ଫିଲ୍ମ ‘ଦି କାଶ୍ମୀର ଫାଇଲ’କୁ ନେଇ କେଜରିୱାଲଙ୍କ ବୟାନ; କାଶ୍ମୀର ପଣ୍ଡିତ ପୁନର୍ବାସ ଚାହାନ୍ତି ଫିଲ୍ମ ନୁହେଁ

ନୂଆଦିଲ୍ଲୀ: ଫିଲ୍ମ ‘ଦି କାଶ୍ମୀର ଫାଇଲ୍‘କୁ ଟ୍ୟାକ୍ସ ଫ୍ରି କରିବା ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ ୟୁଟ୍ୟୁବ୍ ବୟାନ ବେସ୍ ଭାଇରାଲ୍ ହୋଇଥିଲା। ଫିଲ୍ମକୁ ନେଇ ମୁଖ୍ୟମନ୍ତ୍ରୀ ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। ଏବେ ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେକୁ ସାକ୍ଷାତ୍‌କାର ଦେଇ ଫିଲ୍ମକୁ ନେଇ ପୁଣିଥରେ ବିଜେପିକୁ ଟାର୍ଗେଟ୍ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ।

କାଶ୍ମୀର ପଣ୍ଡିତ ପୁନର୍ବାସ ଚାହାନ୍ତି ଫିଲ୍ମ ନୁହେଁ। ବିଜେପି ଫିଲ୍ମକୁ ନେଇ ରାଜନୀତି କରୁଛି ବୋଲି କେଜରିୱାଲ୍ କହିଛନ୍ତି। ସେ କହିଛନ୍ତି “କାଶ୍ମୀର ଅତି ଦୁଃଖଦ ଘଟଣା ଘଟିଥିଲା। ଏହା ଭିତରେ ୩୨ ବର୍ଷ ବିତିଯାଇଛି। ଆଉ ୩୨ ବର୍ଷ ପରେ ସରକାର କାଶ୍ମୀର ପଣ୍ଡିତଙ୍କୁ କହୁଛନ୍ତି ଆମେ ତୁମ ପାଇଁ ଫିଲ୍ମ ତିଆରି କରିଦେଉଛୁ ଦେଖ। କାଶ୍ମୀର ପଣ୍ଡିତମାନେ ଫିଲ୍ମ ଚାହାଁନ୍ତି ନାହିଁ ସେମାନେ ଚାହାଁନ୍ତି ପୁନର୍ବାସ।”

ସେହିପରି ଟ୍ୟାକ୍ସ ଛାଡ଼ ନ କରିବା ନେଇ ପ୍ରଶ୍ନ କରିବା ପରେ କେଜରିୱାଲ କହିଛନ୍ତି “ମୋ ପାଇଁ ଫିଲ୍ମ ଗୁରୁତ୍ୱପୂର୍ଣ୍ଣ ନୁହେଁ। ବିଜେପି ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପାରେ।”

ସେ ଆହୁରି ମଧ୍ୟ କହିଛନ୍ତି ଯେ ଆପଣ ସମସ୍ତ କାଶ୍ମୀର ପଣ୍ଡିତମାନଙ୍କୁ ପଚାରନ୍ତୁ। ସେମାନେ ପୁନର୍ବାସ ଚାହାଁନ୍ତି ବୋଲି କହିବେ। ଆଉ ବିଜେପି ୮ ବର୍ଷ ହେଲା କ୍ଷମତାରେ ରହିଛି। ତେବେ କାହିଁକି ଏପର୍ଯ୍ୟନ୍ତ ସେମାନଙ୍କର ପୁନର୍ବାସ କରାଯାଇ ନାହିଁ ବୋଲି କେଜରିୱାଲ ପ୍ରଶ୍ନ କରିଛନ୍ତି।

କାଶ୍ମୀର ପଣ୍ଡିତଙ୍କ ପାଇଁ ଦିଲ୍ଲୀ ସରକାର କ’ଣ କରିଛନ୍ତି ସେ ବିଷୟର ସୂଚନା ଦେଇ କେଜରିୱାଲ୍ କହିଛନ୍ତି  “ଯେଉଁ କାଶ୍ମୀର ପଣ୍ଡିତମାନେ ଦିଲ୍ଲୀ ଆସିଛନ୍ତି ସେମାନଙ୍କ ପାଇଁ ଆମେ ଯଥା ସମ୍ଭବ ଚେଷ୍ଟା କରିଛୁ। ୧୯୯୩ରେ ସେମାନଙ୍କୁ ଚୁକ୍ତିଭିତ୍ତିକ ଶିକ୍ଷକ ଭାବରେ ନିଯୁକ୍ତି ଦିଆଯାଇଥିଲା। ସେବେଠାରୁ ସେମାନେ ଅସ୍ଥାୟୀ ଶିକ୍ଷକ ଭାବେ ଚାକିରି କରୁଛନ୍ତି। ଏହାରି ଭିତରେ ବିଜେପି ଓ କଂଗ୍ରେସ ସରକାର ଗଢ଼ିଲେ ବି କେହି ସେମାନଙ୍କୁ ଏପର୍ଯନ୍ତ ସ୍ଥାୟୀ ନିଯୁକ୍ତି ଦେଇପାରି ନଥିଲେ। ହେଲେ ଆମେ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେଇଛୁ। କାଶ୍ମୀର ପଣ୍ଡିତ ଦୁର୍ଦ୍ଦଶା ନେଇ ମୁଁ ରାଜନୀତି କରେ ନାହିଁ।”

ଦି କାଶ୍ମୀର ଫାଇଲ୍ ଫିଲ୍ମ ଗୋଟେ ଉଦ୍ଦେଶ୍ୟପ୍ରଣୋଦିତ ଫିଲ୍ମ କି ବୋଲି ପ୍ରଶ୍ନ କରିବାରୁ କେଜରିୱାଲ୍ କହିଛନ୍ତି “ମୁଁ ଫିଲ୍ମ ଦେଖି ନାହିଁ। ହେଲେ ମୋ କହିବା କଥା ହେଲା କାଶ୍ମୀର ପଣ୍ଡିତ ପୁନର୍ବାସ ଚାହାଁନ୍ତି ଫିଲ୍ମ ନୁହେଁ।”

Spread the love