ଆତ୍ମସମୀକ୍ଷା କରନ୍ତୁ ବିରୋଧୀ ଦଳ: ଦାମ
ଭୁବନେଶ୍ବର : ବେଦାନ୍ତ ବିଶ୍ବବିଦ୍ୟାଳୟ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟ ଆସିଲା ପରେ ବିରୋଧୀ ବିଜେପି ଓ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ଏହି ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ। ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ପରିବର୍ତ୍ତେ ବିରୋଧୀ ଦଳ ଆତ୍ମସମୀକ୍ଷା କରିବାକୁ ସେ ପରାମର୍ଶ ଦେଇଛନ୍ତି।
ଶ୍ରୀ ରାଉତ କହିଛନ୍ତି, ଆମ ଗଣତାନ୍ତ୍ରିକ ବ୍ୟବସ୍ଥାରେ ମନ୍ତ୍ରିମଣ୍ଡଳର ଦାୟିତ୍ବ ହେଉଛି ମିଳିତ ଦାୟିତ୍ବ। ଏଥିରେ ବିଭାଗୀୟ ମନ୍ତ୍ରୀମାନେ ସଂପୃକ୍ତ ବିଭାଗର ସରକାର ଭାବେ କାର୍ଯ୍ୟ କରନ୍ତି। ବିବାଦୀୟ ବେଦାନ୍ତ ବିଶ୍ବବିଦ୍ୟାଳୟ ପ୍ରସ୍ତାବ ସମୟରେ ରାଜ୍ୟରେ ମିଳିତ ସରକାର ଥିଲା। ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହୋଇଥିଲେ ମଧ୍ୟ ବିଜେପି ସରକାରରେ ପ୍ରମୁଖ ଦାବିଦାର ଭାବରେ ବିଭିନ୍ନ ଦାୟିତ୍ବ ତୁଲାଉଥିଲେ। ସେହି ସମୟରେ ଉଚ୍ଚଶିକ୍ଷା ମନ୍ତ୍ରୀ ଥିଲେ ବିଜେପିର ସମୀର ଦେ ଓ ରାଜସ୍ବ ବିଭାଗର ମନ୍ତ୍ରୀ ଥିଲେ ମନମୋହନ ସାମଲ। ଆଇନ ବିଭାଗ ମଧ୍ୟ ବିଜେପି ହାତରେ ଥିଲା। ଅନିଲ ଅଗ୍ରୱାଲଙ୍କ କମ୍ପାନି ବେଦାନ୍ତ ବିଶ୍ବବିଦ୍ୟାଳୟ ସ୍ଥାପନ ପାଇଁ ଦେଇଥିବା ପ୍ରସ୍ତାବକୁ ଉଚ୍ଚଶିକ୍ଷା ବିଭାଗ ଗ୍ରହଣ କରିଥିଲା ଏବଂ ୬ ହଜାର ଏକର ଜମି ଦେବା ପାଇଁ ରାଜସ୍ବ ବିଭାଗ ମଧ୍ୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା। ପୃଥିବୀରେ କୌଣସି ବିଶ୍ବବିଦ୍ୟାଳୟକୁ ଏତେ ପରିମାଣରେ ଜମି ଯୋଗାଇ ଦିଆଯାଇନାହିଁ, ଯାହା ଆମ ରାଜ୍ୟରେ ତତ୍କାଳୀନ ମିଳିତ ସରକାରରେ ଥିବା ବିଜେପିର ଉଭୟ ଉଚ୍ଚଶିକ୍ଷା ଓ ରାଜସ୍ବ ବିଭାଗ ବେଦାନ୍ତ କମ୍ପାନିକୁ ଯୋଗାଇ ଦେଇଥିଲେ।
ଯେଉଁ ୬ ହଜାର ଏକର ଜମି ଦେବାକୁ ନିଷ୍ପତ୍ତି ହୋଇଥିଲା, ତାହା ମଧ୍ୟରେ ୧୫୦୦ ଏକର ଥିଲା ଶ୍ରୀଜଗନ୍ନାଥଙ୍କ ଅମୃତ ମଣୋହି ସମ୍ପତ୍ତି। ଏହାକୁ ବିଭିନ୍ନ କ୍ଷେତ୍ରରେ ବିରୋଧ ଆରମ୍ଭ ହେଲା। ପୁରୀର ଯୁବନେତା ଉମାବଲ୍ଲଭ ରଥ ପୁରୀ ଜିଲ୍ଲା ସମେତ ଅନ୍ୟାନ୍ୟ ଜିଲ୍ଲାକୁ ରଥଯାତ୍ରା କରି ପ୍ରସ୍ତାବିତ ବେଦାନ୍ତ ବିଶ୍ବବିଦ୍ୟାଳୟ ବିରୋଧରେ ଆନ୍ଦୋଳନ ପାଇଁ ଜୋର୍ଦାର ଉଦ୍ୟମ ଚଳାଇଥିଲେ। ମହାପ୍ରଭୁ ଜଗନ୍ନାଥଙ୍କ ଅମୃତ ମଣୋହି ସମ୍ପତ୍ତିକୁ କମ୍ପାନିକୁ ଟେକିଦେବା ପାଇଁ ଉଦ୍ୟମ ହେଉଥିଲେ ବି ଆଇନ ବିଭାଗର ନିରବତା ରହସ୍ୟଜନକ ଥିଲା। ସେତେବେଳେ ଆଇନ ବିଭାଗ ମଧ୍ୟ ବିଜେପି ମନ୍ତ୍ରୀଙ୍କ ହାତରେ ଥିଲା। ଏହି ସମୟରେ ହାଇଦ୍ରାବାଦର ଏକ ଗବେଷଣା ସଂସ୍ଥା ସେହି ଜମିରେ ଥିବା କିଛି ବାଲୁକାସ୍ତୂପରେ ୟୁରାନିୟମ୍ ପରି ଅତ୍ୟନ୍ତ ମୂଲ୍ୟବାନ ଧାତୁ ରହିଛି ବୋଲି ଘୋଷଣା କଲା। କିନ୍ତୁ ଏହି ମତାମତକୁ ରାଜସ୍ବ କିମ୍ବା ଉଚ୍ଚଶିକ୍ଷା ବିଭାଗକୁ ବିଚାରକୁ ନନେବା ଆଶ୍ଚର୍ଯ୍ୟଜନକ ଥିଲା।
