ଆସନ୍ତା ୨୯ରୁ ମୌସୁମୀକାଳୀନ ବିଧାନସଭା ଅଧିବେଶନ ପାଇଁ ବିଧାୟକ ଦଳ ବୈଠକ

ଭୁବନେଶ୍ୱର, ୨୬/୦୯: ଆସନ୍ତା ୨୯ ତାରିଖରୁ ମୈାସୁମୀକାଳୀନ ରାଜ୍ୟ ବିଧାନସଭା ବୈଠକ ଅନୁଷ୍ଠିତ ହେବାର ସ୍ଥିର ହୋଇଛି। ମୁଖ୍ୟ ବିରୋଧୀ ଦଳ ଭାବେ ଭାରତୀୟ ଜନତା ପାର୍ଟୀ ରାଜ୍ୟବାସୀଙ୍କ ସମସ୍ୟା ଓ ଅଭିଯୋଗଗୁଡିକ ବିଧାନସଭାରେ ଉପସ୍ଥାପନ କରିବ। ରଣନୀତି ପ୍ରସ୍ତୁତି ପାଇଁ ଆଜି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକ ୱେବିନାର ଭିଡିଓ କନଫରେନ୍ସ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସଭାପତି  ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା। ଏହି ବୈଠକରେ ବିରୋଧୀ ଦଳନେତା ପ୍ରଦୀପ୍ତ ନାଏକ, ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ, ବରିଷ୍ଠ ନେତା ଓ ସାଂସଦ ଜୁଏଲ ଓରାମ, ସୁରେଶ ପୁଜାରୀ, କେ.ଭି.ସିଂହଦେଓ, ବିରୋଧୀ ଦଳ ଉପନେତା ବିଷ୍ନୁ ସେଠୀ, ମୁଖ୍ୟ ସଚେତକ ମୋହନ ମାଝୀଙ୍କ ସମେତ ସମସ୍ତ ବିଧାୟକ, ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ରବି ନାଏକ ଏବଂ ଡ.ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ସାମିଲ ହୋଇଥିଲେ।

ବିଜୁଳି ଦର ବୃଦ୍ଧି, ସାଂପ୍ରତିକ ମନୁଷ୍ୟକୃତ ବନ୍ୟା, ବଗଲା ଧର୍ମଶାଳା ଜମି ଦୁର୍ନୀତି, ତୃଟିପୂର୍ଣ୍ଣ କୋଭିଡ-୧୯ ପରିଚାଳନା, ପ୍ରବାସୀ ଓଡିଆ ଶ୍ରମିକ ସମସ୍ୟା, ନୂତନ ଓଡିଶା ବିଶ୍ୱବିଦ୍ୟାଳୟ ଆଇନ, ସାର ଦୁର୍ନୀତି, ଓଏମବିଡିଏସି/ଡିଏମଏଫ/କାଂପା ଫଣ୍ଡର ବ୍ୟାପକ ଅନୀୟମିତତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତି ଆଦି ମୁଖ୍ୟ ପ୍ରସଙ୍ଗ ରହିବ। ସେହିପରି ଆୟୁଷ୍ମାନ ଭାରତଯୋଜନାରେ ଓଡିଶା ସାମିଲ, ପ୍ରଧାନମନ୍ତ୍ରୀ କିଶାନ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା କ୍ରମଶଃ ହ୍ରାସ ପାଇବା ସଂପର୍କରେ ମଧ୍ୟ ବିଧାନସଭା ଅଧିବେସନରେ ଆଲୋଚନା କରାଯିବ ବୋଲି ମୁଖ୍ୟ ସଚେତକ ମୋହନ ମାଝୀ ବୈଠକ ପରେ ସୁଚନା ଦେଇ କହିଛନ୍ତି ।

Spread the love