ରଥ ଉପରେ ମହାପ୍ରଭୁ କାହିଁକି ହୁଅନ୍ତି ସୁନାବେଶ? ସଂକ୍ଷେପରେ ଏହା ପଛର ଐତିହାସିକ ତଥ୍ୟ

ଶ୍ରୀକ୍ଷେତ୍ରରେ ଶୀଜୀଉମାନଙ୍କର ବିଭିନ୍ନ ବେଶ ହୋଇଥାଏ। ସେହି ବେଶମାନଙ୍କ ମଧ୍ୟରୁ ସୁନାବେଶ ଅତ୍ୟନ୍ତ ଦୁର୍ଲଭ ଓ ଆକର୍ଷଣୀୟ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ୫ ଥର ସୁନାବେଶ ହୋଇଥାଏ। ରଥ ଉପରେ ହେଉଥିବା ସୁନାବେଶରେ ମହାପ୍ରଭୁ ମହଣ ମହଣ ସୁନାରେ ସଜ୍ଜିତ ହୋଇଥା’ନ୍ତି। ଏହି ବେଶ ଦେଖିବା ପରେ ଭକ୍ତମାନଙ୍କ ମନରେ ପ୍ରଶ୍ନ ଉଠେ କି ମହାପ୍ରଭୁଙ୍କର ଏହି ବେଶ କାହିଁକି ହୁଏ, ଏତେ ସୁନା କେଉଁଠୁ ଆସିଲା ଏଭଳି ଅନେକ ପ୍ରଶ୍ନ।ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କର ସର୍ବମୋଟ୍ ୬ଥର ସୁନାବେଶ ହୋଇଥାଏ। ବର୍ଷସାରା କରାଯାଉଥିବା ସୁନାବେଶ ମଧ୍ୟରୁ ରଥ ଉପରେ କରାଯାଉଥିବା ସୁନାବେଶ ସବୁଠୁ ବଡ଼ ଏବଂ ବ୍ୟାପକ। ଶ୍ରୀମନ୍ଦିର ରତ୍ନ ସିଂହାସନ ଉପରେ ଶ୍ରୀବିଗ୍ରହମାନେ ମାଘ ପୂର୍ଣ୍ଣିମା, କାର୍ତ୍ତିକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା. ଦଶହରା ପ୍ରଭୃତି ଅବସରରେ ରାଜବେଶ, ରାଜା ରାଜେଶ୍ୱର ଆଦି ବେଶରେ ସଜ୍ଜିତ ହୁଅନ୍ତି। ଏହି ୫ଟି ବେଶ ସିଂହାସନ ଉପରେ ହୁଏ।

କିନ୍ତୁ ରଥଯାତ୍ରାର ଅନ୍ତିମ ପର୍ୟ୍ୟାୟରେ ଅର୍ଥାତ୍ ବାହୁଡ଼ା ପରଦିନ ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ସିଂହଦ୍ୱାରରେ ଦଣ୍ଡାୟମାନ ଥିବା ତିନି ରଥ ଉପରେ ଆକର୍ଷଣୀୟ ସୁନାବେଶରେ ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି।‘‘ସୁନାବେଶ ରାଜା କପିଳେନ୍ଦ୍ର ଦେବଙ୍କ ସମୟରୁ ଆରମ୍ଭ ହୋଇଥିଲା। କପିଳେନ୍ଦ୍ର ଦେବ କୃଷ୍ଣାନଦୀ ପର୍ୟ୍ୟନ୍ତ ନିଜର ସାମ୍ରାଜ୍ୟ ବିସ୍ତାର କରିଥିଲେ। ବହୁ ରାଜାଙ୍କୁ ପରାସ୍ତ କରି ସେମାନଙ୍କର କିରିଟୀ, ମୁକୁଟ, ସିଂହାସନ ଏବଂ ସୁନା ୧୬ଟି ହାତୀ ପିଠିରେ ବୋଝେଇ ଆଣିଥିଲେ। ସେହି ସୁନାକୁ ନିଜ କାର୍ୟ୍ୟରେ ନ ଲଗାଇ ମହାପ୍ରଭୁଙ୍କ କାର୍ୟ୍ୟରେ ଲଗାଇଥିଲେ। ସେହି ସୁନାରେ ପ୍ରଭୁଙ୍କର ସୁନା ଅଳଙ୍କାର ତିଆରି ହୋଇଛି’’, ବୋଲି ଐତିହାସିକ ତଥ୍ୟରୁ ଜଣାପଡେ ।

