ଡେଲ୍‌ଟା ଛକରେ ଆତଙ୍କ

ଭୁବନେଶ୍ବର : ଦୁର୍ଘଟଣାକୁ କେନ୍ଦ୍ର କରି ଡେଲ୍‌ଟା ଛକରେ ପାଖାପାଖି ୪୫ ମିନିଟ୍‌ ଆତଙ୍କ ଖେଳାଇବା ଘଟଣାରେ ଖଣ୍ଡଗିରି ଥାନା ପୁଲିସ୍‌ ଆଜି ୪ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ, ନୟାଗଡ଼ ଓଡ଼ଗାଁର ଦୁଇ ଭାଇ ସୁଶୀଲ ବାରିକ(୨୬) ଓ ସୁଧୀର ବାରିକ(୨୮), ଭଦ୍ରକ ଧୁଷୁରୀର ବିଶ୍ବଜିତ ରାଉତ(୨୨), ବଲାଙ୍ଗୀର ଚିମ୍‌ନିପଡ଼ାର ରାଜୁ ପ୍ରଧାନ(୩୦)। ଅଭିଯୁକ୍ତମାନଙ୍କ ପାଖରୁ ପୁଲିସ୍‌ ଗୋଟିଏ ବୁଲେଟ୍ ଗାଡ଼ି, ସ୍କୁଟି ଓ ୪ଟି ମୋବାଇଲ୍‌ ଜବତ କରିଛି। ଅପରପକ୍ଷେ ମୁଖ୍ୟ ଅଭିଯୁକ୍ତ ନୟାଗଡ଼ ଓଡ଼ଗାଁର ବାପି ସମେତ ରଂଜନ, ସତ୍ୟ ଭଳି ଆଉ ୫ ଅଭିଯୁକ୍ତ ଫେରାର୍‌ ଅଛନ୍ତି। ସେମାନଙ୍କୁ ଧରିବା ପାଇଁ ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଛି। ପୁଲିସ୍‌ ସୂଚନାନୁଯାୟୀ, ଧରାପଡ଼ିଥିବା ସୁଶୀଲ ଓ ସୁଧୀରର ଭାଇ ହେଉଛି ବାପି। ୩ ଭାଇଙ୍କ ସମେତ ଆଉ କିଛି ଯୁବକ ମିଶି ଗତକାଲି ସଂଧ୍ୟାରେ ଡେଲ୍‌ଟା ଛକରେ ଖଣ୍ଡା, ହକିଷ୍ଟିକ୍‌, ଲୁହାରଡ୍‌ ବୁଲାଇ ଆତଙ୍କ ଖେଳାଇ ଥିଲେ। ଏହାସହ ଘଟଣାସ୍ଥଳରେ ଥିବା ଏକ ସ୍କର୍ପିଓରେ ନିଆଁ ଲଗାଇ ଦେଇଥିଲେ।

ସୂଚନାନୁଯାୟୀ, ଅଭିଯୋଗକାରୀ ନୟାଗଡ଼ ରଣପୁରର ଅକ୍ଷୟ କୁମାର ନାୟକ ପାତ୍ରପଡ଼ା ଅଞ୍ଚଳରେ ରୁହନ୍ତି। ତାଙ୍କର ଏକ ଟ୍ରାଭେଲ୍‌ ଏଜେନ୍ସି ଅଛି। ଅକ୍ଷୟଙ୍କ ପାଖରେ ମୁଖ୍ୟ ଅଭିଯୁକ୍ତ ବାପିର ବଡ଼ ଭାଇ ସୁଶୀଲ କାମ କରୁଥିଲା। ସେ କିଛି ମାସ କାମ କରିଥିଲେ ହେଁ ଅକ୍ଷୟ ତାଙ୍କୁ ଟଙ୍କା ନ ଦେଇ ବାହାର କରି ଦେଇଥିଲେ। ତେଣୁ ସୁଶୀଲ ତା’ର ୨ଭାଇ ବାପି ଓ ସୁଧୀର ସମେତ ଏକାଧିକ ସହଯୋଗୀଙ୍କୁ ନେଇ କିଛି ଦିନ ତଳେ ଅକ୍ଷୟ ରହୁଥିବା ପାତ୍ରପଡ଼ାସ୍ଥିତ ଘରେ ଝଗଡ଼ା କରିଥିଲା। ଅକ୍ଷୟ ଟଙ୍କା ଦେଇଦେବେ ବୋଲି ପ୍ରତିଶ୍ରୁତି ଦେବାରୁ ସେମାନେ ସେଠାରୁ ପଳାଇ ଆସିଥିଲେ। କିନ୍ତୁ ଏହା ପରେ ବି ଟଙ୍କା ଦେଇ ନଥିଲେ। ତେଣୁ ସେମାନେ ଅକ୍ଷୟଙ୍କୁ ପାନେ ଦେବାକୁ ସୁଯୋଗ ଖୋଜୁଥିଲେ।

