ଭସାଣି ପାଇଁ BMCର ସ୍ୱତନ୍ତ୍ର ପ୍ରସ୍ତୁତି, ଖନନ ହେଲା ଅସ୍ଥାୟୀ ପୋଖରୀ

ଭୁବନେଶ୍ୱର: ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା ପାଇଁ ରାଜଧାନୀର ବିଭିନ୍ନ ମଣ୍ଡପରେ ଚାଲିଛି ଜୋରଦାର ପ୍ରସ୍ତୁତି । ଚଳଚଞ୍ଚଳ ରାଜଧାନୀ ଭୁବନେଶ୍ଵର । ଆସନ୍ତାକାଲି ଗଣେଶ ପୂଜା । ତା’ ପରେ ଆରମ୍ଭ ହୋଇଯିବ ମୂର୍ତ୍ତି ବିସର୍ଜନ । ପ୍ରତିବର୍ଷ କୁଆଖାଇ ଏବଂ ଦୟା ନଦୀରେ ଅଧିକ ମୂର୍ତ୍ତି ବିସର୍ଜନ ହେଉଛି । ମୂର୍ତ୍ତିରେ ବ୍ୟବହୃତ ନଡା ଓ କେମିକାଲ ପାଣିରେ ମିଶିବା ଦ୍ବାରା ଜଳ ପ୍ରଦୂଷଣ ହେଉଛି । ଏହାକୁ ରୋକିବାକୁ ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ପୂର୍ବ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଭିନ୍ନ ସ୍ଥାନରେ ଅସ୍ଥାୟୀ ପୋଖରୀ ଖନନ କରାଯାଇଛି । ଖାସ କରି ମୂର୍ତ୍ତି ବିସର୍ଜନ ପାଇଁ ସତନ୍ତ୍ର ପୋଖରୀ ଖୋଳାଯାଇଛି ।

ବଡ ବଡ ମୂର୍ତ୍ତି ହାଇଡ୍ରା ସହାୟତାରେ ଗାଡିରୁ ଉଠାଇ ପୋଖରୀରେ ବିସର୍ଜନ କରାଯିବାର ବ୍ୟବସ୍ଥା ମଧ୍ୟ କରାଯାଇଛି । ଅଧିକାଂଶ ମୂର୍ତ୍ତି ରାତିରେ ବିସର୍ଜନ ହେଉଥିବାରୁ ଯେ କୌଣସି ପ୍ରକାର ଦୁର୍ଘଟଣାକୁ ଏଡାଇବା ପାଇଁ ପୋଖରୀ ଚାରିପାଖରେ ଆଲୋକୀକରଣର କରାଯାଇଛି । ଟଙ୍କପାଣି ବିଜ୍ ନିକଟରେ ଗୋଟିଏ ଅସ୍ଥାୟୀ ପୋଖରୀ ଖୋଳାଯାଇଛି । ଏହି ପୋଖରୀର ଦୈର୍ଘ୍ୟ ୨୬ ମିଟର, ପ୍ରସ୍ଥ ୧୬ ମିଟର ହୋଇଥିବା ବେଳେ ଏହାର ଗଭୀରତା ୩ ମିଟର ହୋଇଛି । ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ଵ ବିଦ୍ୟାଳୟ, ଗଣେଶ ପୂଜା ମଣ୍ଡପ, ବିଭିନ୍ନ ଅନୁଷ୍ଠାନ ଓ କ୍ଲବର କର୍ମକର୍ତ୍ତାଙ୍କ ସହ ସାଧାରଣ ନାଗରିକମାନେ ଏହି ଅସ୍ଥାୟୀ ପୋଖରୀରେ ମୂର୍ତ୍ତି ବିସର୍ଜନ କରିବା ପାଇଁ ବିଏମସି ପକ୍ଷରୁ ଅନୁରୋଧ କରାଯାଇଛି ।

Spread the love