ନୂଆଦିଲ୍ଲୀରେ ଆରମ୍ଭ ହୋଇଛି ତିନିଦିନିଆ ‘ଗ୍ଲୋବାଲ ବାୟୋ-ଇଣ୍ଡିଆ, କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଓଡ଼ିଶା ପାଭିଲିୟନ

ନୂଆଦିଲ୍ଲୀର ପ୍ରଗତି ମଇଦାନଠାରେ ଆରମ୍ଭ ହୋଇଛି ତିନିଦିନିଆ ‘ଗ୍ଲୋବାଲ ବାୟୋ-ଇଣ୍ଡିଆ ୨୦୨୪’। ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ଅଧୀନରେ ବାୟୋଟେକ୍ନୋଲୋଜି ବିଭାଗ ପକ୍ଷରୁ ଏହି ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ କରାଯାଉଛି । ଏହା ୧୪ ତାରିଖ ଯାଏଁ ଚାଲିବ । ଏହି କାର୍ଯ୍ୟକ୍ରମରେ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଭାରତର ବର୍ତ୍ତମାନର ସ୍ଥିତି ଓ ଭବିଷ୍ୟତକୁ ନେଇ ବିଭିନ୍ନ ବୈଷୟିକ ସମ୍ମିଳନୀ ଓ ପ୍ରଦର୍ଶନୀ ଆୟୋଜନ କରାଯାଉଛି । ଏଥିରେ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ବୈଷୟିକ ବିଭାଗ ସାମିଲ ହୋଇ ରାଜ୍ୟର ଅନନ୍ୟ ଜୈବ ସମ୍ବଳ ଏବଂ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଥିବା ବିପୁଳ ସମ୍ଭାବନାକୁ ପ୍ରଦର୍ଶନ କରୁଛି ।

ଗ୍ଲୋବାଲ ବାୟୋ-ଇଣ୍ଡିଆ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଓଡ଼ିଶା ପାଭିଲିୟନ ଖୋଲାଯାଇଛି । ଏହାକୁ ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉଦଘାଟନ କରିଛନ୍ତି। ଏହି ପାଭିଲିୟନରେ ରାଜ୍ୟର ବିଭିନ୍ନ ବାୟୋଟେକ୍ନୋଲୋଜି ଷ୍ଟାର୍ଟଅପ୍ ଅଂଶଗ୍ରହଣ କରି ସେମାନଙ୍କ ଅଭିନବ ଜ୍ଞାନକୌଶଳ ଓ ଉତ୍ପାଦକୁ ପ୍ରଦର୍ଶନ କରୁଛନ୍ତି ।

‘‘ବାୟୋଟେକ୍ନୋଲୋଜି କ୍ଷେତ୍ର ପାଇଁ ଓଡ଼ିଶାରେ ବିପୁଳ ସମ୍ଭାବନା ରହିଛି। ଘଞ୍ଚ ଜଙ୍ଗଲ, ବିଭିନ୍ନ ଔଷଧୀୟ ବୃକ୍ଷରେ ଭରପୂର ପର୍ବତ, ହେନ୍ତାଳ ବଣ, ଚିଲିକା ହ୍ରଦ, ସୁଦୀର୍ଘ ବେଳାଭୂମି ଭଳି ପ୍ରାକୃତିକ ସମ୍ପଦ ରହିଛି । ଏହାକୁ ଆଧାରକରି ଆଗାମୀ ଦିନରେ ଓଡ଼ିଶାରେ କିପରି ବାୟୋଟେକ୍ନୋଲୋଜି ଶିଳ୍ପ ସ୍ଥାପନ ହୋଇପାରିବ ତା’ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ଆମେ ଦେଶ ବିଦେଶର ନିବେଶକମାନଙ୍କୁ ଓଡ଼ିଶାକୁ ଆମନ୍ତ୍ରଣ କରୁଛୁ’’, କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଏହି ଅବସରରେ ମନ୍ତ୍ରୀ ଓଡ଼ିଶା ପାଭିଲିୟନ ବୁଲି ଦେଖିବା ସହ ଷ୍ଟାର୍ଟଅପମାନଙ୍କ ଅଭିନବ ପଦକ୍ଷେପକୁ ପ୍ରଶଂସା କରିଥିଲେ।

‘ଗ୍ଲୋବାଲ ବାୟୋ ଇଣ୍ଡିଆ’ କାର୍ଯ୍ୟକ୍ରମରେ ବିଭାଗୀୟ ବରିଷ୍ଠ ଅଧିକାରୀ, ବୈଜ୍ଞାନିକ ଏବଂ ବିଭିନ୍ନ ଷ୍ଟାର୍ଟଅପକୁ ନେଇ ଓଡ଼ିଶା ସରକାରଙ୍କ ଏକ ଟିମ୍ ଏହି କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି। ସେହିପରି ଓଡ଼ିଶାର ବାୟୋଟେକ୍ନୋଲୋଜି କ୍ଷେତ୍ରରେ କାମ କରୁଥିବା ବିଭିନ୍ନ ଉଚ୍ଚଶିକ୍ଷା ଓ ଗବେଷଣା ଅନୁଷ୍ଠାନର ମୁଖ୍ୟ ଓ ଅଧ୍ୟାପକମାନେ ଓଡ଼ିଶା ପାଭିଲିୟନ ବୁଲି ଦେଖିଛନ୍ତି। ବାୟୋଟେକ୍ନାଲୋଜି ଶିଳ୍ପର ପ୍ରସାର ଲାଗି ବିଭିନ୍ନ ରାଜ୍ୟ ଆଣିଥିବା ସ୍ୱତନ୍ତ୍ର ନୀତି ତଥା ନିବେଶ କାର୍ଯ୍ୟକ୍ରମକୁ ନେଇ ‘ଗ୍ଲୋବାଲ ବାୟୋ-ଇଣ୍ଡିଆ’ କାର୍ଯ୍ୟକ୍ରମରେ ବିଭିନ୍ନ ଅଧିବେଶନ କରାଯାଉଛି । ୧୩ ତାରିଖ ଦିନ ହେବାକୁ ଥିବା ‘ଷ୍ଟେଟ୍ ରାଉଣ୍ଡ ଟେବଲ୍’ ସମ୍ମିଳନୀରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଚିତ୍ରା ଆରୁମୁଗମ୍ ଯୋଗଦେବେ।

Spread the love