପାକିସ୍ତାନ ଭଳି ଟିମ୍ ବିପକ୍ଷରେ ସହଜ ବିଜୟ ହାସଲ କରିଥିବା ଟିମ୍ ଇଣ୍ଡିଆକୁ ଆଫଗାନିସ୍ତାନ ବିପକ୍ଷରେ ନାକେଦମ ହେବାକୁ ପଡ଼ିଛି। ଶନିବାର ବିଶ୍ୱକପର ଖେଳାଯାଇଥିବା ଏକ ରୋମାଞ୍ଚକର ମ୍ୟାଚରେ ଭାରତ ୧୧ ରନରେ ଆଫଗାନିସ୍ତାନକୁ ହରାଇ କଷ୍ଟସାଧ୍ୟ ବିଜୟ ହାସଲ କରିଛି।

ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ଶକ୍ତିଶାଳୀ ବ୍ୟାଟିଂଲାଇନ୍ ଆଫଗାନିସ୍ତାନର ସ୍ପିନ୍ ଆକ୍ରମଣ ଆଗରେ ମୁଣ୍ଡ ନୁଆଁଇ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୨୨୪ ରନ୍ କରିବାକୁ ସକ୍ଷମ ହୋଇଥିଲା। ଭାରତ ପକ୍ଷରୁ ବିରାଟ୍ କୋହଲିଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଆଫଗାନିସ୍ତାନ ସ୍ପିନରଙ୍କୁ ସାମ୍ନା କରିପାରିନଥିଲେ। ସେ ୬୩ ବଲରେ ୫ ଚୌକା ସହ ୬୭ ରନ୍ କରିଛନ୍ତି। ଏହାର ଜବାବରେ ଆଫଗାନିସ୍ତାନ ୪୯.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୨୧୩ ରନ୍ କରିବାକୁ ସକ୍ଷମ ହୋଇଛି। ଭାରତ ପକ୍ଷରୁ ମହମ୍ମଦ ଶାମି ଶେଷ ଓଭରରେ ହ୍ୟାଟ୍ରିକ୍ ୱିକେଟ୍ ନେଇ ଭାରତ ବିଜୟରେ ମୁଖ୍ୟ ସୂତ୍ରଧର ବିବେଚିତ ହୋଇଛନ୍ତି। ଶାମି ୪୦ ରନ୍ ଦେଇ ୪ଟି ୱିକେଟ୍ ନେଇଥିଲେ।

ଏହି ଚ୍ୟାଲେଞ୍ଜିଂ ଲକ୍ଷ୍ୟର ପିଛା କରୁଥିବା ଆଫଗାନିସ୍ତାନ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଭୁବନେଶ୍ୱର କୁମାରଙ୍କ ସ୍ଥାନରେ ଖେଳୁଥିବା ମହମ୍ମଦ ଶାମି ଆଫଗାନିସ୍ତାନ ଓପ୍ନର ହଜରତୁଲ୍ଲା ଜାଜାଇ (୧୦)ଙ୍କୁ କ୍ଲିନ୍ ବୋଲ୍ଡ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଅନ୍ୟତମ ଓପ୍ନର ତଥା କ୍ୟାପଟେନ୍ ଗୁଲବଦିନ୍ ନାଏବ ଓ ରେହମତ୍ ଶାହ ଟିମ୍ ଇଣ୍ଡିଆର ମଜଭୁତ୍ ବୋଲିଂ ଆକ୍ରମଣକୁ ଦୃଢ଼ତାର ସହ ସାମ୍ନା କରିଥିଲେ।

ତେବେ ସେଟ୍ ହୋଇ ଆସୁଥିବା ଏହି ଯୋଡ଼ିକୁ ହାର୍ଦ୍ଦିକ ପାଣ୍ଡ୍ୟା ଭାଙ୍ଗିବାରେ ସଫଳ ହୋଇଥିଲେ। ନାଏବ ୨୭ (୪୨ ବଲ୍, ୪୨ ବଲ୍, ୨ ଚୌକା) ରନ୍ କରି ଆଉଟ୍ ହୋଇଥିଲେ। ଏହା ପରେ ରେହମତ ଓ ହଶମତୁଲ୍ଲା ଶାହିଦି ତୃତୀୟ ୱିକେଟ୍ ପାଇଁ ୪୨ ରନ୍ ଯୋଡ଼ି ଟିମ୍ ସ୍କୋରକୁ ୧୦୦ ଅତିକ୍ରମ କରାଇଥିଲେ। ଉଭୟ ବ୍ୟାଟ୍ସମ୍ୟାନଙ୍କୁ ଯଶପ୍ରୀତ ବୁମ୍ରା ଆଉଟ୍ କରି ଭାରତକୁ ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରାଇଥିଲେ । ରେହମତ୍ ୩୬ (୩ ଚୌକା) ଓ ଶାହିଦି ୨୧ (୨ ଚୌକା) ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ।

ପୂର୍ବତନ କ୍ୟାପଟେନ୍ ଅସଘର ଆଫଗାନଙ୍କଠାରୁ ଟିମ୍ ଆଶା ବାନ୍ଧିଥିଲେ ହେ, ସେ ନିରାଶ କରିଥିଲେ। ଅସଘର ୮ ରନ୍ କରି ୟୁଜବେନ୍ଦ୍ର ଚହଲଙ୍କ ବଲରେ କ୍ଲିନ୍ ବୋଲ୍ଡ ହୋଇଥିଲେ। ମହମ୍ମଦ ନବି ଓ ନାଜିବୁଲ୍ଲା ଜର୍ଦ୍ଦାନ ଦ୍ରୁତ ରନ୍ କରି ଆଫଗାନିସ୍ତାନକୁ ବିଜୟ ଅଭିମୁଖେ ନେଇଥିଲେ । ନାଜିବୁଲ୍ଲା ଭଲ ବ୍ୟାଟିଂ କରିଥିଲେ ହେଁ, ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ। ସେ ୨୧ ରନ୍ କରି ପାଣ୍ଡ୍ୟାଙ୍କ ଦ୍ୱିତୀୟ ଶିକାର ବନିଥିଲେ। ଏହା ପରେ ରଶିଦ୍ ଖାନ୍ ୧୪ ରନ୍ କରି ଚହଲଙ୍କ ଆଉଟ୍ ହୋଇଥିଲେ। ତେବେ ନବି ଶେଷ ପର୍ଯ୍ୟନ୍ତ ଲଢ଼ିଥିଲେ ହେଁ, ଟିମକୁ ଜିତାଇପାରି ନଥିଲେ। ନବିଙ୍କୁ ଅନ୍ତିମ ଓଭରରେ ଶାମି ଆଉଟ୍ କରି ଭାରତ ବିଜୟକୁ ପକ୍କା କରିଥିଲେ।

Spread the love