କିମ୍ବଦନ୍ତୀରେ ଅଛି ଯେ ରଥ ଉପରେ ଏହି ବେଶର ନାମ ତଡ଼ଉ ବେଶ। କପିଳେନ୍ଦ୍ର ଦେବଙ୍କ ସେବକ ତଡ଼ଉ ବିନତି କରିଥିଲେ ଯେ ରତ୍ନବେଦୀରେ ମହାପ୍ରଭୁଙ୍କ ବିଭିନ୍ନ ବେଶକୁ ସବୁବର୍ଗରେ ଭକ୍ତ ଦର୍ଶନ କରିପାରୁ ନାହାନ୍ତି, ତେଣୁ ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ କରାଯାଉ। ଯାହାଫଳରେ ସବୁବର୍ଗରେ ଭକ୍ତମାନେ ମହାପ୍ରଭୁଙ୍କର ଏହି ଅପୂର୍ବ ବେଶକୁ ଦର୍ଶନ କରିପାରିବେ। ସେବେଠୁ କପିଳେନ୍ଦ୍ର ଦେବ ରଥ ଉପରେ ସୁନାବେଶର ଆରମ୍ଭ କରିଥିଲେ। ବହୁ ରାଜାଙ୍କୁ ପରାସ୍ତ କରି ସେମାନଙ୍କର କିରିଟ, ମୁକୁଟ, ସିଂହାସନ ଏବଂ ସୁନା ଆଣି ମହାପ୍ରଭୁଙ୍କ କାର୍ୟ୍ୟରେ ଲଗାଇଥିଲେ।
‘‘ମହାପ୍ରଭୁ ନିରାକାର, ନିରଞ୍ଜନ, ପରବ୍ରହ୍ମ। ତାଙ୍କୁ କେହି ଛୁଇଁପାରିବେନି। ମହାପ୍ରଭୁଙ୍କର ମସ୍ତଷ୍କ ନାହିଁ, ପାଦ ନାହିଁ, ଆଙ୍ଗୁଳି ନାହିଁ। ସେଥିପାଇଁ ତାଙ୍କ ପାଇଁ ସୁନାର ହାତ ଲାଗିଲା, ତାଙ୍କର ପୟର ଲାଗିଲା। ସୁଭଦ୍ରାଙ୍କର କାନ ନାହିଁ, ସେଥିପାଇଁ ସୁନାର କାନ ଲାଗିଲା, କାନରେ କୁଣ୍ଡଳ ଲାଗିଲା’’, ବୋଲି ଗବେଷକ କୁହନ୍ତି ।ସର୍ବୋପରି ଭକ୍ତ ଚାହେଁ ଟିକେ ତା ପ୍ରଭୁଙ୍କ ସଜେଇବାକୁ । ତେଣୁ କେବଳ ଫୁଲ, ତୁଳସୀ, ଦୟଣାରେ ନୁହେଁ କେବେ କେବେ ମହାପ୍ରଭୁଙ୍କୁ ସୁନାରେ ସଜେଇବାକୁ ଇଚ୍ଛା କରେ ଭକ୍ତପ୍ରବର । ଭକ୍ତ ପ୍ରିୟ ଏ କାଳିଆ ଠାକୁର ମଧ୍ୟ ଭକ୍ତର ମନକୁ ବୁଝି ଏହି ବେଶକୁ ଗ୍ରହଣ କରିଥାନ୍ତି ବୋଲି ବିଶ୍ୱାସ ରହିଛି ।

Spread the love