ଟେନିସ୍‌ ଇତିହାସ ରଚିଲେ ସୁମିତ, କ୍ବାର୍ଟରରେ ଅଟକିଲେ ମିଶ୍ରିତ ଯୁଗଳ ତୀରନ୍ଦାଜି ଦଳ

ଟେନିସ୍‌ ଇତିହାସ ରଚିଲେ ସୁମିତ, କ୍ବାର୍ଟରରେ ଅଟକିଲେ ମିଶ୍ରିତ ଯୁଗଳ ତୀରନ୍ଦାଜି ଦଳ

ବିଶ୍ବର ୩ ନମ୍ବର ଯୋଡ଼ିଙ୍କୁ ମାତ୍‌ ଦେଲେ ଚିରାଗ-ସାତ୍ବିକ

ଟୋକିଓ: ଭାରତୀୟ ଟେନିସ ତାରକା ସୁମିତ ନଗଲ ଟୋକିଓ ଅଲିମ୍ପିକ୍ସରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ଶନିବାର ପୁରୁଷ ଏକକରେ ୨୫ ବର୍ଷୀୟ ସୁମିତ ୨ ଘଣ୍ଟା ୩୪ ମିନିଟ୍‌ର ସଂଘର୍ଷ ପରେ ୬-୪, ୬-୭ (୬), ୬-୪ ସେଟ୍‌ରେ ଉଜବେକିସ୍ତାନର ଡେନିସ ଇସ୍ତୋମିନଙ୍କୁ ପରାସ୍ତ କରିଥିଲେ। ୨୫ ବର୍ଷ ପରେ ପ୍ରଥମ ଭାରତୀୟ ଭାବେ ଏକକ ବର୍ଗରେ ଦ୍ବିତୀୟ ରାଉଣ୍ଡରେ ପହଞ୍ଚି ସୁମିତ ଇତିହାସ ରଚିଛନ୍ତି। ଅଲିମ୍ପିକ୍ସ ଟେନିସ୍‌ର ପୁରୁଷ ଏକକ ବର୍ଗରେ ଦ୍ବିତୀୟ ରାଉଣ୍ଡରେ ପହଞ୍ଚିବାରେ ମଧ୍ୟ ସେ ତୃତୀୟ ଭାରତୀୟ ହୋଇଛନ୍ତି। ଜୀସାନ ଅଲ୍ଲୀ ପ୍ରଥମ ଭାରତୀୟ ଭାବେ ୧୯୮୮ ସିଓଲ କ୍ରୀଡ଼ାରେ ପ୍ରଥମ ରାଉଣ୍ଡ ଅତିକ୍ରମ କରିଥିଲେ। ତାଙ୍କ ପରେ ଲିଆଣ୍ଡର ପେସ୍‌ ୧୯୯୬ ଆଟ୍‌ଲାଣ୍ଟାରେ ଏହି ଗୌରବ ପାଇଥିଲେ। ଏଥିସହ ପେସ୍‌ ମଧ୍ୟ ଏହି ଅଲିମ୍ପିକ୍ସରେ ‌କାଂସ୍ୟ ପଦକ ଜିତି ଟେନିସ୍‌ରେ ଭାରତ ପାଇଁ ପ୍ରଥମ ପଦକ ଜିତିଥିଲେ। ଏହା ହିଁ ଭାରତର ଅଲିମ୍ପିକ୍ସ ‌ଟେନିସରେ ଏକମାତ୍ର ପଦକ ରହିଆସିଛି। ଦ୍ବିତୀୟ ରାଉଣ୍ଡରେ ସୁମିତ ଦ୍ବିତୀୟ ମାନ୍ୟତାପ୍ରାପ୍ତ ରୁଷିଆର ଡାନିଲ ମେଦଭେଦେଭଙ୍କୁ ଭେଟିବେ।

