ଚଳଚ୍ଚିତ୍ର ଶିଳ୍ପ ପାଇଁ ଉପଯୋଗୀ ହେବନି କଳିଙ୍ଗ ଷ୍ଟୁଡିଓର ପୁନରୁଦ୍ଧାର

ଭୁବନେଶ୍ବର: ୧୯୮୦ ମସିହାର କଂଗ୍ରେସ ସରକାର ରାଜ୍ୟରେ ଚଳଚ୍ଚିତ୍ର ନିର୍ମାଣକୁ ଶିଳ୍ପର ମାନ୍ୟତା ଦେଇଥିଲେ। ଦେଶର ପ୍ରଥମ ରାଜ୍ୟଭାବେ ଓଡ଼ିଶା ଚଳଚ୍ଚିତ୍ରକୁ ଶିଳ୍ପର ମାନ୍ୟତା ଦେଇଥିଲା। ଶିଳ୍ପନୀତି ଅନୁଯାୟୀ ପ୍ରୋତ୍ସାହନ ଘୋଷଣା ହୋଇଥିଲା। ଏହି ସମୟରେ କଳିଙ୍ଗ ଷ୍ଟୁଡିଓର ସ୍ଥାପନା କରାଯାଇଥିଲା। ବର୍ତ୍ତମାନର ସରକାରଙ୍କ ଅପାରଗତା କାରଣରୁ ଦେଶବ୍ୟାପୀ ପ୍ରସିଦ୍ଧି ଲାଭ କରିଥିବା କଳିଙ୍ଗ ଷ୍ଟୁଡିଓ ୨୦୦୭ ମସିହାରୁ ବନ୍ଦ ହୋଇଯାଇଛି। ସଂପୂର୍ଣ୍ଣ ନଷ୍ଟ ହେବା ପରେ ରାଜ୍ୟ ସରକାର ଏହାର ପୁନରୁଦ୍ଧାର କରିବା ପାଇଁ ପ୍ରୟାସ କରିଛନ୍ତି। କଳିଙ୍ଗ ଷ୍ଟୁଡିଓର ଯେଉଁଭଳି ଭାବେ ନିର୍ମାଣ କରାଯାଉଛି ତାହା କେବଳ ପର୍ଯ୍ୟଟନ ଶିଳ୍ପ ପାଇଁ ଉପଯୋଗୀ ହେବ। ମାତ୍ର ଚଳଚ୍ଚିତ୍ର ଶିଳ୍ପ ପାଇଁ ବିଶେଷ ଉପଯୋଗୀ ହେବନାହିଁ ବୋଲି ମତ ରଖିଛନ୍ତି ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମର ପୂର୍ବତନ ଅଧ୍ୟକ୍ଷ ଜୟନ୍ତ ମହାନ୍ତି।

