ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ରାଜନୈତିକ ଚିଠା ପ୍ରସ୍ତାବ ଗୃହୀତ

ଭୁବନେଶ୍ୱର: ଓଡିଶା ସମେତ ଭାରତବର୍ଷ ଓ ସମଗ୍ର ବିଶ୍ୱ ଆଜି କୋଭିଡ୍ ମହାମାରୀ ଦ୍ୱାରା କବଳିତ । ଏହାଦ୍ୱାରା ଅନ୍ୟଦେଶ ଭଳି ଭାରତବର୍ଷ ମଧ୍ୟ ବହୁ ଅର୍ଥନୈତିକ ବାଧାବିଘ୍ନ ଦେଇ ଗତିକରୁଥିବା ବେଳେ ଦେଶର ଯଶ୍ୱସୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କରୋନାର ସଠିକ୍ ମୁକାବିଲା ସହିତ ଦେଶର ଅର୍ଥନୀତି ଏବଂ ବିକାଶଧାରାକୁ ସଂନ୍ତୁଳିତ କରି ରଖିବାରେ ଦେଶ ସଫଳ ହୋଇପାରିଛି । ସମସ୍ତ ବାଧାବିଘ୍ନ ସତ୍ୱେ ରାଜନୈତିକ ଓ ଅର୍ଥନୈତିକ ଦୃଷ୍ଟିକୋଣରୁ ସାରା ବିଶ୍ୱରେ ଭାରତବର୍ଷ ତା’ର ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିପାରିଛି । ଭାରତ ବିରୋଧୀ ପଡୋଶୀ ପାକିସ୍ଥାନ ଏବଂ ଚୀନ୍ ସହିତ ସମ୍ମୁଖ ଲଢେଇରେ ନିଜର ଶକ୍ତି ପ୍ରଦର୍ଶନ କରି ଉଭୟ ଅର୍ଥନୀତି ଓ ସାମରୀକ କ୍ଷେତ୍ରରେ ମୁହଁତୋଡ୍ ଜବାବ୍ ଦେଇଛି । ଭାରତୀୟ ଜନତାପାର୍ଟିର ଏଭଳି ଦୃଢ ଶାସନ ଯୋଗୁ ଦେଶ ଅଗ୍ରଗତି ଓ ଶକ୍ତିଶାଳୀ ହେଉଥିବାରୁ ଦଳର ରାଜ୍ୟ ଶାଖା ଏହାକୁ ନେଇ ଗର୍ବ ଅନୁଭବ କରୁଛି । ଅପରପକ୍ଷରେ ଓଡିଶା ସରକାରଙ୍କ ବିଚାର ବିହୀନ,ଅସମ୍ବେଦନଶୀଳ ଏବଂ ଭ୍ରଷ୍ଟାଚାର ଶାସନ ଓଡିଶାର ବିକାଶକୁ ନିମ୍ନଗାମୀ କରିଛି । ବିଜେଡି ଶାସନରେ ଓଡିଆ ଜାତିର ସ୍ୱାଭିମାନ ଭୁଲୁଣ୍ଠିତ ହେବା ସହ ରାଜ୍ୟରେ ସାମାଜିକ ଅର୍ଥନୈତିକ ଓ ରାଜନୈତିକ ମେରୁଦଣ୍ଡ ଭୁଷୁଡି ପଡିଛି ।

କୋଭିଡ୍‌-୧୯ ମହାମାରୀରେ ସମଗ୍ର ବିଶ୍ୱ ଆତଙ୍କିତ ଥିବାବେଳେ ଦେଶର ସମସ୍ତ ରାଜ୍ୟ ସରକାର ନିଜର ସବୁ ଶକ୍ତି ଖଟାଇ ଯୁଝୁଥିବା ସମୟରେ ଓଡିଶା ସରକାର କୋଭିଡ୍ ପରିଚାଳନାରେ ନିଜର ଅକ୍ଷମତାର ଚରମ ନିଦର୍ଶନ ଦେଖାଇ ବ୍ୟାପକ ର୍ଦୁନୀତି ଓ ଭ୍ରଷ୍ଟାଚାରରେ ଲିପ୍ତ ରହିଛନ୍ତି । ପ୍ରବାସୀ ଶ୍ରମିକଙ୍କ ରାଜ୍ୟକୁ ଫେରିବା ଠାରୁ ଆରମ୍ଭ କରି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର, ମାସ୍କ୍ କ୍ରୟ, ମେଡିସିନ୍‌, ଆମ୍ବୁଲାନ୍ସ, ପିପିଇ କିଟ୍ , ଗ୍ଲୋବସ୍‌, ଅକ୍ସିଜେନ୍ ସିଲିଣ୍ଡର, ଭେଂଟିଲେଟର ପ୍ରଭୃତି କରୋନା ପରୀକ୍ଷାର ସମସ୍ତ କ୍ଷେତ୍ରରେ ଦୁର୍ନୀତିର ଗନ୍ଧ ବାରି ହେଉଛି ।