ବିଶ୍ବର ୩ ନମ୍ବର ଯୋଡ଼ିଙ୍କୁ ମାତ୍‌ ଦେଲେ ଚିରାଗ-ସାତ୍ବିକ

ଭାରତୀୟ ପୁରୁଷ ବ୍ୟାଡ୍‌ମିଣ୍ଟନ ଯୋଡ଼ି ଚିରାଗ ସେଟ୍ଟୀ ଓ ସାତ୍ବିକ ସାଇରାଜ ରାଙ୍କିରେଡ୍ଡୀ ଯୁଗଳ ମୁକାବିଲାରେ ବିଶ୍ବର ୩ ନମ୍ବର ଯୋଡ଼ି ୟାଙ୍ଗ ଲି ଓ ଚି-ଲିନ୍‌ ୱାଙ୍ଗଙ୍କୁ ମାତ୍ ଦେଇ ଚମତ୍କାର ଢଙ୍ଗରେ ଟୋକିଓ ଅଲିମ୍ପିକ୍ସ ଅଭିଯାନ ଆରମ୍ଭ କରିଛନ୍ତି। ଶନିବାର ଗ୍ରୁପ୍‌-ଏ’ର ପ୍ରଥମ ମ୍ୟାଚ୍‌ରେ ଦଶମ ମାନ୍ୟତାପ୍ରାପ୍ତ ଏହି ଭାରତୀୟ ‌ଯୋଡ଼ି ୨୧-୧୬, ୧୬-୨୧, ୨୭-୨୫ରେ ଚାଇନିଜ୍‌ ତାଇପେର ୟାଙ୍ଗ ଓ ୱାଙ୍ଗ୍‌ଙ୍କୁ ପରାସ୍ତ କରିଥିଲେ। ଅନ୍ୟପକ୍ଷରେ ପୁରୁଷ ଏକକରେ ବି ସାଇ ପ୍ରଣୀତ ଆରମ୍ଭରୁ ପରାଜୟ ମୁହଁ ଦେଖିଛନ୍ତି। ଗ୍ରୁପ୍‌-ଡି’ର ପ୍ରଥମ ମ୍ୟାଚ୍‌ରେ ୨୦୧୯ ବିଶ୍ବ ଚାମ୍ପିଅନ୍‌ସିପ୍‌ କାଂସ୍ୟ ବିଜେତା ପଞ୍ଚଦଶ ମାନ୍ୟତାପ୍ରାପ୍ତ ପ୍ରଣୀତ ୧୭-୨୧, ୧୫-୨୧ରେ ନିଜଠୁ କମ୍‌ ମାନ୍ୟତାପ୍ରାପ୍ତ ଖେଳାଳି ଇସ୍ରାଇଲର ମିଶା ଜିବରମାନ୍‌ (୪୭)ଙ୍କଠୁ ହାରି ଯାଇଥିଲେ। ପ୍ରଣୀତ ପରବର୍ତ୍ତୀ ମ୍ୟାଚ୍‌ରେ ୨୯ ମାନ୍ୟତାପ୍ରାପ୍ତ ନେଦରଲାଣ୍ଡର ମାର୍କ ଜାଲଜୋଉଙ୍କୁ ଭେଟିବେ।

କ୍ବାର୍ଟରରେ ଅଟକିଲେ ମିଶ୍ରିତ ଯୁଗଳ ତୀରନ୍ଦାଜି ଦଳ
ଭାରତୀୟ ମିଶ୍ରିତ ଯୁଗଳ ତୀରନ୍ଦାଜି ଯୋଡ଼ି ଦୀପିକା କୁମାରୀ ଏବଂ ପ୍ରବୀଣ ଯାଦବ ଚଳିତ ଟୋକିଓ ଅଲିମ୍ପିକ୍ସରେ ପଦକ ଜିତିବାରେ ବିଫଳ ହୋଇଛନ୍ତି। ରୢାଙ୍କିଂ ରାଉଣ୍ଡରେ ନବମ ସ୍ଥାନ ପାଇଥିବା ଦୀପିକା-ପ୍ରବୀଣ ଯୋଡ଼ି ପ୍ରଥମ ରାଉଣ୍ଡରେ ଚାଇନିଜ୍‌ ତାଇପେ ଯୋଡ଼ିଙ୍କୁ ୫-୩ରେ ହରାଇ କ୍ବାର୍ଟର ଫାଇନାଲ୍‌ରେ ପହଞ୍ଚିଥିଲେ। ହେଲେ କ୍ବାର୍ଟର ଫାଇନାଲ୍‌ରେ ଏହି ଭାରତୀୟ ଯୋଡ଼ି ୨-୬‌ରେ ଶୀର୍ଷ ମାନ୍ୟତାପ୍ରାପ୍ତ କୋରିଆ ଯୋଡ଼ି ଆନ୍‌ ସାନ୍‌ ଓ କିମ୍‌ ଜେ ଟୁକ୍‌ଙ୍କଠୁ ହାରିଯାଇଥିଲେ।

