ଆରମ୍ଭ ହୋଇଛି ମା’ ବିରଜାଙ୍କ ୧୬ ଦିବସୀୟ ଷୋଡଶ ଉପଚାର ପୂଜା, ଚଳଚଞ୍ଚଳ ଶକ୍ତିପୀଠ

ଶାରଦୀୟ ଦୁର୍ଗାପୂଜା ଅବସରରେ ମା’ ବିରଜାଙ୍କ ପୀଠ ହୋଇଉଠିଛି ଚଳଚଞ୍ଚଳ । ଗତକାଲି ସନ୍ଧ୍ୟାରୁ ଆରମ୍ଭ ହୋଇଛି ମା ବିରଜାଙ୍କ ଷୋଡଶ ଦିବସୀୟ ଷୋଡଶ ଉପଚାର ପୂଜା । ମୂଳାଷ୍ଟମୀ ଠାରୁ ନବମୀ ଯାଏ ଚାଲିବ ମାଙ୍କ ଷୋଡଶ ଦିବସୀୟ ସ୍ଵତନ୍ତ୍ର ପୂଜା । ପ୍ରତିଦିନ ନୂଆ ନୂଆ ବେଶ ଧାରଣ କରିବେ ମା । ଭଜନ କିର୍ତ୍ତନର ତାଳେତାଳେ କଳସ ଯାତ୍ରା କରାଯାଇ ମନ୍ଦିରରେ ୧୦ କଳସ ସ୍ଥାପନ କରାଯାଇଛି । ଏହାପରେ ଅନ୍ୟ ସ୍ଵତନ୍ତ୍ର ଦିନ ମାନଙ୍କରେ ଆଉ ୬ଟି କଳସ ସ୍ଥାପନ ହେବେ । ପଞ୍ଚମୀ ଠାରୁ ମାଙ୍କ ନିକଟରେ ଯଜ୍ଞ ଆରମ୍ଭ ହୋଇ ନବମୀ ପର୍ଯ୍ୟନ୍ତ ଚାଲିବ ।
ଏହି ସମୟରେ ଶ୍ରଦ୍ଧାଳୁ ମାନେ ମନ୍ଦିର ମଧ୍ୟରେ ପ୍ରବେଶ କରି ମୁଖଦର୍ଶନ ସହ ପାଦସ୍ପର୍ଶ କରିବାର ସୁଯୋଗ ପାଇଥାନ୍ତି । ଏ ସବୁ ଦିନ ମାନଙ୍କରେ ପ୍ରତ୍ୟୁଷରୁ ମନ୍ଦିରରେ ମାଙ୍କ ପାଦସ୍ପର୍ଶ ଓ ପାଦ ଦର୍ଶନର ସୁଯୋଗ ପାଇବେ ଶ୍ରଦ୍ଧାଳୁ । ଭାରତର ୫୧ଗୋଟି ଶକ୍ତିପୀଠ ମଧ୍ୟରୁ ମା ବିରଜାଙ୍କ ପୀଠ ଅନନ୍ୟ ଏବଂ ସ୍ଵତନ୍ତ୍ର । ମା ବିରଜା ହେଉଛନ୍ତି ଦ୍ୱିଭୂଜା । ମା’ ବିରଜାଙ୍କର ସାତ୍ତ୍ବିକ, ବୈଦିକ ଓ ତାନ୍ତ୍ରିକ ମତରେ ପୂଜା କରାଯାଇଥାଏ । ଶାରଦୀୟ ଦୁର୍ଗୋତ୍ସବ ସମୟରେ ମା ବିରଜାଙ୍କ ମନ୍ଦିରର ତିନୋଟି ପ୍ରମୁଖ ବୈଶିଷ୍ଟ୍ୟ ଦେଖିବାକୁ ମିଳେ ।
ପ୍ରଥମଟି ହେଲା ମହାଳୟା ଦିନ ନାଭିଗୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରାଯାଏ । ଦ୍ଵିତୀୟଟି ହେଲା ପଞ୍ଚମୀ ଠାରୁ ମହାନବମୀ ପର୍ଯ୍ୟନ୍ତ ମାଙ୍କ ମୁଖ ଦର୍ଶନ ଓ ପାଦସ୍ପର୍ଶର ସୁଯୋଗ ପାଇବେ ଶ୍ରଦ୍ଧାଳୁ । ଏବଂ ତୃତିୟଟି ହେଲା ମା ବିରଜାଙ୍କ ନବଦିନାତ୍ମକ ରଥଯାତ୍ରା । ପ୍ରତିପଦ ଠାରୁ ନବମୀ ଯାଏ ମାଙ୍କ ଚଳନ୍ତି ପ୍ରତିମା ମା ଦୁର୍ଗାଙ୍କ ରୂପରେ ସିଂହଧ୍ବଜ ରଥରେ ଆସୀନ ହୋଇ ମନ୍ଦିର ବେଢା ପରିକ୍ରମା କରନ୍ତି । ମା’ଙ୍କୁ ରଥରେ ଦର୍ଶନ କଲେ କୋଟିଜନ୍ମର ପୂଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି । ଏଭଳି ନିଆରା ପରମ୍ପରା ଅନ୍ୟ କୌଣସି ଦେବୀ ପୀଠରେ ଦେଖିବାକୁ ମିଳେନାହିଁ ।
ମହାନବମୀ ଅନ୍ତେ ମା ମହିଷା ମର୍ଦ୍ଦିନୀ ସମସ୍ତ ଆସୁରୀ ଶକ୍ତିର ବିନାଶ କରନ୍ତି । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଅଧିକ ଭିଡ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବନ୍ଦବୋସ୍ତ ଗ୍ରହଣ କରାଯାଇ ଥିବା ମନ୍ଦୀରର ଟ୍ରଷ୍ଟି ତଥା ଉପଜିଲ୍ଲାପାଳ ଅଂଶୁମନ ଶତପଥି ସୂଚନା ଦେଇଛନ୍ତି  । ଶେଷରେ ବିଜୟା ଦଶମୀ ଦିନ ସମାପନ ହେବ ମା’ଙ୍କ ଏହି ଷୋଡଶ ଉପଚାର ପୂଜା ଓ ରଥଯାତ୍ରା । ସେପଟେ ମାଙ୍କ ଦର୍ଶନ କରିବା ସହିତ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବାକୁ ପ୍ରତିଦିନ ମନ୍ଦିରକୁ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ ।
Spread the love