“୫-ଟି ରୂପାନ୍ତରଣ ବ୍ୟବସ୍ଥା” କେବଳ ବିଜେଡି ନେତା ଓ ଠିକାଦାରଙ୍କ ଲାଭ ପାଇଁ: ତେଜେଶ୍ୱର ପରିଡା

ଭୁବନେଶ୍ୱର, ତା ୧୯/୦୭: ଓଡ଼ିଶାରେ ବିଦ୍ୟାଳୟ ଶିକ୍ଷା ଓ ହଜାର ହଜାର ଛାତ୍ରଛାତ୍ରୀଙ୍କର ଭବିଷ୍ୟତକୁ ରାଜ୍ୟ ସରକାର ହତ୍ୟା କରୁଛନ୍ତି । ଗୁଣାତ୍ମକ ଶିକ୍ଷା ଓ ପ୍ରାଥମିକ ସ୍ତରରୁ ଭିତିଭୂମି ବିକାଶର ଅଭାବ ସ୍ପଷ୍ଟ ପରିଲକ୍ଷିତ ହେଉଛି । ଏଭଳି ଏକ ଅତ୍ୟନ୍ତ ଲଜ୍ଜାଜନକ ଖବର ଫଟୋ ସହ ରାଜ୍ୟର ବିଫଳ ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାର ନଗ୍ନ ଓ ଦୟନୀୟ ସ୍ଥିତି ସାମ୍ନାକୁ ପୁଣି ଥରେ ଆସିଛି । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଏନଏସିର ୧୨ନଂ ୱାର୍ଡ ନୂଆପାଲ୍ଲୀ ପ୍ରାଥମିକ ବିଦ୍ୟାଳୟରେ ସାମାନ୍ୟ ବର୍ଷା ପରେ ଶ୍ରେଣୀ ଗୃହରେ ପାଣି ଭରିଯାଇଥିଲା । ଏହାପରେ ଛାତ୍ରଛାତ୍ରୀମାନେ ଶ୍ରେଣୀ ଗୃହ ଓଦାଥିବାରୁ ଇଟା ଉପରେ ବସି ପାଠ ପଢ଼ୁଥିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏହା କୋମଳମତି ଛାତ୍ରଛାତ୍ରୀଙ୍କର ମାନବାଧିକାର କ୍ଷୁର୍ଣ୍ଣ କରିବା ସହ ଓଡ଼ିଶାରେ ସରକାରୀ ବିଦ୍ୟାଳୟ ଗୁଡିକର କରୁଣଚିତ୍ରକୁ ସାମ୍ନାକୁ ଆଣିଛି । କେବଳ ସୁବର୍ଣ୍ଣପୁରରେ ନୁହେଁ ବରଂ ଏଭଳି ସ୍ଥିତି ରାଜ୍ୟର ଅନେକ ସ୍ଥାନରେ ଦେଖିବାକୁ ମିଳୁଛି । ଶିକ୍ଷା କ୍ଷେତ୍ରରେ ସର୍ବ ଭାରତୀୟସ୍ତରରେ ଓଡ଼ିଶାର ସ୍ଥାନ ୨୪ନଂରେ ପଂହଚିଛି । ୫-ଟି ରୂପାନ୍ତରଣ ନାମରେ ବିଦ୍ୟାଳୟଗୁଡିକୁ ବିଜେଡି ନେତା ଓ ଠିକାଦାରମାନଙ୍କର ‘ଟଙ୍କା ଲୁଟ୍‌’ର ମାଧ୍ୟମ କରାଯାଇ କୋଟି କୋଟି ଟଙ୍କା ଲୁଟ୍ କରାଯାଉଛି ବୋଲି ରାଜ୍ୟ ମୁଖପାତ୍ର ତେଜେଶ୍ୱର ପରିଡା କହିିଛନ୍ତି ।

୫-ଟି ରୂପାନ୍ତରୀତ ବିଦ୍ୟାଳୟର ପ୍ରକୃତ ସତ୍ୟକୁ ବିଭିନ୍ନ ସମୟରେ ବୁଦ୍ଧଜୀବୀ, ଗଣମାଧ୍ୟମ, ଅଭିଭାବକ ସଙ୍ଘ ସାମ୍ନାକୁ ଆଣୁଛନ୍ତି । ପୁରୀ ଜିଲ୍ଲା ବଳଙ୍ଗା ନୋଡାଲ ହାଇସ୍କୁଲକୁ ବର୍ଷକ ତଳେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିଲେ କିନ୍ତୁ ବର୍ଷେ ନପୁରୁଣୁ ଶ୍ରେଣୀଗୃହ ଛାତରୁ ପାଣିଗଳିବା, ସିଲିଂ ଖସିବା ସହ କାନ୍ଥ ଭୂଷୁଡି ପଡିଛି । ସେହିପରି ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ଗଞ୍ଜାମ ବୁୁଗୁଡାର ମହାମାୟୀ ହାଇସ୍କୁଲରେ ନବମ ଶ୍ରେଣୀର ମୋଟ ୧୪୫ପିଲାଙ୍କୁ ମାତ୍ର ଜଣେ ଶିକ୍ଷକ ପାଠ ପଢ଼ାଉଛନ୍ତି । ରାଜ୍ୟ ସରକାର ସର୍ବାଧିକ ରାଜସ୍ୱ ପାଉଥିବା କେନ୍ଦୁଝର ଜିଲ୍ଲା ବଡହଳ ସ୍ଥିତ ୫-ଟି ରୂପାନ୍ତରିତ ‘କଲେଜ ରୋଡ ହାଇସ୍କୁଲ’ରେ ୫୫ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଜଣେ ମାତ୍ର ହିନ୍ଦୀ ଶିକ୍ଷକ ପିଲାମାନଙ୍କୁ ବିଜ୍ଞାନ, ଗଣିତ, ଇଂରାଜୀ ଇତ୍ୟାଦି ପାଠ ପଢାଉଥିବା ଘଟଣା ସାମ୍ନାକୁ ଆସିଛି । ଚଳିତ ବର୍ଷ ଶିକ୍ଷକ ଅଭାବ କାରଣରୁ ଅନେକ ଛାତ୍ରଛାତ୍ରୀ ଅନ୍ୟ ସ୍କୁଲକୁ ପଳାଇଯିବା ବିଫଳ ୫-ଟି ମଡେଲକୁ ପ୍ରତିପାଦନ କରୁଛି । ଏହା କେଉଁ ପ୍ରକାରର ୫-ଟି ରୂପାନ୍ତରଣ ମଡେଲ ଶିକ୍ଷା ବ୍ୟବସ୍ଥା ବୋଲି ପ୍ରଶ୍ନ କରିବା ସହିତ ରାଜ୍ୟ ସରକାର ୫-ଟି ରୂପାନ୍ତରଣ ନାଁରେ ରାଜନୈତିକ ଫାଇଦା ନେବା ପାଇଁ ଚାଲିଥିବା ସାଙ୍ଘାତିକ ମିଛ ପଦାରେ ପଡିଛି ବୋଲି ଶ୍ରୀ ପରିଡା କହିଛନ୍ତି ।
“ବିଜୁଳି ସଂଯୋଗ ନଥିବା ବିଦ୍ୟାଳୟ ସଂଖ୍ୟା ହେଉଛି ୧୧୭୧୦, ଖେଳପଡିଆ ନଥିବା ବିଦ୍ୟାଳୟ ସଂଖ୍ୟା ୨୧୦୬୫, କଂପ୍ୟୁଟର ନଥିବା ବିଦ୍ୟାଳୟ ସଂଖ୍ୟା ହେଉଛି ୪୧୯୯୬, ଆବଶ୍ୟକୀୟ ଶ୍ରେଣୀଗୃହ ନଥିବା ବିଦ୍ୟାଳୟ ସଂଖ୍ୟ ହେଉଛି ୬୭୮୧ ଏବଂ ଛାତ୍ରଛାତ୍ରୀ ଅନୁପାତରେ ଶିକ୍ଷକ ନଥିବା ବିଦ୍ୟାଳୟ ସଂଖ୍ୟା ହେଉଛି ୬୦୧୧ ।” ଗତ ବିଧାନସଭା ଅଧିବେସନ ତଥା ମାତ୍ର କିଛି ମାସ ପୂର୍ବରୁ ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀ ମୋହନ ଚରଣ ମାଝୀଙ୍କ ଏକ ପ୍ରଶ୍ନର ଉତର ରଖି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ବିଧାନସଭାରେ ଦେଇଥିବା ତଥ୍ୟ ରାଜ୍ୟ ଶିକ୍ଷା ବ୍ୟବସ୍ଥାର ଅତ୍ୟନ୍ତ ଦୟନୀୟ ସ୍ଥିତିକୁ ବର୍ଣ୍ଣନା କରୁଛି ବୋଲି ଶ୍ରୀ ପରିଡା କହିଛନ୍ତି ।
