ବନାଗ୍ନି ଦ୍ବାରା ୨୦୨୧ରେ ୩.୮ ନିୟୁତ ଟନ୍ କାର୍ବନ ନିର୍ଗମନ
ଚନ୍ଦ୍ରଶେଖରପୁର: ଓଡ଼ିଶାରେ ବନାଗ୍ନି ଲଗାତାର ଭାବେ ଶୀର୍ଷରେ ରହୁଛି। ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ(ଏଫ୍ଏସ୍ଆଇ) ତଥ୍ୟ ଅନୁଯାୟୀ ୨୦୨୧ ନଭେମ୍ବରରୁ ୨୦୨୨ ଜୁନ୍ ମଧ୍ୟରେ ଓଡ଼ିଶାରେ ୨୨ ହଜାର ଜଙ୍ଗଲ ନିଆଁ ସାମ୍ନାକୁ ଆସିଥିଲା। ସେହିପରି ୨୦୨୦ ନଭେମ୍ବରରୁ ୨୦୨୧ ଜୁନ୍ ମଧ୍ୟରେ ୫୧ହଜାର ୯୬୮ ବନାଗ୍ନି ସଙ୍ଗଠିତ ହୋଇଥିଲା, ଯାହାକି ଦେଶରେ ସର୍ବାଧିକ। ନାସା ଓ ଇସ୍ରୋର ଉପଗ୍ରହ ତଥ୍ୟ ଅଧ୍ୟୟନରୁ ଜଣାପଡ଼ିଛି ଯେ କେନ୍ଦୁପତ୍ର ଉତ୍ପାଦନ ହେଉଥିବା ଅଞ୍ଚଳରେ ଅଧିକ ଜଙ୍ଗଲ ନିଆଁ ଦେଖାଯାଉଛି। ୨୦୧୧ରୁ ୨୦୨୧ ଅବଧି ମଧ୍ୟରେ କେନ୍ଦୁଗଛ ସହ ସମ୍ପୃକ୍ତ ଜଙ୍ଗଲରେ ସୃଷ୍ଟି ହୋଇଥିବା ଅଗ୍ନିକାଣ୍ଡ ପ୍ରାୟ ୩ ହଜାର ୧୮ ବର୍ଗ କିମି ଥିଲା। ଯାହାକି ଏହି ସମୟ ମଧ୍ୟରେ ରାଜ୍ୟରେ ପୋଡ଼ିଯାଇଥିବା ମୋଟ ଅଞ୍ଚଳର ପ୍ରାୟ ଏକ ତୃତୀୟାଂଶ। ଜଙ୍ଗଲ ନିଆଁ ଦ୍ବାରା ୨୦୨୧ରେ ପ୍ରାୟ ୩.୮ ନିୟୁତ ଟନ୍ କାର୍ବନ ନିର୍ଗମନ ହୋଇଛି, ଯାହାକି ୧ କୋଟି ୫୨ ଲକ୍ଷ କାର୍ରୁ ନିର୍ଗମନ ହେଉଥିବା କାର୍ବନ ସହିତ ସମାନ ବୋଲି ଇଣ୍ଟରନ୍ୟାସନାଲ ଫୋରମ ଫର୍ ଏନଭର୍ଣ୍ଣମେଣ୍ଟ, ସଷ୍ଟନେବଲିଟି ଆଣ୍ଡ ଟେକ୍ନୋଲୋଜି(ଆଇଫରେଷ୍ଟ) ପକ୍ଷରୁ ଆଜି ଏକ ହୋଟେଲରେ ଆୟୋଜିତ ଆଲୋଚନାଚକ୍ରରେ ମତପ୍ରକାଶ ପାଇଛି।
ସଂସ୍ଥା ପକ୍ଷରୁ ଆୟୋଜିତ ‘ଓଡ଼ିଶାରେ ଜଙ୍ଗଲ ନିଆଁ, ଜଳବାୟୁ ପରିବର୍ତ୍ତନ ଓ ଏନ୍ଟିଏଫ୍ପି ସଂଗ୍ରହ’ ଶୀର୍ଷକ ଆଲୋଚନାଚକ୍ରରେ ଯୋଗଦେଇ ପରିବେଶବିତ୍ ତଥା ଆଇଫରେଷ୍ଟ ସିଆଇଓ ଚନ୍ଦ୍ର ଭୂଷଣ କହିଲେ ରାଜ୍ୟର ପ୍ରାୟ ୪୩% ଜଙ୍ଗଲ ମଧ୍ୟମ କିମ୍ବା ଅତ୍ୟଧିକ ନିଆଁ ପ୍ରବଣ। ବଢ଼ୁଥିବା ଜଙ୍ଗଲ ନିଆଁ ଦ୍ବାରା ଜଳବାୟୁ ପ୍ରଭାବିତ ହେଉଛି। ଏଥିସହ ଜଙ୍ଗଲଜାତ ସମ୍ପଦ ତଥା ଜୈବବିବିଧତା ନଷ୍ଟ ମଧ୍ୟ ହେଉଛି। ସାମାଜିକ ଅନୁଷ୍ଠାନ ‘ବସୁନ୍ଧରା’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଗିରି ରାଓ କହିଲେ ବନାଗ୍ନି ରୋକିବାକୁ କେବଳ ସଚେତନତା କାର୍ଯ୍ୟକ୍ରମ କରିଦେଲେ ହେବନି। ବରଂ ଯାହାବି ପଦକ୍ଷେପ ନିଆଯାଉଛି ତାହାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବାକୁ ପଡ଼ିବ। ଜଙ୍ଗଲରେ ନିଆଁ ଥିଲା, ଏବେ ବି ରହିଛି। ଏହାକୁ ରୋକିବାକୁ ବନ କର୍ମଚାରୀଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ। ରାତିରେ ନ ବୁଲିଲେ ଜଙ୍ଗଲରେ ଲାଗୁଥିବା ନିଆଁର କାରଣ ଜାଣିହେବ ନାହିଁ। ଜଙ୍ଗଲ ନିଆଁ ଦ୍ବାରା ବହୁ ଜୀବଜନ୍ତୁ ବି ମରିଯାଉଛନ୍ତି। ସେମାନଙ୍କ କଥା ଚିନ୍ତା କରିବା ଦରକାର। ନ ହେଲେ ଜଙ୍ଗଲ, ଜୀବଜନ୍ତୁ କମୁଥିବେ, ଏହାକୁ କେହି ରୋକି ପାରିବେ ନାହିଁ।
ଓଡ଼ିଶା ବନ୍ୟପ୍ରାଣୀ ସମିତି ସମ୍ପାଦକ ବିଶ୍ବଜିତ୍ ମହାନ୍ତି ଯୋଗଦେଇ କହିଲେ ଆମ ପାଖରେ ସବୁ ରହିଛି, ମାତ୍ର ତାହାକୁ ଠିକ୍ ଭାବେ ବ୍ୟବହାର କରାଯାଉ ନାହିଁ। ଜଙ୍ଗଲ ନିଆଁ ପ୍ରତି ବନ ବିଭାଗ ବାରମ୍ବାର ଅବହେଳା ପ୍ରଦର୍ଶନ କରୁଛି। ଫାୟାର ସ୍କ୍ବାଡ୍ ରହିଥିଲେ ମଧ୍ୟ ସେମାନେ ଅନ୍ୟ କାମରେ ଲାଗୁଛନ୍ତି। ଜଙ୍ଗଲ ନିଆଁ ଲାଗିବାର ୩୦ ମିନିଟ୍ ମଧ୍ୟରେ ତାହାକୁ ଆୟତ୍ତ କରିବାକୁ ହେବ। ନହେଲେ ରୋକିବା ସମ୍ଭବପର ନୁହେଁ। ନିଆଁ ଲିଭାଇବାକୁ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗ ମଧ୍ୟ ନିହାତି ଆବଶ୍ୟକ। ସେମାନଙ୍କୁ ପ୍ରୋତ୍ସାହିତ ସହ ପୁରସ୍କାର ରାଶି ଦେବାର ବ୍ୟବସ୍ଥା ହେବା ଦରକାର ବୋଲି ସେ ମତପ୍ରକାଶ କରିଥିଲେ। ବନ୍ୟପ୍ରାଣୀ ବିଶେଷଜ୍ଞ ସୁଶିଲ କୁମାର ଦତ୍ତ ବନାଗ୍ନି ଦ୍ବାରା କେବଳ ଯେ ବାଘ, ହାତୀ ପ୍ରଭାବିତ ହେଉଛନ୍ତି ତାହା ନୁହେଁ। ଛୋଟ ସରୀସୃପ ଜାତୀୟ ଜୀବଜନ୍ତୁ ପ୍ରାଣ ହରାଇବା ସହ ଜଙ୍ଗଲଜାତ ସାମଗ୍ରୀ ଉପରେ ପ୍ରଭାବ ପଡ଼ୁଥିବା କହିଥିଲେ। ଆଇଫରେଷ୍ଟ ଶକ୍ତି ଓ ଜଳବାୟୁ ପରିବର୍ତ୍ତନର କାର୍ଯ୍ୟକ୍ରମ ନିର୍ଦ୍ଦେଶକ ମନଦେଭୀ ସିଂ ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେ ଉପରେ ଆଲୋକପାତ କରିଥିଲେ।