ଆମେରିକା ଚିନ ଦୁଇ ମହାଶକ୍ତି ଯୁଦ୍ଧମୁହାଁ

ଟୋକିଓ : ତାଇୱାନକୁ ନେଇ କିଛି ଦିନ ହେବ ଆମେରିକା ଓ ଚୀନ ମଧ୍ୟରେ ଚାଲିଥିବା ବିବାଦ ଧମକ ଓ ଚେତାବନୀକୁ ରୂପାନ୍ତରିତ ହୋଇଛି। ଚୀନ ପ୍ରତିରକ୍ଷାମନ୍ତ୍ରୀ ଆମେରିକାକୁ ଚେତାବନୀ ଦେଇ ତାଇୱାନ ପ୍ରସଙ୍ଗରେ ମୁଣ୍ଡ ନ ଖେଳାଇବାକୁ ସତର୍କ କରାଇଛନ୍ତି। ଆମେରିକା ଯଦି ଏହି ପ୍ରସଙ୍ଗରେ ପଛକୁ ନ ହଟେ, ତେବେ ପରିଣାମ ଭୟଙ୍କର ହେବ ବୋଲି ଚୀନର ପ୍ରତିରକ୍ଷାମନ୍ତ୍ରୀ ୱି ଫେଙ୍ଗେ ଖୋଲା ଧମକ ଦେବାର କେଇ ଘଣ୍ଟା ପରେ ଜବାବ ରଖିଛନ୍ତି ମାର୍କିନ୍‌ ମୁଖ୍ୟ ରାଷ୍ଟ୍ରପତି ଜୋ ବାଇଡେନ୍‌।
ତାଇୱାନର ସ୍ବାଧୀନତା ପାଇଁ ଆମେରିକା ବଦ୍ଧପରିକର। ଚୀନ୍‌ର ବିସ୍ତାରବାଦୀ ନୀତି ଗ୍ରହଣୀୟ ନୁହେଁ।ଚୀନ୍‌ ଯଦି ତାଇୱାନ୍‌ ଆକ୍ରମଣ କରି ଦଖଲ ନେବାକୁ ଚାହେଁ; ତେବେ ଆମେରିକା ସେଠାକୁ ସେନା ପଠାଇବ ବୋଲି ଆମେରିକା ରାଷ୍ଟ୍ରପତି ବାଇଡେନ୍‌ କଡ଼ା ଚେତାବନୀ ଦେବା ପରେ ଚୀନ୍‌ ଏହାର ଜବାବ ଦେବାକୁ ମଧ୍ୟ ପଛାଇ ନାହିଁ। ପାଲଟା ନିଆଁ ସହିତ ନ ଖେଳିବାକୁ ଚୀନ୍‌ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ୱାଙ୍ଗ ୱେନ୍‌ବିନ ଆମେରିକାକୁ ଚେତାବନୀ ଦେଇଛନ୍ତି। ନିଜର ସାର୍ବଭୌମ ସ୍ବାର୍ଥ ରକ୍ଷା ପାଇଁ ଚୀନ୍‌ ସେନା ପ୍ରସ୍ତୁତ ବୋଲି ସେ କହିଛନ୍ତି। ଚୀନ୍‌ ତାଇୱାନକୁ ବଳପୂର୍ବକ ଦଖଲ କରିବା ଉଦ୍ୟମ ଚଳାଇଥିବାବେଳେ ଆମେରିକା ଏହାର ଘୋର ବିରୋଧ କରୁଛି।ନିକଟରେ ଆମେରିକା ପ୍ରତିରକ୍ଷାମନ୍ତ୍ରୀ ଲଏଡ ଅଷ୍ଟିନଙ୍କ ସହ ଫେଙ୍ଗେ ଟେଲିଫୋନ୍‌ ଯୋଗେ କଥା ହୋଇଥିଲେ। ତାଇୱାନକୁ ନେଇ ଚୀନ୍‌ର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। ଚୀନର ଯୁକ୍ତି ହେଉଛି ଆମେରିକା ନିଜର ପ୍ରତିଶ୍ରୁତି ପୂରଣ କରୁ; କିନ୍ତୁ ତାଇୱାନ୍‌ ପ୍ରସଙ୍ଗରେ ମୁଣ୍ଡ ଖେଳାଇ ଚୀନ ସହ ନୂତନ ଶୀତଳ ଯୁଦ୍ଧର ଆରମ୍ଭ ନ କରୁ। ଆମେରିକା ତାଇୱାନର ସ୍ୱାଧୀନତାକୁ ନେଇ ନିଜର ସମର୍ଥନ ଜଣାଇବା ବନ୍ଦକରୁ ଓ ଚୀନର ମୁକାବିଲା ନ କରିବାରୁ ବିରତ ରହୁ। ତାଇୱାନ ଚୀନ୍‌ର ଅଭିନ୍ନ ଅଙ୍ଗ। ଏହାକୁ କେହି ବଦଳାଇ ପାରିବେନି। ଆମେରିକା ଭୁଲରେ ମଧ୍ୟ ଚୀନ୍‌ର କ୍ଷମତାକୁ ନ ପରଖୁ। ତାଇୱାନ ପ୍ରସଙ୍ଗକୁ ସଠିକ ଭାବେ ସମ୍ଭାଳି ନ ପାରିଲେ ଦୁଇ ଦେଶର ସର୍ମ୍ପକ ଉପରେ ଏହାର ଗୁରୁତର ପ୍ରଭାବ ପଡିବ ବୋଲି ଚୀନ୍‌ ଖୋଲା ଧମକ ଦେଇଛି।