ଶ୍ରୀ ମହାନ୍ତି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପ୍ରଚେଷ୍ଟାରେ କଳିଙ୍ଗ ଷ୍ଟୁଡିଓ ସ୍ଥାପନ ହୋଇଥିଲା। ଓଡ଼ିଶା ଚଳଚ୍ଚିତ୍ରକୁ ସବୁ ପ୍ରକାର ‌ପ୍ରୋତ୍ସାହନ ଦିଆଯାଇଥିଲା। ଫଳରେ ରାଜ୍ୟରେ ଚଳଚ୍ଚିତ୍ର ଶିଳ୍ପର ଅଭୂତପୂର୍ବ ଉନ୍ନତି ଦେଖିବାକୁ ମିଳିଥିଲା। ରାଜ୍ୟ ପ୍ରେକ୍ଷାଳୟ ସଂଖ୍ୟା ୩ଶହ ଟପି ଯାଇଥିଲା। ମାତ୍ର ମହାବାତ୍ୟାରେ ଭାଙ୍ଗିରୁଜି ଯିବା ପରେ ପ୍ରୋତ୍ସାହନ ଅଭାବରୁ ଯାଇଥିବା ପ୍ରେକ୍ଷାଳୟ ସଂଖ୍ୟା ୩୦କୁ ଖସି ଆସିଛି। ତେଣୁ ରାଜ୍ୟରେ ପ୍ରସ୍ତୁତ ହେଉଥିବା ଚଳଚ୍ଚିତ୍ରଗୁଡ଼ିକ ଯଥେଷ୍ଟ ବ୍ୟବସାୟ କରିପାରୁନାହାନ୍ତି। ପ୍ରଯୋଜକଙ୍କ ସଂଖ୍ୟା କମି ଚାଲିଛି। କଳିଙ୍ଗ ଷ୍ଟୁଡିଓର ସ୍ଥାପନ ପଛର ଲକ୍ଷ୍ୟ ରହିଥିଲା ଯେ ଚଳଚ୍ଚିତ୍ରର ଉନ୍ନତି ସହିତ ଓଡ଼ିଆ ଭାଷା ଓ ସଂସ୍କୃତିର ବିକାଶ କରିବା। ଏଥିପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜନସାଧାରଣ ରୋଜଗାରକ୍ଷମ ହୋଇପାରିଥିଲେ। ୧୯୮୯ ମସିହାରେ ପ୍ରସାଦ ଲାବୋରେଟାରି ସ୍ଥାପନ କରାଯାଇଥିଲା। ଯାହାକି ସିନେମା ତିଆରି ପାଇଁ ଉପଯୋଗୀ ହୋଇଥିଲା। ମାତ୍ର ଏବେ ପ୍ରଯୁକ୍ତି ବିଜ୍ଞାନର ପରିବର୍ତ୍ତନ ପାଇଁ ପ୍ରସାଦ ଲାବୋରେଟାରିର ଆଉ କୌଣସି ଆବଶ୍ୟକତା ନାହିଁ। ତେଣୁ କଳିଙ୍ଗ ଷ୍ଟୁଡିଓ ଭିତରେ ଏହାକୁ ରଖିବାର କୌଣସି ମାନେ ନାହିଁ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ପୂର୍ବରୁ ଚଳଚ୍ଚିତ୍ର ଉନ୍ନୟନ ନିଗମ ବିଭିନ୍ନ ଚଳଚ୍ଚିତ୍ର ଉତ୍ସବ କରୁଥିଲେ। ୧୯୮୭ ମସିହାରେ ଅନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହାକୁ ତତ୍କାଳନୀ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀ ଉଦ୍‌ଘାଟନ କରିଥିଲେ। ବର୍ତ୍ତମାନର ଚଳଚ୍ଚିତ୍ର ନୀତି ଅନୁଯାୟୀ ଓଡ଼ିଆ ଚଳଚ୍ଚିତ୍ରକୁ ପୂର୍ବରୁ ଦିଆଯାଉଥିବା ପ୍ରୋତ୍ସାହନ ଓ ଋଣର ସୁବିଧାକୁ ବର୍ତ୍ତମାନର ସରକାର ବନ୍ଦ କରିଦେଇଛନ୍ତି। ସେହିପରି ଷ୍ଟୁଡିଓର ଉନ୍ନତୀକରଣ ନାଁରେ ଭଲ ମନ୍ଦ ବିଚାରକୁ ନ ନେଇ ସମସ୍ତ ଘର ଯଥା ରେକର୍ଡିଂ ଓ ସୁଟିଂ ଫ୍ଲୋର ଭାଙ୍ଗିଦେଇଛନ୍ତି। ଏବେ ସେଠାରେ ନିର୍ମାଣାଧୀନ ବିବାହ ମଣ୍ଡପ ସିନେମା ଶିଳ୍ପର କେଉଁ କାମରେ ଲାଗିବ? ନିର୍ମାଣାଧୀନ ଘରଗୁଡ଼ିକ ଯଦି ବୈଷୟିକ ଜ୍ଞାନସଂପନ୍ନ ଓ ସିନେମା ଶିଳ୍ପ ସହିତ ସଂପୃକ୍ତ ଲୋକଙ୍କ ମତାମତରେ କରାଯାଇଥାନ୍ତା, ତାହା ପର୍ଯ୍ୟଟନ ସହିତ ସିନେମା ଶିଳ୍ପର ଚାହିଦାକୁ ମଧ୍ୟ ପୂରଣ କରିପାରିଥାନ୍ତା। ତେଣୁ ଷ୍ଟୁଡିଓର ପୁନରୁଦ୍ଧାର ସିନେମା ଶିଳ୍ପକୁ ପ୍ରକୃତ ସହାୟତା ଯୋଗାଇବା ନା ଆଉ କିଛି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି।

Spread the love