ନିଲମ୍ବିତ ହେଲେ ପୂର୍ବତନ ଅତିରିକ୍ତ ତହସିଲଦାର ଚିନ୍ମୟ ସାଗର

ନବରଙ୍ଗପୁର: ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟାଳୟ ପକ୍ଷରୁ ୭ ତାରିଖ ଦିନ ଆଦେଶ ସଂଖ୍ୟା ୩୨୧୩୩ ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ଝରିଗାଁ ତହସିଲର ପୂର୍ବତନ ଅତିରିକ୍ତ ତହସିଲଦାର ଏବଂ ବର୍ତ୍ତମାନର ରାଇଘର ତହସିଲଦାର ଚିନ୍ମୟ ସାଗରଙ୍କୁ ରାଜ୍ୟ ସରକାର ନିଲମ୍ବନ କରିଛନ୍ତି। ଏହା ସହ ତାଙ୍କୁ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ କରାଯାଇଅଛି ଏବଂ ଜିଲ୍ଲାପାଳଙ୍କ ବିନା ଅନୁମତିରେ ଜିଲ୍ଲା ମୁଖ୍ୟାଳୟ ଛାଡି ପାରିବେ ନାହିଁ ବୋଲି ଉକ୍ତ ଚିଠିରେ ନିର୍ଦ୍ଦେଶ ରହିଛି।

ଝରିଗାଁ ବ୍ଲକ ଅନ୍ତର୍ଗତ କୁସୁମି ଗ୍ରାମ ଠାରେ ରହିଥିବା କବୀର ଧର୍ମ ପୀଠ ପାଇଁ ଦଖଲ କରିଥିବା ସରକାରୀ ଜମି ଖାତା ନମ୍ବର -୩୦୭/୨୦୨, ପ୍ଲଟ ନଂ – ୭୩୪/୧୭୩୪ ର ୦.୬୪ ଡିସିମିଲ ଜାଗାକୁ ଚଞ୍ଚକତା ସହ ମାନିକପୁରୀ ପନକା ସମାଜର ପୂର୍ବତନ ବ୍ଲକ ସଭାପତି ବଂଶୀଧର ପନକା ନିଜ ମାଆ ଧନମତୀ ପନକଙ୍କ ନାମରେ ପଟ୍ଟା କରିଥିବା ନେଇ ସ୍ଥାନୀୟ ତହସିଲଦାର ଓ ଥାନାରେ ଅଭିଯୋଗ ହୋଇଥିଲା। ଏହାପରେ ଚଳିତ ବର୍ଷ ମଇ ମାସ ୪ତାରିଖରେ ତତ୍କାଳିନ ଉପଜିଲ୍ଲାପାଳ ଝରିଗାଁ ତହସିଲ କାର୍ଯ୍ୟାଳୟ କୁ ଆସି ରେକର୍ଡ଼ ରୁମ୍ ଦାୟିତ୍ୱରେ ରହିଥିବା ସମସ୍ତ କର୍ମଚାରୀଙ୍କୁ ପଚାରି ସମ୍ପୃକ୍ତ ଘଟଣାର ସମସ୍ତ ଦଲିଲ ଯାଞ୍ଚ କରିଥିଲେ। ଏହାର ତଦନ୍ତ ରିପୋର୍ଟ କୁ ଆଧାର କରି ଜୁନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ ସଚ୍ଚିଦାନନ୍ଦ ରଥ ଏଵଂ ଅମିନ ଦେବେନ୍ଦ୍ର ବେଶ୍ରାଙ୍କୁ ଜିଲ୍ଲାପାଳ କମଳଲୋଚନ ମିଶ୍ର ନିଲମ୍ବନ କରିଥିଲେ। ସେହି ସମୟରେ କୁସୁମୀ ସ୍ଥିତ କବିର ଧର୍ମପୀଠ ଦଖଲରେ ଥିବା ଜମିକୁ ଚଞ୍ଚକତା କରି ନିଜ ନାରେ ପଟ୍ଟା କରିଥିବା ଅଭିଯୋଗ ଘଟଣାରେ ତତ୍କାଳୀନ ଅତିରିକ୍ତ ତହସିଲଦାରଙ୍କ ସମ୍ପୃକ୍ତି ଥିବା ନେଇ ମାନିକପୁରୀ ପାନକା ସମାଜ ତରଫରୁ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ।

Spread the love