ଯୋଗୀ ସରକାର ୨.୦ : ଏହି ନେତାଙ୍କୁ ମିଳିପାରେ ମନ୍ତ୍ରୀ ପଦର ପୁରସ୍କାର !

ନୂଆଦିଲ୍ଲୀ ୧୧।୦୩: ଉତ୍ତର ପ୍ରଦେଶରେ ପ୍ରଚଣ୍ଡ ଜନମତ ସହ ବିଜେପି ପୁଣି କ୍ଷମତାକୁ ଫେରିଛି । ଦଳ ଏକାକୀ ୨୫୫ ଆସନରେ ବିଜୟୀ ହୋଇଛି। ଏନଡିଏକୁ ୨୭୩ ଆସନ ମିଳିଛି । ଏପରି ସ୍ଥିତିରେ ଯୋଗୀ ୨.୦ର ରୂପରେଖ କଣ ରହିବ ତାହା ଉପରେ ସମସ୍ତଙ୍କ ନଜର । ଯୋଗୀ ସରକାରଙ୍କ ୨.୦ ଗଠନ ୨୦୨୪କୁ ନଜରରେ ରଖି କରାଯିବ । ତେଣୁ ଦଳକୁ ମଜବୁତ କରି ବିଜୟୀ ହୋଇଥିବା ଅନେକ ନୂଆ ଚେହେରାଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିପାରେ । ଏହାସହ ରାଜନୀତି ଅପେକ୍ଷା ପ୍ରଶାସନିକ କ୍ଷମତାର ଅନୁଭବ ରଖିଥିବା ବ୍ୟକ୍ତିଙ୍କୁ ମଧ୍ୟ ସ୍ଥାନ ମିଳିପାରେ।

ଯୋଗୀ ସରକାର ୧.୦ରେ ମୋଟ ୬୦ ଜଣ ମନ୍ତ୍ରୀ ଥିଲେ। ଏଥିରୁ ସ୍ୱାମୀ ପ୍ରସାଦ ମୌର୍ଯ୍ୟ, ଦାରା ସିଂ ଚୌହାନ ଏବଂ ଧର୍ମ ସିଂ ସୋନୀ ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟିରେ ସାମିଲ ହୋଇଥିଲେ। ଏହାଛଡା ଯୋଗୀ ସରକାରର ୧୧ ଜଣ ମନ୍ତ୍ରୀ ନିର୍ବାଚନରେ ପରାଜିତ ହୋଇଛନ୍ତି। ଏଥିରେ ଉପ ମୁଖ୍ୟମନ୍ତ୍ରୀ କେଶବ ମୌର୍ଯ୍ୟ ମଧ୍ୟ ସାମିଲ। ଅନ୍ୟ ଜଣେ ଉପ ମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା ଚଳିତ ଥର ନିର୍ବାଚନ ଲଢିନଥିଲେ। ଦିନେଶ ଶର୍ମାଙ୍କୁ ସାଂଗଠନିକ ଦାୟିତ୍ୱ ଦିଆଯାଇପାରେ। ଏପରି ସ୍ଥିତିରେ ଦୁହିଁଙ୍କ ଉପ-ମୁଖ୍ୟମନ୍ତ୍ରୀ ହେବା ସମ୍ଭାବନା କମ ରହିଛି।

