ପଂଚାୟତ ଗେଟ୍‌ରେ ତାଲା, କାମ ଠପ୍‌, ସରକାର ଶୋଇଛନ୍ତି, ଚିନ୍ତା ନାହିଁ : ତେଜେଶ୍ୱର ପରିଡା

ଭୁବନେଶ୍ୱର,ତା.୨୭/୦୮: ସାରା ରାଜ୍ୟରେ ପଂଚାୟତ ନିର୍ବାହୀ ଅଧିକାରୀମାନଙ୍କ କଲମଛାଡ ଆନ୍ଦୋଳନ ଯୋଗୁଁ ଅଧିକାଂଶ ପଂଚାୟତରେ ଗତ ୧୦ଦିନ ଧରି କାମ ସମ୍ପୂର୍ଣ୍ଣ ଠପ୍ ହୋଇପଡିଛି । ଅନିର୍ଦ୍ଦିଷ୍ଟ କାଳ ପାଇଁ ଚାଲିଥିବା ଏହି ଆନ୍ଦୋଳନକୁ ବନ୍ଦ ନକରି ରାଜ୍ୟ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି । ଖରା ବର୍ଷାରେ ବୃଦ୍ଧ, ବୃଦ୍ଧା, ମହିଳା ଓ ଗରୀବ ଲୋକେ ଦୂରଦୂରାନ୍ତରୁ ପଂଚାୟତ କାର୍ଯ୍ୟାଳୟକୁ ଆସି ଫେରୁଛନ୍ତି । ହରିଶ୍ଚନ୍ଦ୍ର ଯୋଜନାରେ ମୃତକଙ୍କ ପରିବାରକୁ ମିଳୁଥିବା ୩ହଜାର ଟଙ୍କାର ତତ୍‌କାଳ ସହାୟତା ଗତ ୧୦ଦିନରେ ସମ୍ପୂର୍ଣ୍ଣ ବନ୍ଦ । ଓଡ଼ିଶାରେ ମଧୁବାବୁ ପେନସନ ଯୋଜନାରେ ବାର୍ଦ୍ଧକ୍ୟ ଭତା, ବିଧବା ଭତା ଭଳି ସହାୟତାର ପିଛିଲା ଓ ଚଳିତମାସର ପ୍ରାୟ ୩୦ ପ୍ରତିଶତରୁ ଅଧିକ ଭତା ବଂଟନ ହୋଇପାରି ନାହିଁ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପ୍ରଥମ କିସ୍ତି ଜୁଲାଇ ପ୍ରଥମ ସପ୍ତାହରେ ମିଳିଲା ପରେ ପଂଚାୟତ ନିର୍ବାହୀ ଅଧିକାରୀମାନଙ୍କ ଦ୍ୱାରା ହେବାକୁ ଥିବା ଅନ୍‌ଲାଇନ ଜିଓ ଟ୍ୟାଗିଙ୍ଗ ଓ ବିଲ୍ ଫମ୍‌ର୍ ପ୍ରଦାନ ହୋଇପାରୁ ନଥିବାରୁ ଆବାସ ଯୋଜନାର ଲକ୍ଷାଧିକ ହିତାଧିକାରୀ ଦ୍ୱିତୀୟ କିସ୍ତି ଟଙ୍କା ନପାଇବା ଯୋଗୁଁ ‘ଆବାସ’ ତିଆରି ବନ୍ଦ ପଡିଛି । ଆସନ୍ତା ମାସରୁ ଗରୀବ ଲୋକଙ୍କୁ ଭୋକିଲା ରଖିବା ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି । ରାଜ୍ୟରେ ପ୍ରାୟ ୮୦ପ୍ରତିଶତରୁ ଅଧିକ ପଂଚାୟତରେ ପଂଚାୟତ ନିର୍ବାହୀ ଅଧିକାରୀ(ପିଇଓ)ଙ୍କ ଦ୍ୱାରା ପିଡିଏସ୍‌ରେ ଚାଉଳ ସମେତ ବିଭିନ୍ନ ଖାଦ୍ୟ ଶସ୍ୟ ବଂଟନ ହେଉଥିବାରୁ, ଆଗାମୀ ଦିନରେ ଗରୀବ ଲୋକଙ୍କୁ ଏହା କିଭଳି ମିଳିବ ତାହା ଏକ ବଡ ପ୍ରଶ୍ନବାଚୀ ବୋଲି ରାଜ୍ୟ ମୁଖପାତ୍ର ତେଜେଶ୍ୱର ପରିଡା କହିଛନ୍ତି ।