ସପ୍ତମରେ ସୌରଭ, ଫାଇନାଲ୍‌ ପୂର୍ବରୁ ଅଭିଷେକ,ଏଲାଭେନିଲ, ଅପୂର୍ବୀ ବିଦା
ବନ୍ଧୁକଚାଳନାରେ ସବୁଠୁ ଅଧିକ ପଦକ ଅଶା ରଖିଥିବା ଭାରତୀୟ ଖେଳାଳିମାନେ ଶନିବାର ନୈରାଶ୍ୟ ଜନକ ପ୍ରଦର୍ଶନ କରିଛନ୍ତି। ମହିଳା ୧୦ ମିଟର ଏୟାର ରାଇଫଲ‌ର ଯୋଗ୍ୟତା ପର୍ଯ୍ୟାୟରୁ ଦୁଇ ଭାରତୀୟ ବନ୍ଧୁକ ଚାଳିକା ଅପୂବୀ ଚାନ୍ଦିଲା ଏବଂ ଏଲାଭେନିଲ ଭାଲାରିଭାନ ବିଦାୟ ନେଇଛନ୍ତି। ଏହି ପର୍ଯ୍ୟାୟରେ ଅଲିମ୍ପିକ୍ସ ପଦାର୍ପଣ କରିଥିବା ବିଶ୍ବର ଏକ ନମ୍ବର ଏଲାଭେନିଲ (୬୨୪.୫) ୧୬ତମ ସ୍ଥାନରେ ଏବଂ ଅଭିଜ୍ଞ ଅପୂର୍ବୀ (୬୨୧.୯) ୩୬ତମ ସ୍ଥାନରେ ରହି ଫାଇନାଲ୍‌ ସ୍ଥାନ ପକ୍କା କରିବାରେ ବିଫଳ ହୋଇଥିଲେ। ଦୁଇ ଥର ବିଶ୍ବ କପ୍‌ ସ୍ବର୍ଣ୍ଣ ବିଜୟିନୀ ଅପୂର୍ବୀ ୨୦୧୬ ରିଓ ଅଲିମ୍ପିକ୍ସରେ ୩୪ ତମ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲେ।

ପୁରୁଷ ୧୦ ମିଟର ଏୟାର ପିସ୍ତଲରେ ଦୁଇ ଜଣ ଭାରତୀୟ ଅଂଶଗ୍ରହଣ କରିଥିଲେ। ଯୋଗ୍ୟତା ପର୍ଯ୍ୟାୟରେ ସୌରଭ ଚୌଧୁରୀ ୫୮୬ ପଏଣ୍ଟ୍‌ ସହ ଶୀର୍ଷ ସ୍ଥାନ ଦଖଲ କରି ଫାଇନାଲ୍‌ ପହଞ୍ଚିଥିଲେ। ୫୭୫ ପଏଣ୍ଟ୍‌ ପାଇ ଅଭିଷେକ ବର୍ମା ୧୭ତମ ସ୍ଥାନରେ ରହି ଫାଇନାଲ୍‌ ପୂର୍ବରୁ ବିଦାୟ ନେଇଥିଲେ। ‌ ୧୯ ବର୍ଷୀୟ ସୌରଭ କିନ୍ତୁ ଫାଇନାଲ୍‌ ପୂର୍ବ ପ୍ରଦର୍ଶନ ଦୋହରାଇ ପାରିନଥିଲେ। ସେ ୧୩୭.୪ ପଏଣ୍ଟ ପାଇ ୮ ଜଣ ଫାଇନାଲିଷ୍ଟଙ୍କ ମଧ୍ୟରେ ସପ୍ତମ ସ୍ଥାନରେ ରହି ପଦକ ଅର୍ଜନ କରିବାରେ ବିଫଳ ହୋଇଥିଲେ।

Spread the love