ପ୍ରଧାନମନ୍ତ୍ରୀ ଏବଂ ରେଳମନ୍ତ୍ରୀଙ୍କୁ ଓଡ଼ିଶାବାସୀଙ୍କ ତରଫରୁ ଧନ୍ୟବାଦ ଜଣାଇଲେ ରାଜ୍ୟ ସଭାପତି ମନମୋହନ ସାମଲ

ଭୁବନେଶ୍ୱର, ତା.୨୪/୦୯: ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ରେଳବାଇ କ୍ଷେତ୍ରରେ ସର୍ବଦା ଅବହେଳିତ ହୋଇ ଆସୁଥିବା ଓଡିଶାର ଭାଗ୍ୟ ବଦଳିଛି । ବିଶେଷ ଭାବେ ରେଳବାଇ ବିକାଶ କ୍ଷେତ୍ରରେ ମୋଦି ସରକାରଙ୍କ ଅବଦାନ ଅତୁଳନୀୟ । ରେଳଯାତ୍ରୀଙ୍କ ସୁବିଧା ଓ ଗମନାଗମନ ସହିତ ରେଳବାଇ ପରିବହନ ବ୍ୟବସ୍ଥାକୁ ଆହୁରି ଅଧିକ ସୁଦୃଢ କରିବା ପାଇଁ ଗତ ୯ ବର୍ଷରେ ମୋଦି ସରକାର ଓଡିଶାକୁ ପର୍ଯ୍ୟାପ୍ତ ପରିମାଣର ଆର୍ଥୀକ ଅନୁଦାନ ଦେଇଛନ୍ତି । ରେଳ ବଜେଟରେ ୨୦୧୪ ମସିହାରୁ କ୍ରମାଗତ ଭାବେ ଓଡିଶାର ଅନୁଦାନ ବୃଦ୍ଧି ପାଇଚାଲିଛି । ୨୦୦୯ରୁ ୨୦୧୪ ଭିତରେ ଓଡିଶାକୁ ହାରାହାରି ୮୩୮ କୋଟି ଟଙ୍କା ଥିବାବେଳେ ଚଳିତ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୧୦୦୧୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ରାଜ୍ୟର ୫୭ଟି ରେଳଷ୍ଟେସନକୁ ଅମୃତ ଭାରତ ଷ୍ଟେସନରେ ଅନ୍ତର୍ଭୁକ୍ତ କରାଯାଇଛି । ବର୍ତମାନ ରାଜ୍ୟର ପ୍ରତ୍ୟେକ ଜିଲ୍ଲାକୁ ରେଳପଥ ସହ ସଂଯୋଗ କରାଯିବାର କାର୍ଯ୍ୟ ଦୃତ ଗତିରେ ଆଗେଇ ଚାଲିଛି । ଆଜି ରାଜ୍ୟ ରେଳସେବା କ୍ଷେତ୍ରରେ ଆଉ ଏକ ନୂତନ ଫର୍ଦ୍ଦ ଯୋଡି ହୋଇଛି । ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୈାଶଳରେ ନିର୍ମିତ ଦେଶର ଦୃତଗାମୀ ଟ୍ରେନ “ବନ୍ଦେ ଭାରତ ଏକ୍ସପ୍ରେସ୍‌”ର ଦ୍ୱିତୀୟ ଟ୍ରେନ ସେବା ଆଜି ପୁରୀ ରୁ ରାଉରକେଲା ଆରମ୍ଭ ହୋଇଛି । ଏହା ଦ୍ୱାରା ଉପକୁଳ, ମଧ୍ୟ ଓ ପଶ୍ଚିମ ଓଡିଶାବାସୀଙ୍କ ପାଇଁ ଗମନାଗମନ ବ୍ୟବସ୍ଥା ଆହୁରି ସୁଦୃଢ ହୋଇପାରିବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲ ମାଧ୍ୟମରେ ଯୋଡି ହୋଇ ଏକକାଳୀନ ୯ଟି “ବନ୍ଦେ ଭାରତ ଏକ୍ସପ୍ରେସ୍‌” ଟ୍ରେନ ଚଳାଚଳର ଶୁଭାରମ୍ଭ କରିଛନ୍ତି । ଓଡିଶାକୁ ଦ୍ୱିତୀୟ “ବନ୍ଦେ ଭାରତ ଏକ୍ସପ୍ରେସ୍‌” ଚଳାଚଳର ପ୍ରତିଶୃତି ବହୁ ଶୀଘ୍ର ପୁରଣ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଓଡ଼ିଶାବାସୀଙ୍କ ତରଫରୁ ରାଜ୍ୟ ସଭାପତି ଶ୍ରୀ ସାମଲ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି ।

Spread the love