ଅଧିକ ସାର ଯୋଗାଇଦେବା ପାଇଁ କେନ୍ଦ୍ରକୁ ଅନୁରୋଧ କରାଯାଇଛି : ମନ୍ତ୍ରୀ ଡ. ଅରୁଣ କୁମାର ସାହୁ
ଭୁବନେଶ୍ୱର: କୋଭିଡ୍-୧୯ ସ୍ଥିତିରେ ଚଳିତ ଖରିଫ୍ ଚାଷ ନିମନ୍ତେ ଚାଷୀମାନେ ଯେପରି ସାର ଓ ଅନ୍ୟାନ୍ୟ କୃଷି ସାମଗ୍ରୀ ଠିକଣା ସମୟରେ ଓ ଧାର୍ଯ୍ୟ ଦରରେ ପାଇପାରିବେ ସେଥି ନିମନ୍ତେ ପ୍ରତ୍ୟେକ ସ୍ତରରେ ତଦାରଖ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି ଓ ରାଜ୍ୟକୁ ଅଧିକ ପରିମାଣର ସାର ଯୋଗାଇଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି । ସାର ଯେପରି ଧାର୍ଯ୍ୟ ଦରରେ ବିକି୍ର ହୁଏ ଓ ଏହାର ସୁଷମ ବଣ୍ଟନ ନିମନ୍ତେ ଯାଞ୍ଚ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ ମନ୍ତ୍ରୀ ଡ. ସାହୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ଦରରେ ସାର ବିକ୍ରୟ ଅଭିଯୋଗ ଆସିଲେ, ସଂପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଡ. ସାହୁ କହିଛନ୍ତି ।
ଆଜି ଆୟୋଜିତ ଏକ ଭର୍ଚୁଆଲ୍ ବୈଠକରେ ଅଧ୍ୟକ୍ଷତା କରି ରାଜ୍ୟରେ ଖରିଫ୍ ଚାଷ ସମେତ ବିଭିନ୍ନ ଯୋଜନାର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବା ଅବସରରେ ମନ୍ତ୍ରୀ ଡ. ସାହୁ କହିଲେ କୋଭିଡ୍-୧୯ ପରି ଏକ ଜଟିଳ ସ୍ଥିତିରେ ଚାଷ କାର୍ଯ୍ୟ ଯେପରି ବାଧାପ୍ରାପ୍ତ ନହୁଏ, ସେଥିପ୍ରତି କ୍ଷେତ୍ର ଅଧିକାରୀମାନେ ଅଧିକ କି୍ରୟାଶୀଳ ହେବା ଆବଶ୍ୟକ । ଚାଷ କାର୍ଯ୍ୟ ନିମନ୍ତେ ସାରର ଯେପରି କୌଣସି ଅଭାବ ନରୁହେ, ସେଥି ପ୍ରତି ସମବାୟ ବିଭାଗ ସହିତ ସମନ୍ୱୟ ରକ୍ଷା କରି ସାରର ସୁଷମ ବଣ୍ଟନ ନିମନ୍ତେ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଯେପରି କୌଣସି ଜଣେ ଚାଷୀଙ୍କୁ ଧାର୍ଯ୍ୟ ଦରଠାରୁ ଅଧିକ ଦରରେ ସାର କିଣିବାକୁ ନପଡ଼େ ସେଥିପ୍ରତି ଅଧିକାରୀମାନେ ସତର୍କ ଦୃଷ୍ଟି ଦେବା ପାଇଁ ମନ୍ତ୍ରୀ କହିଥିଲେ । ଅଧିକାରୀମାନେ ସଦର ମହକୁମାରେ ଉପସ୍ଥିତ ରହି ଚାଷକାର୍ଯ୍ୟକୁ ଆଗେଇ ନେବା ପାଇଁ ମନ୍ତ୍ରୀ ଡ. ସାହୁ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ ଚାଷୀମାନଙ୍କୁ ଯୋଗାଇ ଦିଆଯାଉଥିବା କୃଷି ସାମଗ୍ରୀର ଗୁଣାତ୍ମକ ମାନ ଓ ପରିମାଣରେ କୌଣସି ପ୍ରକାରର ସାଲିସ କରାଯିବ ନାହିଁ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ ।
ବୈଠକରେ ବିଭିନ୍ନ ସ୍ଥାନରେ ବର୍ଷାର ସ୍ଥିତି ସଂପର୍କରେ ବିଶଦ ଭାବରେ ଆଲୋଚନ କରାଯାଇଥିଲା । ବିଭାଗ ପକ୍ଷରୁ ବୃଷ୍ଟିପାତର ପରିମାଣ ସଂପର୍କରେ ନିୟମିତ ତର୍ଜମା କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯାଉଛି । ଏଥି ସହିତ ମୃର୍ତ୍ତିକା ସଂରକ୍ଷଣ ଓ ଜଳଛାୟା ଉନ୍ନୟନ ପକ୍ଷରୁ ‘ମୋ ପୋଖରୀ’ ଏବଂ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ଆଲୋଚନା କରାଯାଇଥିଲା । କୋଭିଡ-୧୯ ସ୍ଥିତିରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନରେ ବୃକ୍ଷ ରୋପଣ ଓ ‘ମୋ ପୋଖରୀ’ ଯୋଜନା କାର୍ଯ୍ୟକାରୀ କରି ଅଧିକ ଶ୍ରମ ଦିବସ ଓ ଭିତ୍ତିଭୂମି ନିର୍ମାଣ ଉପରେ ମନ୍ତ୍ରୀ ଡ. ସାହୁ ଗୁରୁତ୍ୱାରୋପ କରିଥିଲେ । ବୃକ୍ଷ ରୋପଣ କରାଯାଉଥିବା ସ୍ଥାନଗୁଡ଼ିକର ଫଟୋଚିତ୍ର ଉତ୍ତୋଳନ ସହିତ ଭିଡ଼ିଓଗ୍ରାଫି କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । କୃଷି ବିଭାଗର ବରିଷ୍ଠ ଅଧିକାରୀମାନେ ଜିଲ୍ଲା ଗସ୍ତ ସମୟରେ ନିୟମିତ ବୃକ୍ଷରୋପଣ ସ୍ଥାନଗୁଡ଼ିକର ପରିଦର୍ଶନ କରିବା ପାଇଁ ମନ୍ତ୍ରୀ କହିଥିଲେ । କୋଭିଡ୍-୧୯ ସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ସ୍ୱତନ୍ତ୍ର ପ୍ୟାକେଜ ନିମନ୍ତେ ହିତାଧିକାରୀ ଚୟନ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ‘ଆତ୍ମା’ ଆଦି ବିଷୟରେ ସବିଶେଷ ଆଲୋଚନା କରାଯାଇଥିଲା ।
ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍. ମୁଥୁକୁମାର, ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା, ମୃର୍ତ୍ତିକା ସଂରକ୍ଷଣ ଓ ଜଳଛାୟା ଉନ୍ନୟନ ନିର୍ଦ୍ଦେଶକ ଶ୍ରୀ ହେମନ୍ତ କୁମାର ପଣ୍ଡାଙ୍କ ସମେତ ସମସ୍ତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଓ ନୋଡାଲ୍ ଅଧିକାରୀମାନେ ଯୋଗଦେଇଥିଲେ ।