ମନରେଗା କାମରେ ପିଇଓଙ୍କ ବିନା ଓଡ଼ିଶାରେ ନା କୌଣସି କାମ ହେଉଛି ନା ଶ୍ରମିକଙ୍କୁ ମଜୁରୀ ମିଳିପାରୁଛି । ବର୍ଷାଦିନରେ ମନରେଗାରେ ବିଭିନ୍ନ ସ୍ଥାନରେ ହେବାକୁ ଥିବା ବୃକ୍ଷରୋପଣ କାମ ସମ୍ପୂର୍ଣ୍ଣ ବନ୍ଦ । ଫଳରେ ଓଡ଼ିଶାରୁ ବାହାର ରାଜ୍ୟକୁ ଯାଉଥିବା ଦାଦନ ଶ୍ରମିକଙ୍କ ସଂଖ୍ୟା ଗତକିଛି ଦିନ ହେବ ବ୍ୟାପକଭାବେ ବଢ଼ିଛି । ଭାରତୀୟ ଜନତା ପାର୍ଟି ପକ୍ଷରୁ ଭ୍ରଷ୍ଟାଚାରୀ ରାଜ୍ୟ ସରକାରଙ୍କ ବିରୋଧରେ ସାରା ରାଜ୍ୟରେ ଗ୍ରାମ ପଂଚାୟତ ସମ୍ମୁଖରେ ଚାଲିଥିବା ବିକ୍ଷୋଭ ବେଳେ ଅନେକ ଅଭାବନୀୟ ଓ ଦୁଃଖଦ ଦୃଶ୍ୟ ସାମ୍ନାକୁ ଆସୁଛି । ପଂଚାୟତ ଅଧିକାରୀ ଆସୁନଥିବାରୁ ପଂଚାୟତବାସୀ ସରକାରୀ ସେବାରୁ ବଂଚିତ ହୋଇ ଫେରୁଥିବାବେଳେ ପ୍ରଶ୍ନ କରୁଛନ୍ତି ଯେ, ପିଇଓମାନେ ଗଲେ କୁଆଡେ? ପ୍ରତି ସୋମବାର ପଂଚାୟତରେ ହେଉଥିବା ଜନଶୁଣାଣି ବନ୍ଦ ହୋଇଯାଇଛି । ପାଇପ ଯୋଗେ ପିଇବା ପାଣି ଯୋଗାଣ, ଷ୍ଟ୍ରିଟ୍ ଲାଇଟ୍‌, ଅଙ୍ଗନୱାଡି, ସ୍କୁଲ, ସ୍ୱାସ୍ଥ୍ୟକେନ୍ଦ୍ର ଓ ରାସ୍ତାଘାଟର ମରାମତି କାମ ବିନା ପଂଚାୟତ ନିର୍ବାହୀ ଅଧିକାରୀରେ ବନ୍ଦ ହୋଇଯାଇଥିବାରୁ ସାରା ରାଜ୍ୟର ଗ୍ରାମାଂଚଳରେ ଏବେ ନାହିଁ ନଥିବା ଦୁର୍ଦ୍ଦଶା । ଷ୍ଟ୍ରିଟ ଲାଇଟ୍ ମରାମତି ଅଭାବରୁ ହଜାର ହଜାର ଗାଁ ରାସ୍ତା ଏବେ ଅନ୍ଧାରରେ, ସାପ କାମୁଡା ଘଟଣା ରାଜ୍ୟରେ ବଢ଼ିଚାଲିଛି । ପିଇଓ ନଥିବାରୁ ବିଦ୍ୟୁତ୍ ବିଲ୍ ପୈଠ ହୋଇପାରୁ ନାହିଁ, ଫଳରେ ଅନେକ ପାନୀୟ ଜଳ ପ୍ରକଳ୍ପକୁ ବିଦ୍ୟୁତ ବିଭାଗ ବିଜୁଳି ସଂଯୋଗ କାଟି ଦେବାରୁ ଘର ଘରକୁ ଯାଉଥିବା ପିଇବା ପାଣି ବନ୍ଦ ହୋଇଯାଇଥିବା ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଅଭିଯୋଗ ଆସୁଛି । ଏହାସହ ନଳକୂପ ମରାମତି ନହେବାରୁ ଲୋକେ ପୋଖରୀ ଓ ନଦୀ ପାଣି ପିଇବା ପାଇଁ ବାଧ୍ୟ ହେଉଛନ୍ତି । ରାଜ୍ୟ ସରକାର ଏହାର ଜବାବ ରଖନ୍ତୁ । ଗ୍ରାମସଭା ଓ ପଂଚାୟତ ବୈଠକ ଏବେ ବନ୍ଦ । ଗାଁରେ ଚାଲୁଥିବା କାମ କେଉଁଠି ଅଧାପନ୍ତରିଆ ଭାବେ ପଡିରହିଛି ତ କେଉଁଠି ନୂଆ କାମ ଆରମ୍ଭ ହୋଇପାରୁନାହିଁ ବୋଲି ଶ୍ରୀ ପରିଡା କହିଛନ୍ତି ।