ଓବିସି ଚେହେରା ଭାବେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ବିଜେପି ଛାଡି ସାରିଛନ୍ତି, ଅନ୍ୟପଟେ କେଶବ ପ୍ରସାଦ ମୌର୍ଯ୍ୟ ନିଜ ଆସନ ବଞ୍ଚାଇବାରେ ବିଫଳ ହୋଇଛନ୍ତି। ଏପରି ସ୍ଥିତିରେ ରାଜ୍ୟ ବିଜେପିର ଅଧ୍ୟକ୍ଷ ସ୍ୱତନ୍ତ୍ର ଦେଶ ସିଂଙ୍କୁ ବଡ଼ ଦାୟିତ୍ୱ ଦିଆଯାଇପାରେ । ସେହିପରି ଉତ୍ତରାଖଣ୍ଡର ପୂର୍ବତନ ରାଜ୍ୟପାଳ ବେବୀ ରାଣୀ ମୌର୍ଯ୍ୟ ଚଳିତଥର ଦଳିତ ଚେହେରା ଭାବେ ଆଗ୍ରାରୁ ପ୍ରାର୍ଥୀ ହୋଇଥିଲେ। ଆଗ୍ରାରୁ କେବଳ ବେବୀ ରାଣୀ ନିର୍ବାଚିତ ହୋଇନାହାନ୍ତି ବରଂ ଏଠାର ସମସ୍ତ ୯ଟି ଆସନରେ ବିଜେପି ବିଜୟୀ ହୋଇଛି। ଏପରି ସ୍ଥିତିରେ ବେବୀ ରାଣୀଙ୍କୁ ଏହାର ପୁରସ୍କାର ମିଳିପାରେ। ବେବୀଙ୍କ ନାଁରେ ଦଳିତ ଏବଂ ମିହିଳା ଫ୍ୟାକ୍ଟର ଜଡିତ ରହିବ।

ଏହାଛଡା ପୂର୍ବତନ ଆଇପିଏସ ଅଧିକାରୀ ଅସୀମ ଅରୁଣ ଏବଂ ଇଡିର ଅଧିକାରୀ ରାଜେଶ୍ୱର ରାଓଙ୍କୁ ସେମାନଙ୍କ ପ୍ରଶାସନିକ ଅଭିଜ୍ଞତାକୁ ନଜରରେ ରଖି ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିପାରେ। ସେହିପରି ନୋଏଡାରୁ ପ୍ରାୟ ୧.୮୦ ଲକ୍ଷ ଭୋଟରୁ ବିଜୟୀ ହୋଇଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ପୁଅ ପଙ୍କଜ ସିଂ, ସାହିବାବାଦ ଆସନରୁ ରେକର୍ଡ ୨.୧୪ ଲକ୍ଷରୁ ଅଧିକ ଭୋଟରେ ବିଜୟୀ ହୋଇଥିବା ସୁନୀଲ ଶର୍ମା ଏବଂ ବେଦରିଆରୁ ବ୍ରାହ୍ମଣ ଚେହେରା ଭାବେ ବିଜୟ ହାସଲ କରିଥିବା ଶଲଭ ମଣି ତ୍ରିପାଠୀ ମନ୍ତ୍ରିମଣ୍ଡଳର ନୂଆ ଚେହେରା ହୋଇପାରନ୍ତି। ଏହାପୂର୍ବରୁ ଶଲଭ ମଣି ଯୋଗୀ ସରକାରରେ ଗଣମାଧ୍ୟମ ପରାମର୍ଶଦାତା ଥିଲେ । ଏହାସହ ଅନୁପ୍ରିୟା ପଟେଲଙ୍କ ଆପନା ଦଳ ଏବଂ ସଞ୍ଜୟ ନିଷାଦଙ୍କ ନିଷାଦ ପାର୍ଟରୁ ମଧ୍ୟ ମନ୍ତ୍ରିମଣ୍ଡଳରେ ପ୍ରତିନିଧିତ୍ୱ ପାଇଁ ସ୍ଥାନ ମିଳିପାରେ।

ପ୍ରଥମ କାର୍ଯ୍ୟକାଳ ପରି ଚଳିତ ଥର ମଧ୍ୟ ଦୁଇ ଉପ ମୁଖ୍ୟମନ୍ତ୍ରୀ ଫର୍ମୁଲା ଆପଣାଇପାରେ ବିଜେପି। ଏହି ଦୌଡରେ ସ୍ୱତନ୍ତ୍ର ଦେବ ସିଂ ଏବଂ ବିବୀ ରାଣୀ ସବୁଠୁ ଆଗରେ ରହିଛି।  

Spread the love