-ମାର୍ଚ୍ଚ ପରଠାରୁ କେନ୍ଦ୍ର ସରକାର ବିଭିନ୍ନ ସହାୟତା ଆକାରରେ ୧୭୯୪.୨୪ କୋଟି ଟଙ୍କା ରାଜ୍ୟକୁ ଯୋଗାଇ ଦେଇଥିବାବେଳେ କୋଭିଡ୍ ଦୁର୍ବିପାକ ସମୟରେ ଏହାର ବିନିଯୋଗ କ’ଣ ହୋଇଛି ?

-ବିଭିନ୍ନ ପିଏସୟୁ ମାନଙ୍କଠାରୁ ରାଜ୍ୟ ସରକାର କେତେ ସହାୟତା ପାଇଛନ୍ତି ?

-ରାଜ୍ୟର ବେସରକାରୀ ହସ୍ପିଟାଲମାନଙ୍କ ସହ କରିଥିବା ତ୍ରିପାକ୍ଷିକ ଚୁକ୍ତିନାମାରେ ଭୟଙ୍କର ତୃଟିଯୁକ୍ତ ଏବଂ ଏଥିରେ ବ୍ୟାପକ ଭ୍ରଷ୍ଟାଚାର ହୋଇଛି ।

-ଗତ ଅଗଷ୍ଟ ୧୪ ତାରିଖରେ ରାଜ୍ୟ ସରକାର କୋଭିଡ୍ ହସ୍ପିଟାଲର ଓ କୋଭିଡ୍ କେୟାର ସେଂଟର ମାନଙ୍କ ପାଇଁ ଏକ ଦର ନିର୍ଦ୍ଧାରଣ କରିଲେ । ଏହା ପୂର୍ବରୁ ଏପ୍ରିଲରୁ ଅଗଷ୍ଟ ପର୍ଯ୍ୟନ୍ତ ଏହି ହସ୍ପିଟାଲ ଓ ସେଂଟରମାନଙ୍କୁ ସରକାର କେଉଁ ଦରରେ ପ୍ରାପ୍ୟ ପ୍ରଦାନ କରୁଥିଲେ ଏବଂ ସେହି ବିଲ୍ ଗୁଡିକୁ କିଏ ସାର୍ଟିଫାଏଡ୍ କରୁଥିଲା ?

-କୋଭିଡ୍ କେୟାର ସେଂଟର, କୋଭିଡ୍ ହସ୍ପିଟାଲ ଗୁଡିକରେ ବ୍ୟାପକ ପରିଚାଳନାଗତ ତୃଟିର ଅଭିଯୋଗ ପ୍ରତିଦିନ ଗଣମାଧ୍ୟମରେ ପ୍ରକାଶ ପାଉଛି ।

-ନିର୍ମାଣ ଶ୍ରମିକମାନଙ୍କୁ କୋଭିଡ୍ ସମୟରେ ୩୧୫ କୋଟି ଟଙ୍କା ବାଂଟିବା ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଥିଲେ ସୁଦ୍ଧା ରାଜ୍ୟରେ ଏହା ଦଳୀୟ ଆଧାରରେ ବଂଟାଗଲା । ଏପରିକି ଅନେକ ଯୋଗ୍ୟ ଶ୍ରମିକ କାର୍ଡ ହିତାଧିକାରୀ ଆଜି ସୁଦ୍ଧା ବି ସହାୟତା ପାଇନାହାନ୍ତି ।

-କେନ୍ଦ୍ର ସରକାର ୮ମାସ କାଳ ମାଗଣା ଚାଉଳ, ଡାଲି, ରାସନ କାର୍ଡଧାରୀ ଖାଦ୍ୟସୁରକ୍ଷା ହିତାଧିକାରୀଙ୍କୁ ଦେଇଥିଲେ ସୁଦ୍ଧା ରାଜ୍ୟ ସରକାର ପହଂଚାଇବାରେ ବିଫଳ ହୋଇଛନ୍ତି । ହରଡ ଡାଲି ବଦଳରେ ଚଣା ଡାଲି ବାଂଟିଛନ୍ତି ।