କେବଳ ରାଜଧାନୀ ଭୁବନେଶ୍ୱରରେ ଗତ ୮ବର୍ଷ ମଧ୍ୟରେ ୫୯ଟି ସରକାରୀ ସ୍କୁଲ ବନ୍ଦ ହେବା ଏବଂ ୨୦୦୦ମସିହାଠାରୁ ଭୁବନେଶ୍ୱରରେ ମାତ୍ର ୧୧ଟି ସରକାରୀ ବିଦ୍ୟାଳୟ ଖୋଲିଥିବା ବେଳେ ୨୦୩ଟି ଘରୋଇ ବିଦ୍ୟାଳୟ ଖୋଲିବା ତଥ୍ୟରୁ ସରକାରଙ୍କ ଘରୋଇ ସ୍କୁଲକୁ ପ୍ରୋତ୍ସାହନ ଦେବା ପାଇଁ ଚକ୍ରାନ୍ତ ତଥା ରୀତିମତ ଷଡଯନ୍ତ୍ର କରି ସରକାରୀ ସ୍କୁଲକୁ ବନ୍ଦ କରୁଥିବା ସ୍ପଷ୍ଟ ପ୍ରମାଣିତ ହୋଇଛି । ପ୍ରାୟ ୪୫ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ୫-ଟି ରୂପାନ୍ତରଣ କରିବା ପରେ ୟୁନିଟ୍‌-୨ ସ୍କୁଲ ବନ୍ଦ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ । ୟୁନିଟ୍‌-୯ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରାୟ ୩୮୭ ଛାତ୍ରୀ ଯେଉଁମାନେ ଭୁବନେଶ୍ୱର ସମେତ ପାଖ ବାରଙ୍ଗ, ବାଲିଅନ୍ତା ଗ୍ରାମାଚଂଳରୁ ଆସି ପଢ଼ୁଛନ୍ତି, ତାକୁ ବନ୍ଦ କରିବା ଷଡଯନ୍ତ୍ର କାହା ସ୍ୱାର୍ଥରେ? ମହିଳା ସଶକ୍ତିକରଣର ଡିଣ୍ଡିମ ପିଟୁଥିବା ବିଜୁ ଜନତା ଦଳ ସରକାର, ସରକାରୀ ବାଳିକା ଉଚ୍ଚବିଦ୍ୟାଳୟକୁ ବନ୍ଦ କରିବା ଲଜ୍ଜାଜନକ ଓ ବିଜେଡିର ଅସଲ ଚେହେରାକୁ ସାମ୍ନାକୁ ଆଣିଛି । ରାଜଧାନୀରେ ଅନେକ ଅବ୍ୟବହୃତ ଜମି ପଡିଥିବାବେଳେ ଓ ମୂଲ୍ୟବାନ ଜମିକୁ ଡିଏନ ଗ୍ରୁପ ଭଳି ଘରୋଇ ସଂସ୍ଥାକୁ ଟେକି ଦେଇଥିବା ରାଜ୍ୟ ସରକାର ବିଶ୍ୱବିଦ୍ୟାଳୟ ପାଇଁ ଜମି ନଦେଇପାରିବା ସରକାରୀ ଆନ୍ତରିକତାର ଅଭାବକୁ ଦର୍ଶାଉଛି । ପୂର୍ବରୁ ବଡ ଅଫିସରମାନଙ୍କ ପାଇଁ ଗେଷ୍ଟ ହାଉସ ନିର୍ମାଣ ପାଇଁ ରାଜଧାନୀର ଏକ ସରକାରୀ ବିଦ୍ୟାଳୟ ଜମିକୁ ହାତେଇବା ପାଇଁ ଏକ ପ୍ରୟାସ କରି ସରକାର ନିନ୍ଦିତ ହୋଇଥିଲେ । ରାଜ୍ୟ ସରକାର ୫-ଟି ରୂପାନ୍ତରଣ ଆଳରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳିବା ବନ୍ଦ କରନ୍ତୁ ଏବଂ ଗୁଣାତ୍ମକ ଶିକ୍ଷା ଓ ପ୍ରାଥମିକ ସ୍ତରରୁ ଭିତିଭୂମି ବିକାଶକୁ ଗୁରୁତ୍ୱ ଦିଅନ୍ତୁ ବୋଲି ଶ୍ରୀ ପରିଡା କହିଛନ୍ତି ।

Spread the love