କିମ୍ସରେ ଖୋଲିଲା ପୋଷ୍ଟ କୋଭିଡ୍ କେୟାର ସ୍ପେସିଆଲିଟି କ୍ଲିନିକ

ଭୁବନେଶ୍ୱର, ୧/୧୧: କିମ୍ସରେ ଖୋଲିଲା ପୋଷ୍ଟ କୋଭିଡ୍ କେୟାର ସ୍ପେସିଆଲିଟି କ୍ଲିନିକ। କରୋନା ସମୟରେ କିମସ ଦ୍ଵାରା ପରିଚାଳିତ ଓଡିଶା କୋଭିଡ ହସପିଟାଲରେ ପାଖାପାଖି ୬ ହଜାର କରୋନା ଆକ୍ରାନ୍ତ ରୋଗୀ ଚିକିତ୍ସିତ ହୋଇ ସାରିଥିବାବେଳେ ସେମାନଙ୍କ ମଧ୍ୟରୁ ଅନେକ କୋଭିଡ ପରବର୍ତ୍ତୀ ସମସ୍ୟା ନେଇ ରୁଟିନ ଚେକଅପ ପାଇଁ ଆସୁଛନ୍ତି।


ଏହି ରୋଗୀମାନେ କୋଭିଡ ହସପିଟାଲରୁ ବାହାରିବାର କିଛି ମାସ ପରେ ସେମାନଙ୍କଠାରେ ଦୁର୍ବଳତା, ହାଲିଆ ଲାଗିବା, ଶ୍ଵାସ ପ୍ରଶ୍ଵାସରେ କଷ୍ଟ, ଶରୀର ଓ ଗଣ୍ଠିରେ ଯନ୍ତ୍ରଣା ଅନୁଭୂତ ହେବା ଆଦି ଲକ୍ଷଣ ପ୍ରକାଶ ପାଉଛି। ଏହି ରୋଗୀଙ୍କ ମଧ୍ୟରେ ଅଧିକାଂଶ ବୟସ୍କ ବ୍ୟକ୍ତି ଥିବା ବେଳେ ସେମାନଙ୍କ କିଡନୀ ଓ ଫୁସଫୁସରେ ଦୀର୍ଘ ସମୟ ଧରି ସମସ୍ୟା ଲାଗି ରହୁଛି। ଏହିଭଳି ସମସ୍ୟାର ସମୁଖୀନ ହେଉଥିବା ରୋଗୀଙ୍କ ପାଇଁ କିମସରେ ଏକ ସ୍ପେସିଆଲିଟି କ୍ଲିନିକ ଖୋଲାଯାଇଛି। ଏଥିରେ କୋଭିଡ ପରବର୍ତ୍ତୀ ରୋଗ ଲକ୍ଷଣର ଚିକିତ୍ସା କରାଯାଉଛି। ଇଣ୍ଟରନାଲ ମେଡ଼ିସିନ ଓ ରେସ୍ପିରେଟୋରୀ ମେଡ଼ିସିନର ବରିଷ୍ଠ ବିଶେଷଜ୍ଞମାନେ ଏଭଳି ରୋଗୀଙ୍କୁ ଆବଶ୍ୟକ ପରାମର୍ଶ ଦେଉଛନ୍ତି। ପ୍ରତ୍ୟେହ ସକାଳ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଏହି ବହିର୍ବିଭାଗ ଖୋଲା ରହୁଛି। ପରୀକ୍ଷା ପରେ ଯେଉଁ ରୋଗୀଙ୍କଠାରେ କିଡନୀ ଓ ଫୁସଫୁସ ଜନିତ ସମସ୍ୟା ଦେଖାଯାଉଛି ଆବଶ୍ୟକ ସ୍ଥଳେ ସେମାନଙ୍କୁ ରୁମାଟୋଲୋଜି, ହୃଦରୋଗ ବିଶେଷଜ୍ଞ, ସ୍ନାୟୁରୋଗ ବିଶେଷଜ୍ଞ ଓ ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ଦିଆଯାଉଛି।

ବିଶେଷ କରି କୋଭିଡ ହସପିଟାଲରୁ ଯେଉଁ ରୋଗୀମାନେ ଚିକିତ୍ସିତ ହୋଇ ଘରକୁ ଫେରୁଛନ୍ତି, ସେମାନେ ଏହି ସ୍ପେସିଆଲିଟି କ୍ଲିନିକରୁ ଉପକୃତ ହୋଇ ପାରୁଥିବା ବେଳେ ମଧୁମେହ, ଉଚ୍ଚ ରକ୍ତଚାପ ଓ ହୃଦରୋଗୀମାନେ ମଧ୍ୟ ଏହି କ୍ଲିନିକରୁ ଆବଶ୍ୟକ ପରାମର୍ଶ ଓ ଚିକିତ୍ସା ପାଇ ପାରୁଛନ୍ତି।

Spread the love