-ପ୍ରବାସୀ ଶ୍ରମିକଙ୍କ ପାଇଁ ଆସିଥିବା “ଆତ୍ମନିର୍ଭର ଭାରତ’ ଯୋଜନାର ଚାଉଳକୁ ବ୍ୟାପକ କଳାବଜାରୀ କରି ଗରିବ ଲୋକଙ୍କ ପେଟକୁ ଲାତ ମାରିଛନ୍ତି ରାଜ୍ୟ ସରକାର ।

-ରାଜ୍ୟ ଖାଦ୍ୟସୁରକ୍ଷା ଯୋଜନାରେ ଏହି ସମୟରେ ଦଳୀୟ ଭିତିରେ ସରକାର ଅନେକ ଅଯୋଗ୍ୟ ହିତାଧିକାରୀଙ୍କୁ ଯୋଡି ବହୁ ଯୋଗ୍ୟ ଗରିବ ପରିବାରଙ୍କ ପ୍ରତି ଅନ୍ୟାୟ କରିଛନ୍ତି ।

-ଏମଜିଏନ୍‌ଆରଇଜିଏ ଯୋଜନାରେ ମେସିନ୍ ଦ୍ୱାରା କାର୍ଯ୍ୟକରାଇ ଲକ୍ଷ ଲକ୍ଷ ଜବ୍‌କାର୍ଡ ଧାରୀଙ୍କୁ ତଥା ପ୍ରବାସୀ ଶ୍ରମିକଙ୍କୁ ରାଜ୍ୟ ସରକାର ଘୋର ପ୍ରତାରଣା କରିଛନ୍ତି । ଓଡିଶାରେ ମନରେଗା ଯୋଜନା ଶାସକ ଦଳ ନେତାଙ୍କ ଅର୍ଥ ରୋଜଗାରର ଏକ ସହଜ ପନ୍ଥା ପାଲଟିଛି ।

ବେରୋଜଗାର (ବେକାରୀ ପ୍ରସଂଗ )

ବିଜେଡି ଶାସନ କାଳରେ ଓଡିଶାର ଯୁବକ ଯୁବତୀମାନଙ୍କ ପାଇଁ କୌଣସି ପ୍ରକାରର ରୋଜଗାର ସମ୍ବାବନା ସୃଷ୍ଟି ହୋଇପାରିନାହିଁ । ରାଜ୍ୟରେ ରୋଜଗାର ନ ପାଇବା କାରଣରୁ ୧୫ ଲକ୍ଷରୁ ଅଧିକ କୁଶଳୀ, ଅର୍ଦ୍ଧକୁଶଳୀ ଓ ଅଣକୁଶଳୀ ଶ୍ରମିକ ଅନ୍ୟ ରାଜ୍ୟ ଓ ବିଦେଶକୁ କର୍ମସଂସ୍ଥାର ଅନ୍ୱେଷଣରେ ଯାଉଛନ୍ତି । କୋଭିଡ୍ ମହାମାରୀ ସମୟରେ ରାଜ୍ୟକୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କ ପଂଜୀକରଣ ଏବଂ ତାଙ୍କର ଦକ୍ଷତା କୌଶଳ ନିରୂପଣ (ସ୍କିଲ୍ ମ୍ୟାପିଙ୍ଗ୍ ) କରି କାର୍ଯ୍ୟ ଯୋଗାଇ ଦେବା ପାଇଁ ବାରମ୍ବାର ପ୍ରତିଶୃତି ଦେଇ ତାହାକୁ ପାଳନ କରିନାହାନ୍ତି ରାଜ୍ୟ ସରକାର । ପୁର୍ନବାର ଏହି ଶ୍ରମିକମାନେ ପ୍ରତାରଣାର ଶୀକାର ହୋଇ ଓଡିଶାରୁ ଫେରିବା ଆରମ୍ଭ କରିଛନ୍ତି । ପୂର୍ବରୁ “ମେକ୍ ଇନ୍ ଓଡିଶା’ ଏବଂ “ଇନ୍‌ଭେଷ୍ଟ ଓଡିଶା’ ଭଳି ରାଜ୍ୟ ସରକାରଙ୍କ ଫମ୍ପା ଘୋଷଣା ଓ ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ବିନିମୟରେ ହୋଇଥିବା କନ୍‌ଭେନସନ, ସେମିନାର, ରୋଡ ସୋ ଭଳି ପ୍ରଚାର ପ୍ରସାର କେବଳ ପାଣିର ଗାର ହୋଇଛି ଓ ଆଜି ରାଜ୍ୟରେ ବେରୋଜଗାରୀ ସମସ୍ୟା ଉତ୍କଟ ହୋଇଛି । ବେକାରୀ ସ୍ଥିତିର ଜାତୀୟ ଅନୁପାତ ହାରହାରି ୮.୮ % ପ୍ରତିଶତ ଥିବାବେଳେ ଆସାମ ୪.୮ % ଏବଂ ଗୁଜୁରାଟ୍ ୬.୭ % ଛତିଶଗଡ ୭.୫ %, ଆନ୍ଧ୍ରପ୍ରଦେଶ ୫.୮% ପଶ୍ଚିମବଙ୍ଗ ୬.୯ % , ଜାତୀୟ ହାର ଠାରୁ କମ୍ ଥିବାବେଳେ ଓଡିଶାରେ କିନ୍ତୁ ଏହି ହାର ୧୩.୧ % ଯାହାକି ଜାତୀୟ ହାର ଠାରୁ ଢେର ଅଧିକ । ତେଣୁ ଏଥିରୁ ରାଜ୍ୟ ସରକାରଙ୍କର ବେକାରୀ ହଟାଇ ଯୁବକ ଯୁବତୀଙ୍କୁ ନୂଆ ନିଯୁକ୍ତି ଦେବାର ଆନ୍ତରିକତା ସ୍ପଷ୍ଟ ବାରି ହୋଇଯାଉଛି ।

