ରାଜ୍ୟରେ ୩୪ଟି ନୂଆ ଅଦାଲତ ପ୍ରତିଷ୍ଠା

ଭୁବନେଶ୍ୱର: ରାଜ୍ୟରେ ୩୪ଟି ନୂଆ ଅଦାଲତ ପ୍ରତିଷ୍ଠା ପ୍ରସ୍ତାବକୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଏହି ପ୍ରସ୍ତାବକୁ ଅନୁମୋଦନ ଦେଇଛି। ଏହିସବୁ ଅଦାଲତ ପ୍ରତିଷ୍ଠା ପାଇଁ ୨୧.୨୬ କୋଟି ଟଙ୍କାର ବଜେଟ୍‍କୁ ଅନୁମୋଦନ ମିଳିଛି।

ଏହି ୩୪ଟି ଅଦାଲତ ମଧ୍ୟରେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଠାରେ ଏକ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ସହ ଭୁବନେଶ୍ୱରରେ ୨ଟି, ବାଲେଶ୍ୱର ଜିଲ୍ଲାର ସୋରୋ, ଜଳେଶ୍ୱର, ଯାଜପୁର ଜିଲ୍ଲାର ଚଣ୍ଡିଖୋଲ, କେରାପୁଟ ଏବଂ ଗଜପତି ଜିଲ୍ଲାର ଆର. ଉଦୟଗିରି ଠାରେ ଜିଲ୍ଲା ଏବଂ ସେସନ କୋର୍ଟ ପ୍ରତିଷ୍ଠାକୁ ମଞ୍ଜୁରୀ ମିଳିଛି। ଏଥି ସହିତ ନୟାଗଡ ଜିଲ୍ଲାର ରଣପୁର, କଟକ ଜିଲ୍ଲାର ନରସିଂହପୁର ଏବଂ ବଡମ୍ବା, ଗଞ୍ଜାମ ଜିଲ୍ଲାର ସୋରଡା ଏବଂ ସୋନପୁର ଜିଲ୍ଲାର ରାମପୁର ଠାରେ ଗୋଟିଏ ଲେଖାଏଁ ସିଭିଲ ଜଜ କୋର୍ଟ (ସିନିଅର ଡିଭିଜନ) ପ୍ରତିଷ୍ଠା ହେବ।

ଅନ୍ୟପକ୍ଷରେ ବଲାଙ୍ଗିରର ତୁଷରା, ଢେଙ୍କାନାଳ, ବାଲେଶ୍ୱରର ସୋରୋ, ସିମୁଳିଆ, ବାହାନାଗା ଏବଂ ଜଳେଶ୍ୱର, ଯାଜପୁରର ଚଣ୍ଡିଖୋଲ, ଦେବଗଡର ବାରକୋଟ, ଜଗତ୍‍ସିଂହପୁରର ନାଉଗାଁ ଏବଂ କନ୍ଧମାଳର କେ.ନୂଆଗାଁ ଏବଂ ଖଜୁରୀପଡାରେ ସିଭିଲ ଜଜ କୋର୍ଟ (ଜୁନିଅର ଡିଭିଜନ) ପ୍ରତିଷ୍ଠା ହେବ। କମିଟି ମଧ୍ୟ ୧୦ଟି ବାଣିଜ୍ୟିକ ଅଦାଲତ ପ୍ରତିଷ୍ଠା ପାଇଁ ମଞ୍ଜୁରୀ ଦେଇଛନ୍ତି। ଏଥିରେ କଟକ ସଦର, ଭୁବନେଶ୍ୱର, ପୁରୀରେ ଦୁଇଟି, ବାଲେଶ୍ୱର ସଦର, ବଲାଙ୍ଗିର ସଦର, କେନ୍ଦ୍ରାପଡା ସଦର, ଜୟପୁର, ରାଉରକେଲାରେ ଗୋଟିଏ ଲେଖାଏଁ ଲିଭ୍‍ ରିଜର୍ଭ ଅଦାଲତ ପ୍ରତିଷ୍ଠା ହେବ।

ସେହିପରି ଭୁବନେଶ୍ୱର, କଟକ, ସମ୍ବଲପୁର ଏବଂ ବ୍ରହ୍ମପୁର ଠାରେ ୪ଟି ବାଣିଜ୍ୟିକ ଅଦାଲତ ଓ ନୟାଗଡ ଜିଲ୍ଲାର ଓଡଗାଁ ଠାରେ ସିଭିଲ ଜଜ୍‍ କୋର୍ଟ (ସିନିଅର ଡିଭିଜନ) ପ୍ରତିଷ୍ଠାକୁ ଅନୁମୋଦନ ମିଳିଛି। ଅତିରିକ୍ତ ଜିଲ୍ଲା ଓ ସେସନ ଅଦାଲତ ପାଇଁ ୫.୨୦ କୋଟି ଟଙ୍କା, ସିଭିଲ ଜଜ୍‍ ଅଦାଲତ (ସିନିଅର ଡିଭିଜନ) ପାଇଁ ୩.୬୦ କୋଟି, ସିଭିଲ ଜଜ୍‍ (ଜୁନିଅର ଡିଭିଜନ) ଓ ବାଣିଜ୍ୟିକ ଅଦାଲତ ପାଇଁ ୬.୩୦ କୋଟି ଟଙ୍କା ମଞ୍ଜୁର ହୋଇଛି।

Spread the love