ଅସଲି ପୁଲିସଙ୍କୁ ଠକିଲେ ନକଲି: ୪ ଗିରଫ

କଟକ: ପୁଲିସ ପରିଚୟରେ ଲୁଟୁଥିବା ଏକ ଲୁଟେରା ଗ୍ୟାଙ୍ଗର ୪ ଜଣଙ୍କୁ ଗିରଫ କରିଛି ପୁଲିସ। କଟକ ଓଏମପି ଷଷ୍ଠ ବାଟାଲିୟନର ଦୁଇ ପୁଲିସ କର୍ମଚାରୀଙ୍କୁ ଏହି ନକଲି ପୁଲିସ ଲୁଟିଥିଲେ। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ଜଗତସିଂହପୁର ବିରିଡ଼ିର ଇତୁ ଓରଫ ମନୋଜ ପଟ୍ଟନାୟକ(୩୮), ଯାଜପୁର ରାମଚନ୍ଦ୍ରପୁରର ସରୋଜ ଓରଫ କାନ୍ତ ଜେନା(୪୫), କିଶନଗରର ରାଜେଶ କୁମାର ଖୁଣ୍ଟିଆ(୩୦) ଓ ସୁଶାନ୍ତ କୁମାର ସେଠୀ (୩୭)। ଏହି ଠକେଇ କାରବାରରେ ସରୋଜ ଜେନା ମୁଖ୍ୟ କାର୍ପଟଦାର ବୋଲି କୁହାଯାଉଛି। ପୁଲିସ ଏହି ଲୁଟେରାଙ୍କ ନିକଟରୁ ୧ ଲକ୍ଷ ୩୦ ହଜାର ଟଙ୍କା, ଏକ କାର୍ (ଓଡି ୦୨ ଏଜେଡ୍ ୬୯୩୪), ଦୁଇ ସୁନା ହାର ଜବତ ହୋଇଛି। ଏହି ମାମଲାରେ ସହଯୋଗୀ ବାପୁନି ଭୋଇ ଓ ସ୍ବାଧୀନ ପ୍ରଧାନ ଫେରାର ହୋଇଯାଇଛନ୍ତି। ୪ ବର୍ଷ ଭିତରେ ଏହି ଗ୍ୟାଙ୍ଗ୍ ପାଖାପାଖି ଏକ କୋଟି ଟଙ୍କା ଠକି ନେଇଥିବା ପୁଲିସ ଆକଳନ କରୁଛି।

ସୂଚନା ଅନୁଯାୟୀ, ସାଧାରଣ ଲୋକଙ୍କ ନିକଟରୁ ୧୦୦ ଟଙ୍କା ବଦଳରେ ୫୦୦ ଟଙ୍କା ନୋଟ୍ ନେବା ପାଇଁ ୨୦ ପ୍ରତିଶତ କମିସନ ଲୋଭ ଦେଖାଇ ଏକ ଲୁଟେରା ଗ୍ୟାଙ୍ଗ ୨୦୧୯ରୁ ଠକି ଆସୁଥିଲେ। ଏହି ଗ୍ୟାଙ୍ଗରେ ମୋଟ ୬ ଜଣ ସଦସ୍ୟ ଅଛନ୍ତି। ଏଥିରେ କାର୍ପଟଦାର ସରୋଜ ଥିବା ବେଳେ ସହଯୋଗୀ ଇତୁ, ରାଜେଶ, ସୁଶାନ୍ତ କୁମାର ସେଠୀଙ୍କ ସମେତ ବିରିଡ଼ିର ବାପୁନି ଭୋଇ, ରଘୁନାଥପୁରର ସ୍ବାଧୀନ ପ୍ରଧାନ ଏହି ଗ୍ୟାଙ୍ଗରେ ସାମିଲ ହୋଇଛନ୍ତି। ଚୌଦ୍ବାର ସର୍କଲ ଜେଲ୍ ଓ ଜଗତସିଂହପୁର ଜେଲରେ ଏହି ଅଭିଯୁକ୍ତମାନେ ଥିବା ସମୟରେ ସମ୍ପର୍କ ଯୋଡ଼ିଥିଲେ। ସରୋଜ ଓରଫ ସରୋଜକାନ୍ତ ଜେନା ନିଜକୁ ସ୍ପେସାଲ ସ୍କ୍ବାଡ ପୁଲିସର ପରିଚୟ ଦେଇ ଗଲା ୪ ବର୍ଷ ହେବ କଟକ ସହରରେ ଷଷ୍ଠ ବାଟାଲିୟନ, ପୁଲିସ ଲାଇନ୍ ଆଖପାଖ ଅଞ୍ଚଳରେ ବୁଲୁଥିଲା। ସରୋଜ ପୁଲିସ କର୍ମଚାରୀଙ୍କ ସହିତ ସମ୍ପର୍କ ଯୋଡ଼ିବାକୁ ନିୟମିତ ଉଦ୍ୟମ କରି ଆସୁଥିଲା। ସରୋଜର ଏହା ଏକ ପ୍ରକାର ଅଜବ ସଉକ ଥିଲା। ଷଷ୍ଠ ବାଟାଲିୟନରେ ସିପାହୀ ମାନସ କୁମାର ବାରିକ ଏବଂ ଡ୍ରାଇଭର ହାବିଲଦାର ସରୋଜ କୁମାର ପଣ୍ଡାଙ୍କ ସଂସ୍ପର୍ଶରେ ସରୋଜ ଓରଫ ସରୋଜକାନ୍ତ ଜେନା ଆସିଥିଲା। ସରୋଜ ଜେନା ଏହି ଟଙ୍କା ଅଦଳବଦଳ ବାବଦ ୨୦ ପ୍ରତିଶତ କମିସନ ଦେବାକୁ ଲୋଭନୀୟ ପ୍ରତିଶ୍ରୁତି ଦେଇଥିଲା।