ଗତ ଜୁଲାଇ ୨୦୨୦ ରେ ରାଜ୍ୟ ସରକାର ନୂଆ ନିଯୁକ୍ତି ଦେବାର ପ୍ରକ୍ରିୟାକୁ ବନ୍ଦ ତ କରିଛନ୍ତି । ପୁନଶ୍ଚ ଠିକା ଓ ଚୁକ୍ତି ଭିତ୍ତିକ ନିଯୁକ୍ତିକୁ ଉଚ୍ଛେଦ କରିବାର ନିଷ୍ପତି ନଇଛନ୍ତି । ଯାହାଫଳରେ କି ୨ ଲକ୍ଷରୁ ଉର୍ଦ୍ଧ୍ୱ ପରିବାର କ୍ଷତିଗ୍ରସ୍ତ ବା ପ୍ରଭାବିତ ହେବାକୁ ଯାଉଛନ୍ତି । ରାଜ୍ୟ ସରକାର ୨୦୧୬ ଓ ୨୦୧୮ ମସିହାରେ “ମେକ୍ ଇନ୍ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ୨.୫ ଲକ୍ଷ କୋଟି ଟଙ୍କାର ଏମଓୟୁ ଚୁକ୍ତି କରିଥିଲେ । ଯାହାକି ଆଜି ପର୍ଯ୍ୟନ୍ତ ଠିକଣା ଢଙ୍ଗରେ କାର୍ଯ୍ୟକାରୀ କରାଯାଇନାହିଁ । ଆଜିର କାର୍ଯ୍ୟକାରିଣୀ ରାଜ୍ୟ ସରକାରଙ୍କ ଏହି ଅପାରଗତାକୁ ନିନ୍ଦା କରୁଛି ।

ଜଗନ୍ନାଥ ରଥଯାତ୍ରା ଓ ବଗଲା ଧର୍ମଶାଳା ଚଂଚକତା

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଘୋଷଯାତ୍ରାକୁ ନକରାଇଦେବାର ରାଜ୍ୟ ସରକାରଙ୍କ ପରୋକ୍ଷ ଯୋଜନାରେ ସମ୍ପର୍କରେ ସାଧାରଣରେ ଆଲୋଚନା ହେବା କାହାକୁ ଅଛପା ନଥିଲା । ଠିକ୍ ସେହି ଅନିଶ୍ଚିତତା ସମୟରେ ମାନନୀୟ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନିର୍ଦ୍ଦେଶରେ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ୍ ଶାହଙ୍କ ସିଧାସଳଖ ହସ୍ତକ୍ଷେପ ଫଳରେ ମହାପ୍ରଭୁଙ୍କ ରଥଯାତ୍ରା ସମ୍ଭବ ହୋଇପାରିଲା । ଯାହାକି କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ଆଶ୍ୱସ୍ତ କରିଥିଲା ।

