ସମାଲୋଚନା ପରେ ଆଦିପୁରୁଷର ସଂଳାପରେ ପରିବର୍ତ୍ତନ ନିଷ୍ପତ୍ତି, ୨ ଦିନରେ କମାଇଲା ୨୪୦ କୋଟି

ଜୁନ୍ ୧୬ ତାରିଖରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ଆଦିପୁରୁଷକୁ ବିଭିନ୍ନ ମହଲରୁ ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଛି। ଦୁଇଟି କାରଣରୁ ସାମାଜିକ ଗଣମାଧ୍ୟମରେ ଏହାକୁ ସମାଲୋଚନା କରାଯାଉଛି- ଦୁର୍ବଳ ଭିଜୁଆଲ ଇଫେକ୍ଟ ଏବଂ ଶସ୍ତା ସଂଳାପ। ଟ୍ରେଲର ପ୍ରକାଶ ପାଇବା ଦିନଠାରୁ ଏହାକୁ ସମାଲୋଚନା କରାଯାଉଛି। ଦର୍ଶକ ଓ ସମାଲୋଚକମାନେ ଓମ୍ ରାଉତଙ୍କ ଫିଲ୍ମ ଉପରେ ଖୁସି ନୁହନ୍ତି। ଶେଷକୁ ପ୍ରଭାସଙ୍କ ଆଦିପୁରୁଷର ନିର୍ମାତାମାନେ ଏହାର ସଂଳାପରେ କେତେକ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଛଅମାସ ଧରି ଦର୍ଶକମାନେ ଆଦିପୁରୁଷର ମୁକ୍ତିଲାଭକୁ ଅପେକ୍ଷା କରିଥିଲେ। ଶେଷକୁ ଏହା ଯେତେ‌ବେଳେ ଆତ୍ମପ୍ରକାଶ କଲା ଦୁର୍ବଳ ଭିଜୁଆଲ ଇଫେକ୍ଟ ଓ ଶସ୍ତା ସଂଳାପ ପାଇଁ ଲୋକମାନେ ଏହାକୁ ସମାଲୋଚନା କଲେ। ‘ମରେଗା ବେଟେ’, ‘ବୁଆ କା ବଗିଚା ହୈ କ୍ୟା’ ଓ ‘ଜଲେଗୀ ତେରେ ବାପ କୀ’ ପରି ସଂଳାପକୁ ଦର୍ଶକମାନେ ପସନ୍ଦ କରିନାହାନ୍ତି। ପ୍ରବଳ ସମାଲୋଚନା ପରେ ଶେଷକୁ ନିର୍ମାତାମାନେ ଏହାର ସଂଳାପରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେମାନେ ଦୁର୍ବଳ ଓ ଶସ୍ତା ସଂଳାପଗୁଡ଼ିକରେ ପରିବର୍ତ୍ତନ କରି ପୂରା ଫିଲ୍ମକୁ ଆଉଥରେ ବଜାରକୁ ଛାଡ଼ିବେ। ନିର୍ମାତାମାନଙ୍କ ପକ୍ଷରୁ କୁହାଯାଇଛି ଯେ ଫିଲ୍ମଟି ବେଶ୍ ଲୋକପ୍ରିୟ ହୋଇଛି। ବକ୍ସ ଅଫିସ କଲେକ୍ସନ ବୃଦ୍ଧି ପାଇଚାଲିଛି। ତଥାପି ସେମାନେ ସଂଳାପରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି କାରଣ ଦର୍ଶକମାନଙ୍କ ଭାବାବେଗଠାରୁ ସେମାନଙ୍କ ପାଇଁ ବଡ଼ କିଛି ନୁହେଁ।

୨ ଦିନରେ କମାଇଲା ୨୪୦ କୋଟି

ପ୍ରଭାସ ଏବଂ ସୈଫ ଅଲ୍ଲୀ ଖାନ୍‌ଙ୍କ ଭଳି ଅଭିନେତାଙ୍କୁ ନେଇ ପ୍ରସ୍ତୁତ ହୋଇଥିବା ଆଦିପୁରୁଷ ସିନେମା ଆରମ୍ଭରୁ ବକ୍ସ ଅଫିସରେ ସଫଳତା ପାଇବା ଆରମ୍ଭ କରିଛି। ଦୁଇଦିନରେ ବିଶ୍ବରେ ଏହି ସିନେମା ୨୪୦ କୋଟି ଟଙ୍କାର ବେପାର କରିଛି। ଓମ୍ ରାଉତଙ୍କ ଦ୍ବାରା ନିର୍ଦ୍ଦେଶିତ ଉକ୍ତ ସିନେମା ଗତ ୧୬ ତାରିଖରେ ରିଲିଜ୍ ହୋଇଥିଲା। ୫ଟି ଭାଷା ଯଥା ହିନ୍ଦୀ, ତେଲୁଗୁ, ତାମିଲ, ମାଲାୟଲମ ଏବଂ କନ୍ନଡ଼ରେ ଉକ୍ତ ସିନେମା ପରଦାକୁ ଆସିଛି। ସିନେମାକୁ ବିଭିନ୍ନ ମହଲରେ ବିରୋଧ କରାଯିବା ସହିତ ଅନଲାଇନରେ ଟ୍ରୋଲ କରାଯାଉଥିଲେ ମଧ୍ୟ ଏହା ବ୍ୟବସାୟିକ ସଫଳତା ମିଳିଛି। ପ୍ରଥମ ଦିନରେ ୧୪୦ କୋଟି ଏବଂ ଦ୍ବିତୀୟ ଦିନରେ ୧୦୦ କୋଟିର ବ୍ୟବସାୟ କରିଛି। ସାକନିଲ୍‌କ ତଥ୍ୟ ଅନୁଯାୟୀ, ଦେଶ ଭିତରେ ଉକ୍ତ ସିନେମା ପ୍ରଥମ ଦିନ ହିନ୍ଦୀ ଭାଷାଭାଷୀ ଅଞ୍ଚଳରେ ୩୬ କୋଟି, ତେଲୁଗୁରେ ୪୮ କୋଟି, ମାଲାୟଲମରେ ୦.୪୦ କୋଟି, ତାମିଲରେ ୦.୭୦ କୋଟି ଏବଂ କନ୍ନଡ଼ରେ ୦.୪ କୋଟି ଉପାର୍ଜନ କରିଛି। ପ୍ରଥମ ଦିନର ଡୋମେଷ୍ଟିକ ବକ୍ସ ଅଫିସ କଲେକ୍ସନ ୮୫.୫ କୋଟି ଟଙ୍କା ରହିଛି। ଉକ୍ତ ସିନେମାରେ ପ୍ରଭାସ ଭଗବାନ ରାମ, କ୍ରିତି ସେନନ ସୀତା ଏବଂ ସୈଫ ଅଲ୍ଲୀ ଖାନ୍ ରାବଣ ଭୂମିକାରେ ଅଭିନୟ କରିଛନ୍ତି। ସେମାନେ ସିନେମାରେ ଯଥାକ୍ରମେ ରାଘବ, ଜାନକୀ ଏବଂ ଲଙ୍କେଶ ଭାବେ ଅବତୀର୍ଣ୍ଣ ହୋଇଛନ୍ତି।

Spread the love