ଯୋଜନା ମୁତାବକ ଗଲା ୨ ତାରିଖ ଅପରାହ୍ନ ପ୍ରାୟ ୪ଟା ବେଳେ ମାନସ ଓ ବନ୍ଧୁ ସରୋଜ ପଣ୍ଡା ୯ ଲକ୍ଷ ୮୦ ହଜାର ଟଙ୍କା ଯୋଗାଡ଼ କରି ନୌବାଣିଜ୍ୟ ସଂଗ୍ରହାଳୟ ନିକଟରେ ଏକ କାରରେ ଆସି ପହଞ୍ଚିଥିଲେ। ସେଠାରେ ସରୋଜ, ଇତୁ, ରାଜେଶ, ସୁଶାନ୍ତ ଆଉ ଏକ କାରରେ ଆସିଥିଲେ। କୌଶଳକ୍ରମେ ଦୁଇ ପୁଲିସ ବନ୍ଧୁଙ୍କ ନିକଟରୁ ଟଙ୍କା ଭର୍ତ୍ତି ବ୍ୟାଗ୍ ନେଇଥିଲେ। ଏହା ବଦଳରେ ସେମାନଙ୍କୁ ଏକ ଟଙ୍କା ଭର୍ତ୍ତି ବ୍ୟାଗ ଦେଇଥିଲେ। ଦୁଇ ପୁଲିସ ବନ୍ଧୁ ଏହି ଟଙ୍କା ବ୍ୟାଗକୁ ଖୋଲି ଯଦିଓ ଦେଖିଥିଲେ କିନ୍ତୁ ଟଙ୍କା ଗଣି ନଥିଲେ। ଘରେ ପହଞ୍ଚିବା ପରେ ଉପରେ ଅସଲି ଟଙ୍କା ଥିବା ବେଳେ ଭିତରେ ଟଙ୍କା ଆକାରର କାଗଜ ଥିବା ଦେଖିବାକୁ ପାଇଥିଲେ। ଏ ସଂକ୍ରାନ୍ତରେ ମଙ୍ଗଳାବାଗ ଥାନାରେ ଏତଲା ଦେବା ପରେ ପୁଲିସ ସେମାନଙ୍କୁ ସିସି କ୍ୟାମେରା ଫୁଟେଜ ଆଧାରରେ ଠାବ କରିଛି।

ଏହି ଅପରାଧୀ ଗୋଷ୍ଠୀ ସମାନ ଶୈଳୀରେ କଟକ ସମେତ ଭୁବନେଶ୍ବର ପାହାଳ ଥାନା, ନୟାପଲ୍ଲୀ, ଖୋର୍ଧା, ଢେଙ୍କାନାଳ, ଅନୁଗୁଳ, ଜଗତସିଂହପୁର, କେନ୍ଦ୍ରାପଡ଼ାରେ ଘଟାଇଛନ୍ତି। ଏମାନଙ୍କ ବିରୋଧରେ ଚାଉଳିଆଗଞ୍ଜ ଥାନାରେ ୨୦୧୯ ଅଗଷ୍ଟ ୪ରେ, ଜଗତସିଂହପୁର ଥାନାରେ ୨୦୨୨ ଏପ୍ରିଲ ୧୩ରେ, ପାହାଳ ଥାନାରେ ବି ଏକ ଠକେଇ ମାମଲା ରୁଜୁ କରିଛି। ପାହାଳରେ ୩୫ ଲକ୍ଷ ଟଙ୍କା, କେନ୍ଦ୍ରାପଡ଼ାରେ ୪ ଲକ୍ଷ, ଢେଙ୍କାନାଳରେ ୩ ଲକ୍ଷ ଟଙ୍କା, ମଙ୍ଗଳାବାଗରେ ୯ ଲକ୍ଷ ୮୦ ହଜାର ଟଙ୍କା ଲୁଟିଛନ୍ତି। ପାଖାପାଖି ଏହି ଗ୍ୟାଙ୍ଗ୍ ୨୦୧୯ରୁ ଆଜି ପର୍ଯ୍ୟନ୍ତ ଏକ କୋଟି ଟଙ୍କା ଏଭଳି ନୋଟ୍ ବଦଳାଇବାକୁ କହି ଲୁଟିଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। ଡିସିପିଙ୍କ କାର୍ଯ୍ୟାଳୟରେ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ଏଡିସିପି ଅନିଲ ମିଶ୍ର, ଏସିପି ଅମିତାଭ ମହାପାତ୍ର, ମଙ୍ଗଳାବାଗ ଥାନା ଆଇଆଇସି ସୁଧାଂଶୁ ଭୂଷଣ ଜେନା ପ୍ରମୁଖ ଉପସ୍ଥିତ ରହି ଏହି ଠକଙ୍କ କେଳେଙ୍କାରୀ ସମ୍ପର୍କରେ ସୂଚନା ଦେଇଛନ୍ତି।

Spread the love