ଏହି କରୋନା ବିପତି ସମୟର ସୁଯୋଗ ନେଇ ଜଗନ୍ନାଥ ଧାମର ବିକାଶ ନାମରେ କେଉଁ କାଳରୁ ଜଗନ୍ନାଥଙ୍କ ଭକ୍ତଙ୍କୁ ଆଶ୍ରୟ ଓ ବିଶ୍ରାମ ଦେଇ ଆସୁଥିବା ବଗଲା ଧର୍ମଶାଳାକୁ ଅନଧିକାର ଭାବେ ବିକ୍ରୟ ପାଇଁ ରାଜ୍ୟ ସରକାର କରିଥିବା ଷଡଯନ୍ତ୍ର ଆଜି ସାଧାରଣରେ ଧରା ପଡିଯାଇଛି । ଜଗନ୍ନାଥ ଧାମର ବିକାଶ ପାଇଁ ପ୍ରଧାନମନ୍ତ୍ରୀ କୋଟି କୋଟି ଟଙ୍କା ଯୋଗାଇ ଦେଉଥିବାବେଳେ ଭକ୍ତଙ୍କ ପାଇଁ ଉଦ୍ଦିଷ୍ଟ ଧର୍ମଶାଳାକୁ ବିକ୍ରି କରି ଦେବାର ନିଷ୍ପତିକୁ ଆଜି କାର୍ଯ୍ୟକାରିଣୀ ଘୋର ବିରୋଧ କରୁଛି ।

bjp karjyakarini baithaka

ବନ୍ୟା

ସାମାନ୍ୟ ଲଘୂଚାପ ବର୍ଷାରେ ଓଡିଶାର ବିଭିନ୍ନ ଜିଲ୍ଲାର ପ୍ରଭୁତ ଅଂଚଳ ଜଳବନ୍ଦୀ ରହିବା ଯୋଗୁଁ ଲକ୍ଷ ଲକ୍ଷ ହେକ୍ଟର ଧାନ ଓ ପରିବା ଫସଲ ସଂପୂର୍ଣ୍ଣ ନଷ୍ଟ ହୋଇଛି । ଏପରିକି କେତେକ ଜୀବନ ମଧ୍ୟ ନଷ୍ଟ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଥିବା ଜଳ ସମ୍ପଦ ଓ ଡ୍ରେନେଜ୍ ବିଭାଗର ବିଫଳତାକୁ ନେଇ ଆଜି ପ୍ରଶ୍ନ ଉଠିଛି । ଚଳିତ ବର୍ଷ ବନ୍ୟା ମନୁଷ୍ୟକୃତ ବୋଲି ପ୍ରମାଣିତ ହୋଇଛି । ହୀରାକୁଦ ବନ୍ୟାଜଳ ପରିଚାଳନା ବ୍ୟବସ୍ଥାରେ ଚରମ ତ୍ରୃଟି ଓ ବର୍ଷା ରିତୁ ପୂର୍ବରୁ ଦୁର୍ବଳ ଥିବା ନଦୀ ବନ୍ଧ ବାଡକୁ ମରାମତି କରାନଯିବା, ପରିଶେଷରେ ବନ୍ୟା ସମୟରେ କେତେକ ଜିଲ୍ଲାରେ ବନ୍ଧ ମରାମତି ପରିବର୍ତେ ସରକାରଙ୍କ ଜାଣତରେ ସରକାରୀ ଦଳର ଠିକାଦାରୀ ସ୍ୱାର୍ଥ ପାଇଁ ବନ୍ଧ ଭାଙ୍ଗି ଦିଆଯାଇଥିବା ସାଧାରଣରେ ଅଭିଯୋଗ ହୋଇଛି ।

ଅନ୍ୟପକ୍ଷରେ ପାଣି ଘେରରେ ଥିବା ଲକ୍ଷ ଲକ୍ଷ ବିପନ୍ନଙ୍କ ପାଖରେ ଏପର୍ଯ୍ୟନ୍ତ ପହଂଚିଲାନି ରିଲିଫ୍ ଓ ଅନୁଷାଙ୍ଗିକ ସହାୟତା । ଆଜିର କାର୍ଯ୍ୟକାରିଣୀ ରାଜ୍ୟ ସରକାରଙ୍କ ଅଦୂରଦର୍ଶିତା କାର୍ଯ୍ୟକୁ ଘୋର ନିନ୍ଦା କରିବା ସହ ବନ୍ୟା ବିପନ୍ନଙ୍କ ପାଖରେ ରାଜ୍ୟ ସରକାର ତୁରନ୍ତ ରିଲିଫ୍ ଓ ସହାୟତା ପହଂଚାଇବାକୁ ଦାବି କରୁଛି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ର୍ଦୁନୀତି

