ଖରାଦିନେ କାଠପୋଲ, ବର୍ଷାରେ ଦୋଳା ଭରସା

ରାୟଗଡ଼ା : ସାତ ଖଣ୍ଡ ଗ୍ରାମବାସୀଙ୍କ ଦୁଃଖ ପାଲଟିଛି ବଡ଼ନଦୀ। ଖରା ଦିନେ ଏହି ଗ୍ରାମବାସୀଙ୍କ ଯାତାୟାତର ମାଧ୍ୟମ କାଠ ପୋଲ ପାଲଟିଥିବା ବେଳେ ବର୍ଷାରେ ଭରସା କାଦୁଅ ପଚ ପଚ ରାସ୍ତା।

କାଶୀପୁର ବ୍ଲକ୍ ଡଙ୍ଗାସିଲ୍ ପଞ୍ଚାୟତର ବଣ୍ଡାଦୋରା, ବୁର୍କା, କକଡ଼ିସେମି, ଟିକରାପଦର, ତରାଖାସ, ଧାଙ୍ଗିଡ଼ିସିଲ୍, ବଡ଼ଫାସ ଗାଁ ରାସ୍ତାରେ ରହିଛି ବଡ଼ନଦୀ। ଏଥି ସହିତ ନାଗାବଳୀ, ଝଞ୍ଜାବତୀ ନଦୀର ଶାଖା ନଦୀ ବିଭିନ୍ନ ଗାଁ ଦେଇ ପ୍ରବାହିତ ହେଉଛି। ପଞ୍ଚାୟତ ସଦର ମହକୁମାରୁ ୮ରୁ ୧୫ କିଲୋମିଟର ଦୂରରେ ରହିଛି ଏହି ସମସ୍ତ ଗାଁ। ଗ୍ରାମବାସୀ ପଞ୍ଚାୟତକୁ ଯିବାକୁ ହେଲେ ବଡ଼ନଦୀ ପାର କରିବାକୁ ପଡ଼ୁଛି। ପକ୍କା ରାସ୍ତା ମଧ୍ୟ ଗାଁକୁ ନଥିବାରୁ ରୋଗୀ ଓ ପ୍ରସୂତିଙ୍କୁ ଡାକ୍ତରଖାନା ନେବା ପାଇଁ ଗ୍ରାମବାସୀଙ୍କୁ ନାକେଦମ ହେବାକୁ ପଡୁଛି।

ନଦୀ ପାର ହୋଇ ୪ କିମି ଯିବା ପରେ ମୁଖ୍ୟ ରାସ୍ତାରେ ପହଞ୍ଚିବା ପରେ ସେଠାରୁ ଆମ୍ବୁଲାନ୍‌ସ ସେବା ମିଳୁଛି। ଖରା, ଶୀତ ୬ ମାସ କାଠ ପୋଲ ସାହାଯ୍ୟରେ ଗ୍ରାମବାସୀ ଏହି ଦୁର୍ଗମ ରାସ୍ତା ପାର ହୋଇଯାଆନ୍ତି। କିନ୍ତୁ ବର୍ଷାଦିନେ ରୋଗୀ ଓ ପ୍ରସୂତିଙ୍କୁ ଦୋଳା କରି ବୋହି ଆଣିବାକୁ ପଡ଼ୁଛି। ଏହି ଗ୍ରାମବାସୀ ବଡ଼ନଦୀରେ ବ୍ରିଜ ନିର୍ମାଣ ନେଇ ବାରମ୍ବାର ସରକାର ଏବଂ ପ୍ରଶାସନକୁ ଗୁହାରି କରି ଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି। ପ୍ରଶାସନିକ ଅଣଦେଖାର ଶିକାର ହୋଇଥିବା ଗ୍ରାମବାସୀ ଆଗାମୀ ନିର୍ବାଚନ ବର୍ଜନ କରିବାକୁ ୭ଖଣ୍ଡ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

Spread the love