ଗତକାଲି ଅକ୍ଷୟଙ୍କ ଚାଳକ ସନ୍ତୋଷ କୁମାର ତାରେଣିଆ ସ୍କର୍ପିଓ (ଓଡି ୦୨ବିକେ-୧୧୧୫) ନେଇ ରାଜମହଲରୁ ଉଦୟଗିରି ବିହାର ଆଡ଼େ ଆସୁଥିଲେ। ଦୁର୍ଭାଗ୍ୟକୁ ସ୍କର୍ପିଓଟି ଡେଲ୍‌ଟା ଛକରେ ସୁଶୀଲର ସ୍କୁଟିକୁ ଧକ୍କା ଦେଇଥିଲା। ସ୍କୁଟି କିମ୍ବା ସୁଶୀଲର କିଛି କ୍ଷୟକ୍ଷତି ହୋଇନଥିଲେ ହେଁ ଅକ୍ଷୟଙ୍କୁ ପାନେ ଦେବା ପାଇଁ ଏକ ସୁଯୋଗ ବୋଲି ଭାବି ନେଇଥିଲା। ଗାଡ଼ି କାହିଁକି ଧକ୍କା କଲୁ କହି ସୁଶୀଲ ପ୍ରଥମେ ସନ୍ତୋଷକୁ ଧମକଚମକ ଦେଇଥିଲା। ପରେ ତା’ ଭାଇ ଓ ସେଠାରେ ଦୋକାନ କରିଥିବା କିଛି ସହଯୋଗୀଙ୍କୁ ଘଟଣାସ୍ଥଳକୁ ଡାକି ଆଣିଥିଲା। ସନ୍ତୋଷ ଭୟରେ ଗାଡ଼ି ଛାଡ଼ି ଫେରାର୍ ହୋଇଯିବା ପରେ ଦୁର୍ବୃତ୍ତମାନେ କାର୍‌ କାଚକୁ ପଥର ଓ ଲୁହାରଡ୍‌ରେ ପିଟି ଗୁଣ୍ଡ କରି ଦେଇଥିଲେ। ସେଠାରେ ଉପସ୍ଥିତ କିଛି ଲୋକ ଏହାର ଭିଡିଓ କରିବାରୁ ଅଭିଯୁକ୍ତମାନଙ୍କ ରାଗ ପଞ୍ଚମକୁ ଚଢ଼ି ଯାଇଥିଲା।