ପ୍ରଧାନମନ୍ତ୍ରୀ ଆବସ ଯୋଜନାରେ ବ୍ୟାପକ ର୍ଦୁନୀତି : ୨୦୨୨ ସୁଦ୍ଧା ସମସ୍ତଙ୍କ ମୁଣ୍ଡ ଉପରେ ଛାତଘର ପହଂଚାଇବାର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରିକଳ୍ପନାକୁ ଏହି କାର୍ଯ୍ୟକାରିଣୀ ସ୍ୱାଗତ କରୁଛି । ଅନ୍ୟ ପକ୍ଷରେ ରାଜ୍ୟ ସରକାରଙ୍କ ପ୍ରଶାସନ, ଦଳୀୟ ଆଧାରରେ ହିତାଧିକାରୀ ଚୟନ କରିବା ଦ୍ୱାରା ବହୁ ଯୋଗ୍ୟବ୍ୟକ୍ତି ଏହି ମହତ୍ୱାକାଂକ୍ଷୀ ଯୋଜନାରୁ ବାଦ୍ ପଡିଛନ୍ତି । ଆଜିର କାର୍ଯ୍ୟକାରିଣୀ ରାଜ୍ୟ ସରକାରଙ୍କ ଏହି ଗରିବ ମାରଣ ନୀତିକୁ ଦୃଢ ନିନ୍ଦାକରିବା ସହ ଏହାକୁ ଆଗମୀ ଦିନରେ ରାଜନୈତିକ ପ୍ରସଙ୍ଗ କରିବାକୁ ଚିନ୍ତା କରୁଛି ।

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ଯୋଜନା 

କାଳିଆ ଯୋଜନା ରାଜ୍ୟ ସରକାରଙ୍କ ଏକ ଫମ୍ପା ଯୋଜନାରେ ପରିଣତ ହୋଇଥିବାବେଳେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ଯୋଜନାର ତାଲିକାରେ ଥିବା ରାଜ୍ୟର ୩୧ ଲକ୍ଷ ଚାଷୀଙ୍କୁ ବିଭିନ୍ନ ଆଳ ଦେଖାଇ ରାଜ୍ୟ ସରକାର କାଟି କାଟି ୯ ଲକ୍ଷରେ ପହଂଚାଇଛନ୍ତି । ଏହାର କାରଣ ପଚାରିବାରୁ ରାଜ୍ୟ ସରକାର କୌଣସି ସଠିକ୍ ଉତର ନରଖି ଜାଣି ନଜାଣିଲା ପରି ନୀରବଦ୍ରଷ୍ଟା ସାଜିଛନ୍ତି । ଫଳରେ ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ଯୋଜନାର ସହାୟତା ପାଇବାରୁ ବଂଚିତ ହୋଇଛନ୍ତି । ଏପ୍ରକାରର କୃଷକ ସ୍ୱାର୍ଥବିରୋଧୀ ନୀତିରୁ ନିବୃତ ରହି ରାଜ୍ୟ ସରକାର ଓଡିଶାର ଲକ୍ଷ ଲକ୍ଷ ଚାଷୀଙ୍କ ସ୍ୱାର୍ଥ ସହ ଖେଳନ୍ତୁ ନାହଁ ।

କାମ୍ପାଫଣ୍ଡ୍ ର୍ଦୁନୀତି 
ଭାରତବର୍ଷରେ ସମସ୍ତ ରାଜ୍ୟମାନଙ୍କ ମଧ୍ୟରେ ଓଡିଶାକୁ ସବୁଠାରୁ ଅଧିକ ଅର୍ଥରାଶି କାମ୍ପାଫଣ୍ଡ୍ ଯୋଜନାରେ ଯୋଗାଇ ଦେଇଛନ୍ତି ମୋଦି ସରକାର । ୫,୯୩୪ କୋଟି ଟଙ୍କା ପରିମାଣର ଏହି ଅର୍ଥରାଶିକୁ ବେଆଇନ୍ ଭାବେ ହଡପ୍ କରିବାର ଅନେକ ଉଦାହରଣ ବିଭିନ୍ନ ଜିଲ୍ଲାରୁ ଗଣମାଧ୍ୟମ ଜରିଆରେ ଲୋକ ଲୋଚନକୁ ଆସିଛି । କେନ୍ଦ୍ର ସରକାରଙ୍କ ଅନେକ ଯୋଜନାର ଅର୍ଥକୁ ଲୁଟ୍ କରାଯିବା ଭଳି କାମ୍ପାଫଣ୍ଡ୍ ଅର୍ଥକୁ ମଧ୍ୟ ରାଜ୍ୟ ସରକାର ଳୁଟ୍ କରିବାର ଯୋଜନା କରିଛନ୍ତି । ରାଜ୍ୟ ସରକାରଙ୍କ ଏହି ଅପଚେଷ୍ଟାକୁ ଆଜିର କାର୍ଯ୍ୟକାରିଣୀ ଦୃଢବିରୋଧ କରୁଛି ।

