ପୋଲ ତଳକୁ ଖସିଲା ବସ୍‌, ଚାହୁଁଚାହୁଁ ଚାଲିଗଲା ୨୧ ଜୀବନ

ଘଟିଗଲା ଭୟଙ୍କର ଦୁର୍ଘଟଣା । ଚାହୁଁ ଚାହୁଁ ଚାଲିଗଲା ୨୧ ଜୀବନ । ପୋଲ ତଳକୁ ବସ୍‌ ଖସି ଅନେକ ଯାତ୍ରୀଙ୍କ ମୃତ୍ୟୁ ହୋଇଯାଇଛି । କିଏ ଅଫିସରୁ ଘରକୁ ଫେରୁଥିଲା ତ କିଏ ସ୍କୁଲରୁ ଯାଉଥିଲା ନିଜ ଘରକୁ । ଏମିତି ନିଜ ନିଜ ଗନ୍ତବ୍ୟସ୍ଥଳକୁ ଯାତ୍ରୀମାନେ ଯାଉଥିବାବେଳେ ଘଟିଗଲା ଏଭଳି ଭୟଙ୍କର ଦୁର୍ଘଟଣା । ତେବେ ଏହି ଅଭାବନୀୟ ଘଟଣା ଇଟାଲୀର ଭେନିସ ଠାରେ ଘଟିଯାଇଛି ।

ମିଥେନ ଗ୍ୟାସରେ ଚାଲୁଥିବା ଏକ ବସ୍‌ ପୋଲ ତଳକୁ ଖସି ପଡ଼ିଥିଲା । ବ୍ରିଜରୁ ଖସି ପଡ଼ିବା ପରେ ବସରେ ଲାଗିଥିଲା ନିଆଁ । ହୁତୁହୁତୁ ହୋଇ ଜଳୁଥିଲା ବସ୍‌ । ବସ୍‌ ଭିତରେ ଥିଲେ ଅନେକ ଯାତ୍ରୀ । ବସରୁ କେବଳ ଚିତ୍କାର ଶୁଭୁଥିଲା । ବସ୍‌ ଭିତରୁ ବାହାରିବାକୁ ଚେଷ୍ଟା କରୁଥିଲେ ଯାତ୍ରୀ । କିନ୍ତୁ ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ଯାତ୍ରୀମାନେ ବସ୍‌ରୁ ବାହାରି ପାରିନଥିଲେ ଏବଂ ମାତ୍ର କିଛି ମିନଟରେ ୨୧ ଯାତ୍ରୀଙ୍କ ଜୀବନ ଚାଲି ଯାଇଥିଲା । ଏହି ଦୁର୍ଘଟଣାରେ ପାଖାପାଖି ୧୮ ଜଣ ଯାତ୍ରୀ ଆହତ ହୋଇଛନ୍ତି । ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି । ତେବେ ଏହି ଘଟଣା ସମ୍ପର୍କରେ ସହରର ମେୟର ଲୁଇଗି ବ୍ରୁଗନାରୋ ଫେସବୁକରେ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ ଯାତ୍ରୀରେ ଭର୍ତ୍ତିଥିବା ଏହି ବସ୍‌ କ୍ୟାମ୍ପିଂ ଗ୍ରାଉଣ୍ଡକୁ ଯିବା ସମୟରେ ପାଖାପାଖି ୭.୩୦ ମିନିଟରେ ଓଭରବ୍ରିଜରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବସ୍‌ରେ ତୁରନ୍ତ ଲାଗିଥିଲା ନିଆଁ । କିନ୍ତୁ ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଭେନିସ ସହରର ପରିଷଦ ରେନାଟୋ ବୋରାସୋ କହିଛନ୍ତି ଯେ ପ୍ରାଥମିକ ତଦନ୍ତରୁ ଜଣାପଡିଛି ଦୁର୍ଘଟଣା ପୂର୍ବରୁ ୪୦ ବର୍ଷ ବୟସର ବସ୍ ଡ୍ରାଇଭର ଅସୁସ୍ଥ ଥିଲା ।

ଭେନିସ ସହରର ଗଭର୍ଣ୍ଣର ଲୁକା ଜିୟା କହିଛନ୍ତି ଯେ ମୃତ୍ୟୁ ସଂଖ୍ୟା ୨୧ ଏବଂ ୨୦ରୁ ଅଧିକ ଲୋକ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ଅଛନ୍ତି । ମୃତ ଲୋକଙ୍କୁ ଚିହ୍ନଟ କରିବା ପାଇଁ ଚେଷ୍ଟା କରାଯାଉଛି । ତେବେ ପୀଡ଼ିତ ଏବଂ ଆହତଙ୍କ ମଧ୍ୟରେ କେବଳ ଇଟାଲୀ ସହରର ଲୋକ ନୁହଁନ୍ତି ବରଂ ଅନ୍ୟ ଦେଶର ଲୋକମାନେ ମଧ୍ୟ ସାମିଲ ଥିଲେ । ଏହି ଭୟଙ୍କର ଦୁର୍ଘଟଣାରେ ଦେଶର ପ୍ରଧାନମନ୍ତ୍ରୀ ଜିୟୋର୍ଜିୟା ମେଲୋନୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ବ୍ୟାରିୟରକୁ ଭାଙ୍ଗିବା ପରେ ବସ୍‌ଟି ବ୍ରିଜରୁ ପାଖାପାଖି ୩୦ ମିଟର ତଳେ ଥିବା ରେଳ ଟ୍ରାକରେ ଖସି ପଡ଼ିଥିଲା । ଏହି ସମୟରେ ବସ୍‌ଟି ବିଦ୍ୟୁତ ତାର ସଂପର୍କରେ ଆସିଥିଲା ଫଳରେ ସଙ୍ଗେ ସଙ୍ଗେ ବସରେ ଲାଗିଥିଲା ନିଆଁ । ମିଥେନ ଗ୍ୟାସରେ ଚାଲୁଥିବାରୁ ବସ୍‌ରେ ନିଆଁ ଲାଗି ଯାଇଥିଲା । ନିଆଁ ଲାଗିବାରୁ ବସ୍‌ରେ ଥିବା ଯାତ୍ରୀ ବସ୍‌ରୁ ବାହାରି ପାରିନଥିଲେ ଏବଂ ଏହି ଭୟଙ୍କର ଦୁର୍ଘଟଣା ଘଟିଥିଲା । ତେବେ ଏହି ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ।

Spread the love