ଅଭିଯୁକ୍ତମାନେ ଅଶ୍ଲୀଳ ଗାଳିଗୁଲଜ କରିବା ସହ ସେମାନଙ୍କୁ ଖଣ୍ଡା, ଭୁଜାଲି, ହକିଷ୍ଟିକ୍‌ ଆଦି ବୁଲାଇ ଲୋକଙ୍କୁ ଭୟଭୀତ କରାଇଥିଲେ। ଏହାସହ ସ୍କର୍ପିଓରେ ନିଆଁ ଲଗାଇ ଦେଇଥିଲେ। ଗାଡ଼ିର ଟାଙ୍କି ନିଆଁ ଧରିଯିବାରୁ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା। ଏ ସବୁ ଦୃଶ୍ୟର ଭିଡିଓ କରୁଥିବା ଏକ ଟ୍ରାଫିକ୍ କର୍ମଚାରୀଙ୍କୁ ମଧ୍ୟ ସେମାନେ ଲୁହା ରଡ୍‌ରେ ଆକ୍ରମଣ କରି ତାଙ୍କ ମୋବାଇଲ୍‌ ଛଡ଼ାଇ ନେଇଥିଲେ। ଦମକଳ ଗାଡ଼ି ଆସି ନିଆଁ ଲିଭାଇବାକୁ ଚେଷ୍ଟା କରିବାରୁ ଅଭିଯୁକ୍ତମାନେ ସେମାନଙ୍କୁ ଆକ୍ରମଣ କରିବାକୁ ଗୋଡ଼ାଇଥିଲେ। ତେବେ ଖଣ୍ଡଗିରି ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଯିବାରୁ ସେମାନେ ଫେରାର୍‌ ହୋଇଯାଇଥିଲେ।

ଅପରାଧୀଙ୍କ ଦୋକାନ ଉଚ୍ଛେଦର କିଛି ପ୍ରମୁଖ ଘଟଣା

କେବିଏନ୍ ଗ୍ୟାଙ୍ଗ୍‌ର ଏକାଧିକ ସଦସ୍ୟଙ୍କ ଘର ଉଚ୍ଛେଦ

ଖଣ୍ଡା, ଭୁଜାଲି ଓ ବନ୍ଧୁକ ଦେଖାଇ ରାଜଧାନୀରେ ଆତଙ୍କ ଖେଳାଇଥିବା କେବିଏନ୍ ଗ୍ୟାଙ୍ଗ୍‌ର କାରନାମା ଗତ ଅକ୍ଟୋବର ମାସରେ ପଦାକୁ ଆସିଥିଲା। ଗାଡ଼ି ସାଇଡ୍‌ମରାକୁ କେନ୍ଦ୍ର କରି ସିଆର୍‌ପି ଛକରେ କେବିଏନ୍ ଗ୍ୟାଙ୍ଗ୍‌ର ପ୍ରାୟ ୩୦ରୁ ଅଧିକ ଯୁବକ ଆତଙ୍କ ଖେଳାଇଥିଲେ। ଏହା ପରେ ସେମାନଙ୍କର ଛାତିଥରା ଭିଡିଓ ସାମ୍ନାକୁ ଆସିଥିଲା। ଭିଡିଓ ଦେଖି ପୁଲିସ ଦେହ ଶିହିରି ଉଠିଥିଲା। ଏଥିରୁ ପୁଲିସ ଗ୍ୟାଙ୍ଗ୍ ସଦସ୍ୟଙ୍କ ମାନସିକତା ମାପି ଦେଇଥିଲା। ପରେ ଗ୍ୟାଙ୍ଗ୍‌ର ସଦସ୍ୟ ସଂଜୟ, ସନିଆ, ଚେଙ୍ଗର ଘର ଉଚ୍ଛେଦ କରିଥିବା ବେଳେ ବୁବୁ ଘରେ ଚଢ଼ଉ କରି ମାରଣାସ୍ତ୍ର ଜବତ କରିଥିଲା।

