ସମ ହସ୍ପିଟାଲରେ ଖୁବ ଶୀଘ୍ର ଆରମ୍ଭ ହେବ କୋଭାକସିନ ଟୀକାର ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷଣ

ଭୁବନେଶ୍ୱର,୩୦/୮: ଭାରତର ନିଜସ୍ୱ କୋଭିଡ-୧୯ ଟୀକା କୋଭାକସିନର ଦ୍ଵିତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଖୁବ ଶୀଘ୍ର ସମ ହସ୍ପିଟାଲରେ ଆରମ୍ବ ହେବ। ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ପରିଚାଳିତ ଆଇଏମଏସ ଓ ସମ ହସ୍ପିଟାଲରେ ଏନେଇ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି।

ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ପ୍ରକ୍ରିୟା ଜାରି ରହିଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ନିମନ୍ତେ ପ୍ରସ୍ତୁତି ଜାରି ରହିଛି ବୋଲି ଏହି ପରୀକ୍ଷଣର ମୁଖ୍ୟ ପରୀକ୍ଷକ ତଥା ଆଇଏମଏସ ଆଣ୍ଡ ସମ ହସ୍ପିଟାଲର କମ୍ୟୁନିଟି ମେଡ଼ିସିନ ବିଭାଗର ପ୍ରଫେସର ଡକ୍ଟର ଇ. ଭେଙ୍କଟ ରାଓ ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟ ପରୀକ୍ଷଣରେ ସ୍ବେଛାସେବୀ ମାନଙ୍କ ଶରୀରରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଇ ନଥିବା ଡକ୍ଟର ରାଓ ସୂଚନା ଦେଇଛନ୍ତି।

ସୂଚନା ମୁତାବକ ପ୍ରଥମପର୍ଯ୍ୟାୟ ଟୀକା ନେଇଥିବା ସ୍ବେଛାସେବୀ ମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଛି କି ନାହିଁ ତଥା କେତେ ପରିମାଣରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଛି, ଏସମ୍ପର୍କରେ ଜାଣିବାକୁ ରକ୍ତ ନମୁନା ସଂଗ୍ରହ କରାଯାଇଛି।

ଭାରତ ବାୟୋଟେକ ଏବଂ ଇଣ୍ଡିଆନ କାଉନସିଲ ଫର ମେଡିକାଲ ରିସର୍ଚ୍ଚର ମିଳିତ ସହଯୋଗରେ ଏହି ଟୀକା କୋଭାକସିନର ପ୍ରସ୍ତୁତି ଚାଲିଥିବାବେଳେ ଟୀକା ପରୀକ୍ଷଣ ନିମନ୍ତେ ଦେଶର ୧୨ ଟି ଅନୁଷ୍ଠାନକୁ ମନୋନୀତ କରାଯାଇଛି। ରାଜ୍ୟର ଏକମାତ୍ର ଅନୁଷ୍ଠାନ ଭାବେ ସମ ହସ୍ପିଟାଲକୁ ଏହି ଅନୁମତି ମିଳିଛି। ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷଣ ସଫଳ ହେଲେ କରୋନା ବିରୋଧୀ ଲଢେଇରେ ଏହା ପ୍ରମୁଖ ଅସ୍ତ୍ର ସାଜିବ ବୋଲି ଆଶା କରାଯାଏ।

Spread the love