ଏହି ସମୟରେ ବେଦାନ୍ତ ବିଶ୍ବବିଦ୍ୟାଳୟ ବିରୋଧରେ ବିଶିଷ୍ଟ ଶ୍ରମିକ ନେତା ଦ୍ବାରିକାମୋହନ ମିଶ୍ର ଲୋକାୟୁକ୍ତରେ ଏକ ମାମଲା ଦାୟର କଲେ। ଏଥିପାଇଁ ରାଜସ୍ବ ବିଭାଗ ଏକ ଅଧ୍ୟାଦେଶ ପାଇଁ ନିଷ୍ପତ୍ତି ନେଲେ। ନିୟମ ଅନୁଯାୟୀ ଅଧ୍ୟାଦେଶରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ବାଧ୍ୟତାମୂଳକ। ମୁଖ୍ୟମନ୍ତ୍ରୀଙ୍କ ପ୍ରକୃତ ଅନୁମୋଦନ ନନେଇ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ଦାୟିତ୍ବରେ ଥିବା ତତ୍କାଳୀନ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପ୍ରତ୍ୟାଶା କରି ରିପୋର୍ଟ ଦେଲେ। ଏହି ଘଟଣା ମଧ୍ୟ ସେତେବେଳେ ବିବାଦ ଭିତରକୁ ଆସିଥିଲା। ଶେଷରେ ଲୋକାୟୁକ୍ତ ବେଦାନ୍ତ ବିଶ୍ବବିଦ୍ୟାଳୟ ବିରୋଧରେ ନିଷ୍ପତ୍ତି ଘୋଷଣା କଲେ।
ଲୋକାୟୁକ୍ତଙ୍କ ନିଷ୍ପତ୍ତି ବିରୋଧରେ ସରକାରଙ୍କ ତରଫରୁ ସଂପୃକ୍ତ ବିଭାଗ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ। ହାଇକୋର୍ଟ ମଧ୍ୟ ଲୋକାୟୁକ୍ତଙ୍କ ନିଷ୍ପତ୍ତିକୁ ଗ୍ରହଣ କରି ବେଦାନ୍ତ ବିଶ୍ବବିଦ୍ୟାଳୟ ପ୍ରସ୍ତାବକୁ ନାମଞ୍ଜୁର କଲେ। ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ ଓ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଗ୍ରହଣ କରି ସୁପ୍ରିମକୋର୍ଟ ରାୟ ଘୋଷଣା କଲେ। ବେଦାନ୍ତ କମ୍ପାନିକୁ ଜରିମାନା ନିର୍ଦ୍ଦେଶ ଦେବା ସହ ସରକାରଙ୍କୁ ସୁପ୍ରିମକୋର୍ଟ ଭର୍ତ୍ସନା କଲେ। କୌତୂହଳର ବିଷୟ ଯେ ତତ୍କାଳୀନ ସରକାରରେ ଉଚ୍ଚଶିକ୍ଷା, ରାଜସ୍ବ ଓ ଆଇନ ବିଭାଗ ଦାୟିତ୍ବ ଗ୍ରହଣ କରିଥିବା ବିଜେପି ଏବେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଛି। ସେହିଭଳି ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନନେଇ ଯେଉଁ ଅଧିକାରୀ ଚଞ୍ଚକତା କରି ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପ୍ରତ୍ୟାଶା କରି ମତ ରଖିଥିଲେ, ସେହି ଅଧିକାରୀ ଏବେ କେଉଁ ଦଳର ନେତା ହୋଇଛନ୍ତି ସେ ସମ୍ପର୍କରେ ଚିନ୍ତା ନକରି ପିସିସି ସଭାପତି ଶରତ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଲୋକମତକୁ ବିଭ୍ରାନ୍ତ କରୁଛନ୍ତି ବୋଲି ଶ୍ରୀ ରାଉତ କହିଛନ୍ତି।