କଟୁରି ଗ୍ୟାଙ୍ଗ୍‌ର ମୁଖ୍ୟ ରାଜେଶ ଘର ଉଚ୍ଛେଦ

ଗତ ଏପ୍ରିଲ୍ ମାସରେ ପୁଲିସ ଗଙ୍ଗନଗରସ୍ଥିତ ପିଚୁପଡ଼ିଆ ବସ୍ତିରେ ରହୁଥିବା ରାଜେଶ ମହାପାତ୍ର ଘରେ ଚଢ଼ଉ କରିଥିଲ। ଚଢ଼ଉ ପୂର୍ବର ସୂଚନା ପାଇ ରାଜେଶ ସେଠାରୁ ଚମ୍ପଟ୍ ମାରିଥିଲା। ପରେ ପୁଲିସ ତା’ ଘରେ ମେଟାଲ୍ ଡିଟେକ୍ଟର୍ ଦ୍ବାରା ଯାଞ୍ଚ୍ କରି ଏକାଧିକ ଖଣ୍ଡା, କଟୁରି, ବନ୍ଧୁକ ଆଦି ଜବତ କରିଥିଲା।

ନିଶା ବିକୁଥିବାରୁ ଦମ୍ପତିଙ୍କ ଦୋକାନ ଭାଙ୍ଗିଲା

ନିକଟରେ ନୂଆପଲ୍ଲୀ ଥାନା ପୁଲିସ ସାଲିଆସାହି ଆଦିବାସୀ ଗାଁରୁ ଦିଲ୍ଲୀପ ବରାଳ ଓ ତାଙ୍କ ପତ୍ନୀଙ୍କ ପାଖରୁ ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ କରିଥିଲା। ଦିଲ୍ଲୀପ ଓ ତାଙ୍କ ପତ୍ନୀ ସେଠାରେ ଏକ ଚା’ ଦୋକାନ ଦେଇ ଭିତରେ ବ୍ରାଉନସୁଗାର ବିକୁଥିବା ପୁଲିସ ସୂଚନା ଦେଇଥିଲା। ପରେ ତାକୁ ଗିରଫ କରି ତା’ ଦୋକାନ ଉଚ୍ଛେଦ କରିଥିଲା।

ଅପରାଧୀଙ୍କ ପାଇଁ ସତର୍କ ଘଣ୍ଟି

ସାମାନ୍ୟ ଦୁର୍ଘଟଣା ପାଇଁ ଗାଡ଼ି ପୋଡ଼ିବା ସହ ସର୍ବସାଧାରଣ ସ୍ଥାନରେ ଆତଙ୍କ ଖେଳାଇବା ଘଟଣାକୁ କମିସନରେଟ୍‌ ପୁଲିସ ଗୁରୁତ୍ବର ସହ ନେଇଛି। ଏହି ଘଟଣାରେ ସଂଶ୍ଲିଷ୍ଟ ଅଭିଯୁକ୍ତମାନଙ୍କ ଦୋକାନକୁ ଆଜି ପୁଲିସ୍‌ ଭାଙ୍ଗି ଦେଇଛି। ଅଭିଯୁକ୍ତମାନେ ସରକାରୀ ଜାଗାରେ ବେଆଇନ୍ ଭାବେ ପ୍ରାୟ ୫ଟି ଫୁଡ୍ କୋର୍ଟ ଏବଂ ଏକ ଫୁଲ ଦୋକାନ କରିଥିଲେ। ପୁଲିସ ସୂଚନା ଅନୁସାରେ, ଅଭିଯୁକ୍ତମାନେ ନାମକୁ ମାତ୍ର ସେଠାରେ ଦୋକାନ କରିଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଆଡ଼ା ଜମାଇବା, କେବିଏନ୍‌ ଗ୍ୟାଙ୍ଗର ଅପରାଧୀମାନଙ୍କୁ ଖଟି କରିବା ପାଇଁ ପ୍ରଶ୍ରୟ ଦେବା, ନିଶା କାରବାର, ପତିଆରା ଜାହିର କରିବା ଆଦି ସେମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ତେଣୁ ପୁଲିସ୍‌ ଆଜି ଉକ୍ତ ଦୋକାନଗୁଡ଼ିକୁ ଭାଙ୍ଗି ଅପରାଧୀଙ୍କୁ ଏକପ୍ରକାରର ସତର୍କ ଘଣ୍ଟି ଦେଇଛି।

Spread the love