ପଂଚାୟତ ନିର୍ବାହୀ ଅଧିକାରୀମାନେ ସାରା ରାଜ୍ୟରେ ଅଗଷ୍ଟ ୭ ରୁ ୧୭ତାରିଖ ପର୍ଯ୍ୟନ୍ତ କଳାବ୍ୟାଚ୍ ପିନ୍ଧି ପ୍ରତିବାଦ କରିବା ପରେ ୧୮ ତାରିଖରୁ କଲମଛାଡ ଓ ୨୩ତାରିଖରୁ ରାଜଧାନୀରେ ବିକ୍ଷୋଭ କରୁଛନ୍ତି । ୬୭୯୪ ପଂଚାୟତରେ ପ୍ରାୟ ୨୬୦୦ରୁ ଅଧିକ ପଂଚାୟତ ନିର୍ବାହୀ ଅଧିକାରୀ ପଦବୀ ଖାଲି ପଡିଛି । ଦୁଇ/ ତିନୋଟି ପଂଚାୟତକୁ ଜଣେ ପିଇଓ କାମ କରୁଥିବାରୁ ସ୍ଥିତି ଅତ୍ୟନ୍ତ ଗମ୍ଭୀର । ସରକାରଙ୍କ ‘ଗୋଟିଏ ପଂଚାୟତକୁ ଜଣେ ନିର୍ବାହୀ ଅଧିକାରୀ’ ଘୋଷଣା ଏବେ ଶୀତଳଭଣ୍ଡାରରେ କାହିଁକି? ପିଇଓମାନଙ୍କ ଆନ୍ଦୋଳନ ଯଥେଷ୍ଟ ପୂର୍ବରୁ ଅବଗତ ଥିଲେ ବି ରାଜ୍ୟ ସରକାର ଚୁପ୍ ବସିବା ଏବଂ ଲକ୍ଷ ଲକ୍ଷ ଗରୀବ ଲୋକଙ୍କୁ ପଂଚାୟତ କାର୍ଯ୍ୟାଳୟରୁ ଫେରିଯିବାକୁ ବାଧ୍ୟ କରି ସେମାନଙ୍କ ଅଧିକାରରୁ ବଂଚିତ କରିବା ଘଟଣା ସରକାରଙ୍କ ମୁଖାଖୋଲି ଦେଇଛି । ପଂଚାୟତରେ ତାଲା କେବେ ଖୋଲିବ, କାର୍ଯ୍ୟ ନିର୍ବାହୀ ଅଧିକାରୀ କେବେ କାର୍ଯ୍ୟରେ ଯୋଗ ଦେବେ ତାହାର ଜବାବ ଦିଅନ୍ତୁ ରାଜ୍ୟ ସରକାର । ନିଜ ରାଜ୍ୟରେ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେବାର ମିଛ ଡିଣ୍ଡିମ ପିଟୁଥିବା ସରକାରରେ ଗ୍ରାମ ପଂଚାୟତ ସ୍ତରରେ ଅଧିକାର ପାଇବାରୁ ବଂଚିତ ହେଉଥିବା ଜନତା ଆଜି ଗାଁ ଗାଁରେ କାନ୍ଦୁଛି ଓ ଉପରୋକ୍ତ ସମସ୍ତ ପ୍ରଶ୍ନର ଉତର ଖୋଜୁଛି । ପଂଚାୟତରେ ଏଭଳି ଦୟନୀୟ ପରିସ୍ଥିତି ଚାଳୁରହିଲେ ସାରା ରାଜ୍ୟରେ ଏକ ଭୟାନକ ଓ ବିସ୍ପୋରକ ପରିସ୍ଥିତି ସୃଷ୍ଟି ହେବ । ପ୍ରତ୍ୟେକ ଗାଁରୁ ସାଧାରଣ ଲୋକଙ୍କର ଦୟନିୟ ସ୍ଥିତିକୁ ରାଜ୍ୟ ସରକାର ନିଜ ଆଖି ଖୋଲା ରଖି ଦେଖନ୍ତୁ ଓ କାନ ଖୋଲା ରଖି ସେମାନଙ୍କ ସ୍ୱର ଶୁଣନ୍ତୁ ବୋଲି ଶ୍ରୀ ପରିଡା କହିଛନ୍ତି ।

Spread the love