ଖଣିଜ ଦ୍ରବ୍ୟର ଲୁଟ୍ 

ବେଆଇନ୍ ଭାବେ ପରିବେଶ ଓ ଜନଜୀବନକୁ ଖାତିର ନକରି ବ୍ୟାପକ ଭାବରେ ଲଘୁ ଖଣିଜ ଦ୍ରବ୍ୟକୁ ଲୁଟ୍‌କରି ବାହାର ରାଜ୍ୟ ଓ ବିଦେଶକୁ ଚୋରାଚାଲାଣ କରାଯାଉଛି । ଜିଲ୍ଲା, ତହସିଲ, ପୋଲିସ୍ ପ୍ରଶାସନ ଓ ଶାସକଦଳ ନେତାଙ୍କ ଚୋରା ଅସାଧୁ ମେଂଟରେ ଶହ ଶହ କୋଟି ଟଙ୍କାର ଲଘୁ ଖଣିଜ ଦ୍ରବ୍ୟର ଚୋରା ଚାଲାଣକାରୀ ମାଫିଆମାନଙ୍କୁ ସୁରକ୍ଷା ମିଳୁଛି । ରାଜ୍ୟର ସରକାରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବାଲି, ମୋରମ୍‌, ମାଙ୍କଡା ପଥର ଓ କଳାପଥର (ଚିପ୍ସ୍ ) ଇତ୍ୟାଦି ଖନନ କରାଯାଇ ରାଜ୍ୟର କୋଟି କୋଟି ଟଙ୍କାର ରାଜସ୍ୱହାନୀ ଘଟାଇ ମାଫିଆଙ୍କ ଜରିଆରେ ଶାସକ ବିଜେଡି ଦଳ ତା’ର ଦଳୀୟ ପାଣ୍ଠି ସଂଗ୍ରହ କରୁଛି । ରାଜ୍ୟସ୍ୱାର୍ଥ ବିରୋଧୀ ଏହି ସମସ୍ତ ବେଆଇନ୍ କାର୍ଯ୍ୟକୁ ବନ୍ଦ କରିବା ପାଇଁ ଆଜିର କାର୍ଯ୍ୟକରିଣୀ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଉଛି ।

ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ଶିକ୍ଷାନୀତି

କେନ୍ଦ୍ର ସରକାରଙ୍କ ନୂଆ ଜାତୀୟ ଶିକ୍ଷାନୀତିରେ ସ୍ଥାନୀତ କରାଯାଇଛି । ଏହି ଜାତୀୟ ଶିକ୍ଷାନୀତି ଏବଂ ସେଥିରେ ଅର୍ନ୍ତଭୁକ୍ତ ସମସ୍ତ ବିନ୍ଦୁ ଦେଶର ଶିକ୍ଷା ଭିତିଭୂମିକୁ ଆହୁରି ବଳିଷ୍ଠ କରିବ ବୋଲି ଆଜିର କାର୍ଯ୍ୟକାରିଣୀ ହୃଦ୍‌ବୋଧ କରୁଛି । ର୍ଦୁଭାଗ୍ୟର ବିଷୟଯେ ଠିକ୍ ଏହାର ବିପରୀତ ଦିଗରେ ୟୁଜିସିର ନିୟମାବଳୀକୁ ଅଣଦେଖା କରି ରାଜ୍ୟ ସରକାର ଏକ ନୂଆ ଶିକ୍ଷାନୀତି ପ୍ରଣୟନ ପାଇଁ ରାଜ୍ୟ କ୍ୟାବିନେଟ୍‌ରେ ପ୍ରସ୍ତାବ ଆଗତ କରିଛନ୍ତି । ରାଜ୍ୟ ସରକାରଙ୍କ ଏହି ଶିକ୍ଷାନୀତି କାର୍ଯ୍ୟକାରୀ ହେଲେ ବିଶ୍ୱବିଦ୍ୟାଳୟ ଗୁଡିକ ତାଙ୍କର ସ୍ୱତନ୍ତ୍ରତା ଓ ନିଜ ନିଜର ଐତିହାସିକ ପରିଚୟ ହରାଇବେ । କୂଳପତି ଓ ଅଧ୍ୟାପକମାନଙ୍କ ଚୟନ କ୍ଷେତ୍ରରେ ମଧ୍ୟ ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ସଂପୃକ୍ତି, ବିଶ୍ୱବିଦ୍ୟାଳୟ ମାନଙ୍କରେ ସିନେଟ୍‌ର ଉଚ୍ଛେଦ ଭଳି ଅନେକ ନିଷ୍ପତି ରାଜ୍ୟ ସରକାରଙ୍କ ଅମଲାତାନ୍ତ୍ରିକ ମାନସିକତାର ପରିଚୟକୁ ଆହୁରି ଦୃଢୀଭୂତ କରିଛି । ଏହି ନୂଆ ଶିକ୍ଷାନୀତିକୁ ରାଜ୍ୟ ସରକାର ପ୍ରତ୍ୟାହାର କରିବାକୁ ଆଜିର କାର୍ଯ୍ୟକାରିଣୀ ଦାବି କରୁଛି ।

ଆଇନ ଶୃଙ୍ଖଳା ପରିସ୍ଥିତି ଓ ମହିଳା ନିର୍ଯ୍ୟାତନା

ରାଜ୍ୟରେ ଚୋରୀ , ଡକାୟତି, ହତ୍ୟା, ଦୁଃଷ୍କର୍ମ, ଓ ମହିଳା ନିର୍ଯାତନା ଅହେତୁକ ଭାବେ ବୃଦ୍ଧି ପାଇଛି , କିନ୍ତୁ ଶାସକ ଦଳର ବିଧାୟକ ଓ ନେତାଙ୍କ ପୃଷ୍ଠପୋଷକତା କାରଣରୁ ପୋଲିସ୍ ପ୍ରଶାସନ ସବୁ ଜାଗାରେ ନୀରବଦ୍ରଷ୍ଟା ସାଜିଛି । ଡ୍ରଗ୍‌ସ ଚୋରାକାରବାର ରାଜ୍ୟ ସାରା କାୟାବିସ୍ତାର କରି ଅନେକ ଯୁବକ ଯୁବତୀଙ୍କୁ ପଥଭ୍ରଷ୍ଟ କରୁଥିବା ସତ୍ୱେ ନୀରବଦ୍ରଷ୍ଟା ସାଜିଛନ୍ତି ରାଜ୍ୟ ସରକାର । ମହିଳା ନିର୍ଯ୍ୟାତନା ଦୁଃଷ୍କର୍ମ ଓ ହତ୍ୟା ଏବେ ରେକର୍ଡ ସଂଖ୍ୟାରେ ପହଂଚିବା ଆରମ୍ଭ କରିଛି । କୋଟପାଡର ନେତ୍ରୀ ଭଦ୍ରା ଦୁଷ୍କର୍ମ, ହତ୍ୟାଠାରୁ ଆରମ୍ଭ କରି ମାଲକାନଗିରିରେ ଜନଜାତି ମହିଳାଙ୍କ ଦୁଃଷ୍କର୍ମ, ହତ୍ୟା ଓ ବୀରମିତ୍ରପୁର ପୋଲିସ ଷ୍ଟେସନରେ ଦୁଃଷ୍କର୍ମ ଭଳି ବହୁ ଜଘନ୍ୟ ଘଟଣା ନଜରକୁ ଆସୁଥିବା ବେଳେ ରାଜ୍ୟ ସରକାର ତାଙ୍କ ନୈତିକ ଦାୟିତ୍ୱ ଭୁଲିଗଲା ଭଳି ଚୁପ୍ ବସିଛନ୍ତି । ସରକାରଙ୍କର ଏତାଦୃଶ ନିପାରିଲାପଣିଆକୁ ରାଜ୍ୟ କାର୍ଯ୍ୟକାରିଣୀ ନିନ୍ଦା ଏବଂ ଧିକ୍କାର କରୁଛି ।

Spread the love