ଫେରାର ଅଭିଯୁକ୍ତ ୧୧ ମାସ ପରେ ଗିରଫ, ଲକ୍ଷାଧିକ ଟଙ୍କାର ଗହଣା ଜବତ

ବେତନଟୀ ସଦର/ବେତନଟୀ: ମୟୂରଭଂଜ ଜିଲ୍ଲା ବେତନଟୀ ଥାନା ଅଧୀନ କାଞ୍ଚନନଗରରେ ଗତ ଜାନୁଆରି ମାସରେ ହୋଇଥିବା ଏକ ଚୋରି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ଅଭିଯୁକ୍ତ ଚୋର ହେଲା ମୋରଡା ଥାନା ଅଧୀନ ଗଡିଗାଁ ଗ୍ରାମର ବାବାଜୀ ଭକ୍ତର ପୁଅ କ୍ରିଷ୍ଣା ଭକ୍ତ (୨୦)।

ସୂଚନା ଅନୁଯାଇ ଗତ ଜାନୁଆରି ୧୭ତାରିଖ ରାତିରେ କାଞ୍ଚନନଗରସ୍ଥିତ ଯାମିନୀକାନ୍ତ ମହାନ୍ତଙ୍କ ଘରେ ମଧ୍ୟରାତ୍ରିରେ ତାଙ୍କ ମାଆ ରାଣୀଦେଇ ମହାନ୍ତ ବାଥରୁମ ଯିବାକୁ ଉଠିଥିବାବେଳେ ଦେଖିବାକୁ ପାଇଥିଲେ କି ତାଙ୍କ ଘର କବାଟ ଭଙ୍ଗା ଯିବା ସହିତ ଘର ଭିତରୁ ବିଭିନ୍ନ ଜରୁରୀ କାଗଜପତ୍ର ଓ ଘର ଭିତରେ ଥିବା ଏକ କାଠ ବାକ୍ସରୁ ରୁପା ଓ ସୁନାର ଏକାଧିକ ଅଳଙ୍କାର ଚୋରି ହୋଇଯାଇଛି। ଏନେଇ ଜାନୁଆରି ୧୮ ତାରିଖ ଯାମିନୀକାନ୍ତ ବେତନଟୀ ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ୨୦/୨୩ରେ ଏକ ମାମଲା ରୁଜୁ କରିଥିଲା। ପରେ ଯାମିନୀକାନ୍ତଙ୍କ ସୂଚନାମୂଳେ ବେତନଟୀ ଥାନା ଅଧିକାରିଣୀ ସସ୍ମିତା ମହାନ୍ତ ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ଚୋର ମୋରଡା ଥାନା ଅଞ୍ଚଳର କ୍ରିଷ୍ଣାକୁ ତାଙ୍କ ଘରୁ ଗିରଫ କରିବା ସହିତ ତା ନିକଟରୁ ସୁନାରୁପା ଗହଣା ସମେତ ଅନ୍ୟାନ୍ୟ ଚୋରି ଜିନିଷ ଜବତ କରିଥିଲା। ପୁଲିସ ସମ୍ମୁଖରେ କ୍ରିଷ୍ଣା ଚୋରି ଘଟଣା ନେଇ ସବୁ ସତକଥା ମାନିଥିଲା। ପରେ ଅଭିଯୁକ୍ତର ଡାକ୍ତରୀ ମାଇନା କରି କୋର୍ଟ ଚାଲାଣ କରିଛନ୍ତି।

Spread the love