ଏହି ମନ୍ଦିରର ଶିବ ଲିଙ୍ଗରେ ଦିଆଯାଉଥିବା ଜଳ ସିଧା ଯାଏ ପାତାଳଲୋକ, ଜାଣନ୍ତୁ ଏହାର ଇତିହାସ

ଛତିଶଗଡ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ବହୁତ ଜଣାଶୁଣା । ଏଠାରେ ଦେବୀ ଦେବତାଙ୍କର ମଧ୍ୟ ବହୁ ପ୍ରାଚୀନ ମନ୍ଦିର ମଧ୍ୟ ଅଛି । ତେବେ ଶ୍ରାବଣ ମାସରେ ଆଜି ଆମେ ଆପଣଙ୍କୁ ଭଗବାନ ଶିବଙ୍କ ଏକ ମନ୍ଦିର ବିଷୟରେ କହିବାକୁ ଯାଉଛୁ, ଯାହାର ମାନ୍ୟତା ଖୁବ ଅଧିକ ରହିଛି । କୁହାଯାଏ ଯେ ଏଠାରେ ଭଗବାନ ଶିବଙ୍କୁ ଦିଆଯାଇଥିବା ଜଳ ସିଧାସଳଖ ପାତାଳଲୋକକୁ ଯାଏ । ତେଣୁ ଏହି ମନ୍ଦିରର ନାମ ପାତାଳେଶ୍ୱର ରଖାଯାଇଛି ।

ତେବେ ଏହି ପାତାଳେଶ୍ୱର ତଥା କେଦାରଶ୍ୱର ମହାଦେବ ମନ୍ଦିର ବିଲାସପୁର ଜିଲ୍ଲାର ମଲହାରରେ ଅବସ୍ଥିତ । ବିଲାସପୁର ସହରଠାରୁ ୩୨ କିଲୋମିଟର ଦୂରରେ ଅବସ୍ଥିତ ନଗର ପଞ୍ଚାୟତ ମଲହାର ଏକ ଐତିହାସିକ ସ୍ଥାନ । ଆପଣଙ୍କୁ କହି ରଖୁଛୁ ଯେ ଏହି ମନ୍ଦିର ୧୦ରୁ ୧୩ ତମ ଶତାବ୍ଦୀ ସମୟରେ ସୋମରାଜ ନାମକ ଜଣେ ବ୍ରାହ୍ମଣଙ୍କ ଦ୍ୱାରା ନିର୍ମିତ ହୋଇଥିଲା । ପାତାଳେଶ୍ୱର ମହାଦେବ ମନ୍ଦିରର ଭୂତଳ ଅଂଶରେ ଉପସ୍ଥିତ ଅଛି । ଏହି ମନ୍ଦିର ବିଷୟରେ ବିଶେଷ କଥା ହେଉଛି ମନ୍ଦିରରେ ୧୦୮ଟି କୋଣ ଅଛି ।

ପାତାଳେଶ୍ୱର ମହାଦେବଙ୍କୁ କେଦାରଶ୍ୱର ମଧ୍ୟ କୁହାଯାଏ । କଳା ଚକଚକିଆ ପଥରରେ ନିର୍ମିତ ଏହା ଏକ ଗୌମୁଖୀ ଆକୃତିର ଶିବଲିଙ୍ଗ । ପ୍ରଭୁ ଶଙ୍କରଙ୍କ ଜଳାଭିଷେକରେ ଦିଆଯାଉଥିବା ଜଳ ଏଠାରେ ପାତାଳଲୋକରେ ପହଞ୍ଚେ ବୋଲି ବିଶ୍ୱାସ କରାଯାଏ । ଏଠାରେ ମହାଶିବରାତ୍ରୀ ଅବସରରେ ମନ୍ଦିର ପରିସରରେ ଏକ ବିଶାଳ ମେଳା ମଧ୍ୟ ଆୟୋଜିତ ହୋଇଥାଏ । ଯାହା ପ୍ରାୟ ୧୫ ଦିନ ପର୍ଯ୍ୟନ୍ତ ଚାଲିଥାଏ ଏବଂ ଏହି ମେଳା ଖୁବ ପ୍ରସିଦ୍ଧ ମଧ୍ୟ । ସେହିଭଳି ଶ୍ରାବଣ ମାସରେ ଲକ୍ଷ ଲକ୍ଷ ଭକ୍ତ ଦର୍ଶନ ପାଇଁ ଏଠାକୁ ଆସନ୍ତି ।

ତେବେ ଆସନ୍ତୁ ଏହି ମଲହାର ସହରର ଇତିହାସ ବିଷୟରେ ଜାଣିବା?
ପୁରାଣରେ ଉଲ୍ଲେଖ କରାଯାଇଥିବା ରାକ୍ଷସ ମଲ୍ଲାସୁରଙ୍କ ମୃତ୍ୟୁ ଭଗବାନ ଶିବଙ୍କ ଦ୍ୱାରା ହି ହୋଇଥିଲା । ଏହି କାରଣରୁ ତାଙ୍କ ନାମ ମଲାରୀ ତଥା ମଲ୍ଲାଲ ହୋଇଥିଲା ପରେ ଏହି ନାମ ଖୁବ ଲୋକପ୍ରିୟ ମଧ୍ୟ ହୋଇଥିଲା । ସେଥିପାଇଁ ଏହି ସହରକୁ ବର୍ତ୍ତମାନ ମଲହାର କୁହାଯାଉଛି । ମଲହାରରୁ ପ୍ରାପ୍ତ ହୋଇଥିବା ୧୧୬୪ ଖ୍ରୀଷ୍ଟାବ୍ଦର କଲଚୁରୀ ସମୟର ଲେଖାରେ ଏହି ସହରକୁ ମଲ୍ଲାଲ ପତନ ବୋଲି ମଧ୍ୟ କୁହାଯାଉଥିଲା ।

ବିଶେଷକରି ଡିଡ଼ନେଶ୍ୱରୀ ଦେବୀଙ୍କ ପ୍ରାଚୀନ ପ୍ରତିମୂର୍ତ୍ତି ଏଠାରୁ ଚୋରି ହେବାପରେ ଏହି ସହର ଅଧିକ ଚର୍ଚ୍ଚାରେ ଆସିଥିଲା । ତା’ପରେ ଏହି ସହର ବିଷୟରେ ବହୁତ ପ୍ରଚାର ପ୍ରସାର ହୋଇଥିଲା । ସମୟ ସହିତ, ଏଠାରେ ଖନନ ସମୟରେ ଅନେକ ପ୍ରାଚୀନ ଅବଶିଷ୍ଟାଂଶ ମିଳିଲା, ଯାହା ଏହି ସ୍ଥାନର ଖ୍ୟାତିକୁ ଆହୁରି ବଢ଼ାଇଲା । ଆଜି ଏହି ସ୍ଥାନ ଧାର୍ମିକ ଏବଂ ପ୍ରତ୍ନତାତ୍ତ୍ୱିକ ଗୁରୁତ୍ୱ ବହନ କରେ । ଏହି ସ୍ଥାନକୁ ଅଧିକ ସ୍ୱତନ୍ତ୍ର କରିଥାଏ ମହାଦେବଙ୍କ ଏହି ପାତାଳେଶ୍ୱର ମନ୍ଦିର ।

Spread the love