ଅନ୍ୟପକ୍ଷରେ ଚୀନ ଚେତାବନୀ ଉପରେ କଡ଼ା ଜବାବ ରଖିଛି ଆମେରିକା। କ୍ୱାଡ୍‌ ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ବାଇଡେନ ମଧ୍ୟ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ଆମେରିକା କହିଛି ଯେ, ଯଦି ତାଇୱାନ ଉପରେ ଚୀନ ଆକ୍ରମଣ କରେ, ତାହେଲେ ୱାଶିଂଟନ୍‌ ଏଥିରେ ନିଶ୍ଚିତ ରୂପେ ହସ୍ତକ୍ଷେପ କରିବ। ତାଇୱାନ ଉପରେ ବଳପ୍ରୟୋଗ କଲେ ଆମେରିକା ସୈନ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିିବାକୁ ବାଧ୍ୟ ହେବ।
ପ୍ରକାଶଥାଉକି, ତାଇୱାନରେ ଚୀନ ସୈନ୍ୟଙ୍କ ଅନୁପ୍ରବେଶ ବଢ଼ିବାରେ ଲାଗିଛି। ଏକ ରିପୋର୍ଟ ଅନୁସାରେ ଗତ ମାସରେ ୬୮ଟି ଚୀନ ସାମରିକ ବିମାନ ତାଇୱାନ ଆକାଶ ମାର୍ଗ ସୀମାରେ ଅନୁପ୍ରବେଶ କରିଥିଲା।ସେଥିମଧ୍ୟରୁ ୩୦ଟି ଯୁଦ୍ଧ ବିମାନ, ୧୦ଟି ବିସ୍ଫୋରଣକାରୀ ଓ ୯ଟି ହେଲିକପ୍ଟର ରହିଥିଲା। ଗତବର୍ଷ ଚୀନ ୨୩୯ ଦିନରେ ତାଇୱାନ ସୀମାରେ ସର୍ବାଧିକ ୯୬୧ ଥର ଅନୁପ୍ରବେଶ କରିଛି। ଏଭଳି ସ୍ଥିତିକୁ ଦେଖି ସେତେବେଳେ ତାଇୱାନ ପ୍ରତିରକ୍ଷା ମନ୍ତ୍ରଣାଳୟ ତାର ସାଧାରଣ ନାଗରିକଙ୍କୁ ସାମରିକ ସଙ୍କଟ କିମ୍ବା ବିପର୍ଯ୍ୟୟ ସମୟରେ କିଭଳି ନିଜକୁ ସୁରକ୍ଷିତ ରଖିବ ସେଥିପାଇଁ ମାର୍ଗଦର୍ଶିକା ଜାରି କରିଥିଲା। ବାରମ୍ବାର ଚୀନର ଅନୁପ୍ରବେଶ ଓ ଧମକ ଯୋଗୁଁ ତାଇୱାନ ବିମାନ ଆକ୍ରମଣ, ଅଗ୍ନିକାଣ୍ଡ, କୋଠା ଭୁଶୁଡ଼ିବା, ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ତଥା ପ୍ରାକୃତିକ ବିପର୍ଯ୍ୟୟରୁ କିଭଳି ନିଜକୁ ସୁରକ୍ଷିତ ରଖିହେବ ସେ ନେଇ ଏକ ୨୮ ପୃଷ୍ଠାର ହ୍ୟାଣ୍ଡ୍‌ବୁକ୍‌ ଲୋକଙ୍କୁ ବାଣ୍ଟିଥିଲା।ତାଇୱାନକୁ ନେଇ ଚୀନର ଉଦ୍ଦେଶ୍ୟ କ’ଣ ସେକଥା ସାରା ବିଶ୍ୱକୁ ଜଣା ବୋଲି ବାଇଡେନ୍‌ କହିଛନ୍ତି। ତେବେ ଚୀନ ପାଇଁ ପ୍ରମୁଖ ପ୍ରତିବନ୍ଧକ ହୋଇଛି ଆମେରିକା। ସେଥିପାଇଁ ସମସ୍ତ ପ୍ରସ୍ତୁତି ସତ୍ତ୍ବେ ତାଇୱାନ ଉପରେ ଏବେ ସୁଦ୍ଧା ପ୍ରତ୍ୟକ୍ଷ ଆକ୍ରମଣ କରିପାରୁନି ବେଜିଂ। କିନ୍ତୁ ସଂପ୍ରତି ଚୀନ୍‌ର ଧମକ ଆଗାମୀ ଦିନରେ ତାଇୱାନକୁ ନେଇ ଦୁଇ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧ ଅବଶ୍ୟମ୍ଭାବୀ। ଦୀର୍ଘ ଏକବର୍ଷ ହେଲା ୱାଶିଂଟନ୍‌ ପ୍ରତିରକ୍ଷା ସ୍ତରରେ ବେଜିଂ ସହ ତାଇୱାନ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରଚେଷ୍ଟା କରୁଥିବାବେଳେ ଏବେ ଉଭୟ ମୁହାଁମୁହିଁ ହେବା ବିଶ୍ବ ପାଇଁ ନୂଆ ସଙ୍କଟ ସୃଷ୍ଟି କରିଛି। ଚାଇନର ଦକ୍ଷିଣ ପୂର୍ବ ଉପକୂଳଠାରୁ ୧୦୦ ମାଇଲ ଦୂରରେ ରହିଛି ତାଇୱାନ। ତାଇୱାନ ନିଜକୁ ଏକ ସ୍ବାଧୀନ ରାଷ୍ଟ୍ର ଭାବେ ଦାବି କରୁଥିବାବେଳେ ଚୀନ ଏହାକୁ ନିଜର ଅଭିନ୍ନ ଅଙ୍ଗ ବୋଲି ଦାବି କରି ଆସୁଛି।

Spread the love