ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ନଖେଳି ଶିକ୍ଷକ ନିଯୁକ୍ତି କରନ୍ତୁ: ତେଜେଶ୍ୱର ପରିଡା

ଭୁବନେଶ୍ୱର, ତା ୨୧/୦୭: ଓଡ଼ିଶା ବିଶ୍ୱବିଦ୍ୟାଳୟମାନଙ୍କରେ ଶିକ୍ଷକ ମରୁଡି । ନାକ୍ ମାନ୍ୟତା ହ୍ରାସ ପାଉଛି ବିଶ୍ୱବିଦ୍ୟାଳୟରେ । ରାଜ୍ୟ ସରକାର ଗବେଷଣା ଓ ଗୁଣାତ୍ମକ ଶିକ୍ଷାକୁ ନେଇ ବାଃ ବାଃ ନେଉଥିବାବେଳେ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ବିଫଳ । ଚଳିତ ବର୍ଷ ୩ଟି ବିଶ୍ୱବିଦ୍ୟାଳୟ ଯଥା ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ୧୪ଟି ବିଭାଗ ପାଇଁ ୪୪୦ସିଟ୍‌, ଓଡ଼ିଆ ବିଶ୍ୱବିଦ୍ୟାଳୟରେ ୩ବିଭାଗ ୭୨ଟି ସିଟ୍ ଓ ଧରଣୀଧର ବିଶ୍ୱବିଦ୍ୟାଳୟ ୧୭ବିଭାଗ ପାଇଁ ୩୦୪ସିଟ୍‌ରେ ଆଡମିସନ ଚାଲିଥିବାବେଳେ ସେଠାରେ ଏପର୍ଯ୍ୟନ୍ତ କୁଳପତି, ଅଧ୍ୟାପକ ଓ ପ୍ରଶାସନିକ ଅଧିକାରୀ ନାହାନ୍ତି । ଉଚ୍ଚଶିକ୍ଷାରେ ଟ୍ରାନ୍ସପରେନ୍ସି ଅଛି କି? ୯୦୦ରୁ ଅଧିକ ପଦ ଖାଲିପଡିଥିଲେ ବି ରାଜ୍ୟ ସରକାର ସେଥିରେ କାହିଁକି ନିଯୁକ୍ତି କରୁନାହାନ୍ତି । ଆଡମିସନ ନେଇଥିବା ଛାତ୍ରଛାତ୍ରୀଙ୍କୁ କିଏ ପାଠ ପଢ଼ାଇବେ? ଗତକାଲି ନୟାଗଡ ଯାଇ କଲେଜକୁ ୫-ଟି କରିବେ ବୋଲି ଘୋଷଣା କରିଥିଲେ କିନ୍ତୁ ଏପଟେ ଉତ୍କଟ ବିଶ୍ୱବିଦ୍ୟାଳୟରେ ୨୫୭ ଅଧ୍ୟାପକ ପଦବି ମଞ୍ଜୁର ରହିଛି ହେଲେ ଅଧ୍ୟାପକ ନାହାନ୍ତି । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ୧୮୨ଟି ଅଧ୍ୟାପକ ପଦବୀରୁ ୮୦ ପଦବି ଖାଲି ପଡିଛି । ରମାଦେବୀ ବିଶ୍ୱବିଦ୍ୟାଳୟରେ ୨୪୫ଅଧ୍ୟାପକ ଆବଶ୍ୟକ ରହିଛି । ସରକାର ୧୩୯ ଅଧ୍ୟାପକ ପଦବିକୁ ମଞ୍ଜୁର କରିଛନ୍ତି ହେଲେ ୬୦ଜଣ ଅଧ୍ୟାପକରେ ପାଠପଢ଼ା ଚାଲିଛି । ଏଠାରେ ୩୨ବିଭାଗରେ ୧୦୩୬ସିଟ୍ ରହିଛି ହେଲେ ୬୦ଜଣ ଅଧ୍ୟାପକରେ କିପରି ପାଠପଢ଼ା ଏବଂ ଗବେଷଣା ହେଉଛି ବୋଲି ରାଜ୍ୟ ମୁଖପାତ୍ର ତେଜେଶ୍ୱର ପରିଡା ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।

ଶ୍ରୀ ପରିଡା କହିଛନ୍ତି ଯେ, ରାଜ୍ୟ ସରକାର ୫-ଟି ଭେଳିକି ବନ୍ଦ କରି ଓଡ଼ିଶାରେ କିଭଳି ଉଚ୍ଚଶିକ୍ଷାର ମାନ ବୃଦ୍ଧି ହେବ ସେ ନେଇ ସମୀକ୍ଷା କରନ୍ତୁ । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ନଖେଳି ଶିକ୍ଷକ ନିଯୁକ୍ତି କରନ୍ତୁ । ରାଜ୍ୟ ସରକାର ପ୍ରାଥମିକ ଓ ଉଚ୍ଚପ୍ରାଥମିକ ଶିକ୍ଷାକୁ ନେଇ ରାଜନୀତି ବନ୍ଦ କରନ୍ତୁ । ୨୩ବର୍ଷ ଶାସନରେ ରହି ରାଜ୍ୟ ସରକାର ଶିକ୍ଷାକୁ ପ୍ରତି ଅବହେଳା କରିବା ଅତ୍ୟନ୍ତ ଲଜ୍ଜ୍ୟା । ୫-ଟି ନାଁରେ ରାଜ୍ୟ ସରକାର ଭେଳିକି ବନ୍ଦ କରି କେଉଁ ବିଶ୍ୱବିଦ୍ୟାଳୟରେ କେତେ ଅଧ୍ୟାପକ, ଅଣ ଅଧ୍ୟାପକ ଓ ଛାତ୍ରଛାତ୍ରୀ ତାହାର ତୁରନ୍ତ ରିପୋର୍ଟ ପ୍ରଦାନ କରନ୍ତୁ । ରାଜ୍ୟ ସରକାର ମିଥ୍ୟା ପ୍ରଚାର ପ୍ରସାର କଲେ ଶିକ୍ଷାର ମାନ ବୃଦ୍ଧି ହେବ ନାହିଁ ବରଂ ବିଶ୍ୱବିଦ୍ୟାଳୟମାନଙ୍କରେ ଶିକ୍ଷକଙ୍କ ନିଯୁକ୍ତି ଆବଶ୍ୟକତା ରହିଛି । ତେଣୁ ରାଜ୍ୟ ସରକାର ମିଥ୍ୟା ଆତ୍ମପ୍ରଚାରରେ ନମାତି ଗୁଣାତ୍ମକ ଶିକ୍ଷା, ପ୍ରଦାନ ପାଇଁ ଆବଶ୍ୟକ ଶିକ୍ଷକ ନିଯୁକ୍ତି ପ୍ରତି ବିଶେଷ ଧ୍ୟାନ ଦେବା ପାଇଁ ଶ୍ରୀ ପରିଡା ଦାବି କରିଛନ୍ତି ।

Spread the love