୭ରେ ଭାରତ ବନ୍ଦ ଡାକରା ଦେଲା ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ

ଭୁବନେଶ୍ବର : ଭାରତ ସରକାର ୟୁନିଫର୍ମ ସିଭିଲ୍‌ କୋଡ୍‌ ନିୟମକୁ ଲାଗୁ କରିବା ପାଇଁ ଯୋଜନା କରୁଛନ୍ତି। ଏଥ‌ିପାଇଁ ଗତ ୧୪ତାରିଖରେ ଏକ ବିଜ୍ଞପ୍ତି ଜାରି କରି ସମସ୍ତ ସାମାଜିକ ସଂଗଠନ ମାନଙ୍କଠାରୁ ୩୦ ଦିନ ମଧ୍ୟରେ ମତାମତ ଲୋଡିଛନ୍ତି। ଦେଶରେ ଏହି ନିୟମ ଲାଗୁ ହେଲେ ଆଦିବାସୀମାନଙ୍କର ପୃଥକ ସଂସ୍କୃତି, ପରମ୍ପରା ଓ ପରିଚୟ ଆଧାରରେ ତାଙ୍କୁ ସ୍ବତନ୍ତ୍ର ବା ସ୍ବ-ଶାସନ ଭଳି ଯେଉଁ ସାମ୍ବିଧାନିକ ବିଶେଷ ଅଧିକାର ମିଳିଛି ତାହା ସବୁଦିନ ପାଇଁ ସମାପ୍ତ ହୋଇଯିବ। ଜଙ୍ଗଲ ଆଇନ ଅଧିନିୟମକୁ ଅସାମ୍ବିଧାନିକ ଉପାୟରେ ସଂଶୋଧନ କରି ଜଳ, ଜଙ୍ଗଲ ଓ ଜମିକୁ ଆଦିବାସୀମାନଙ୍କଠାରୁ ଛଡାଇ ନେଇ ବିଦେଶୀ କମ୍ପାନିକୁ ହସ୍ତାନ୍ତର କରିବା ପାଇଁ ଏକ ବିରାଟ ବଡ ଷଡ଼୍‌ଯନ୍ତ୍ର ରଚିବାକୁ ବର୍ତ୍ତମାନର ସରକାର ଯୋଜନା କରୁଛନ୍ତି। ଏହା ଦ୍ବାରା ଆଦିବାସୀମାନଙ୍କର ଅସ୍ଥିତ୍ୱ ଉପରେ ବହୁତ ବଡ ପ୍ରଶ୍ନ ଛିଡ଼ା ହେବ। ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ଆଜି ଲୋହିଆ ଏକାଡେମି ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏଭଳି ମତ ପ୍ରକାଶ ପାଇଛି।ଏହା ସହିତ ସରକାରଙ୍କର ଅନ୍ୟାନ୍ୟ ୧୯ଟି ଆଦିବାସୀ ବିରୋଧୀ ନୀତିକୁ ସଂଗଠନ ତରଫରୁ ବିରୋଧ କରାଯାଇ ଆଗାମୀ ଦିନରେ ୪ ଦଫାରେ ଆନ୍ଦୋଳନ ଘୋଷଣା କରାଯାଇଛି। ଚଳିତ ୬ତାରିଖରେ ଜିଲ୍ଲା ସ୍ତରରେ ଧାରଣା ପ୍ରଦର୍ଶନ ଓ ସ୍ମାରକପତ୍ର ପ୍ରଦାନ, ୧୮ତାରିଖରେ ତହସିଲ ସ୍ତରରେ ଧାରଣା ପ୍ରଦର୍ଶନ ଓ ସ୍କାରକପତ୍ର ପ୍ରଦାନ, ୨୭ତାରିଖରେ ଜିଲ୍ଲା ସ୍ତରରେ ଶୋଭାଯାତ୍ରା ଓ ସ୍ମାରକପତ୍ର ପ୍ରଦାନ ଓ ଅଗଷ୍ଟ ୭ ତାରିଖରେ ଭାରତ ବନ୍ଦ ଡାକରା ଦିଆଯାଇଛି। ଯଦି ଏହି କଳା ଆଇନକୁ ରଦ୍ଦ କରା ନ ଯାଏ ତେବେ ଆନ୍ଦୋଳନ ଆହୁରି ତୀବ୍ର ରୂପ ଧାରଣ କରିବ ବୋଲି ପରିଷଦ ପକ୍ଷରୁ ଚେତାବନୀ ଦିଆଯାଇଛି।

ଏହି ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦର ଓଡ଼ିଶା ରାଜ୍ୟ ସଭାପତି ପ୍ରଦୀପ କହଁର, ବହୁଜନ କ୍ରାନ୍ତି ମୋର୍ଚ୍ଚାର ଓଡ଼ିଶା ରାଜ୍ୟ ସଂଯୋଜିକା ସେବତୀ ସୋରେନ, ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚାର ଓଡ଼ିଶା ରାଜ୍ୟ ସଭାପତି ଜଗଦୀଶ ଯାଦବ, ରାଷ୍ଟ୍ରୀୟ ମୂଳନିବାସୀ ମହିଳା ସଂଘର ଓଡ଼ିଶା ରାଜ୍ୟ ସଭାନେତ୍ରୀ ପୂର୍ଣ୍ଣିମା ସିଂ, ଭାରତ ମୁକ୍ତି ମୋର୍ଚ୍ଚାର ଓଡିଶା ରାଜ୍ୟ ସଭାପତି ଧମ୍ମରାଜ ନାଗବଂଶୀ, ଭାରତ ମୁକ୍ତି ମୋର୍ଚ୍ଚାର ମୟୂରଭଞ୍ଜ ଜିଲ୍ଲା ସଭାପତି ଭାଦୁରାମ ସୋରେନ, ଭାରତ ମୁକ୍ତି ମୋର୍ଚ୍ଚାର ଓଡିଶା ରାଜ୍ୟ କାର୍ଯ୍ୟକାରୀ ସଭାପତି ଲବ କରୁଆଁ, ଭାରତ ମୁକ୍ତି ମୋର୍ଚ୍ଚା ଯୁବା ମହିଳା ଶାଖା ରାଷ୍ଟ୍ରୀୟ ଅଧ୍ୟକ୍ଷା କମଳିନୀ ଯାଦବ, ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ଓଡିଶା ରାଜ୍ୟ କାର୍ଯ୍ୟକର୍ତ୍ତା ମୀନା ସିଂ, ବରିଷ୍ଠ କାର୍ଯ୍ୟକର୍ତ୍ତା ଗଙ୍ଗାଧର ଜାଲ ପ୍ରମୁଖ ଉପସ୍ଥିତ ଥିଲେ।

Spread the love