ବିହାରରେ ଆଜି ତୃତୀୟ ପର୍ଯ୍ୟାୟ ମତଦାନ : କୋଭିଡ କଟକଣା ଭିତରେ ୭୮ ଆସନ ପାଇଁ ଚାଲିଛି ଭୋଟ ଗ୍ରହଣ

ବିହାରରେ ଆଜି ଶେ‌ଷ ପର୍ଯ୍ୟାୟ ନିର୍ବାଚନ। ଶେଷ ପର୍ଯ୍ୟାୟରେ ୭୮ଟି ଆସନରେ ଭୋଟ୍‌ ଗ୍ରହଣ ହେବ। ମୋଟ୍‌ ୨.୩୪ କୋଟି ଭୋଟର ୧୨୦୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇ ସାରିଥିବା ବେଳେ ଅନେକ ସଂଖ୍ୟାରେ ଆସି ମତଦାନ କରୁଛନ୍ତି ବିହାରବାସୀ। କୋଭିଡ କଟକଣା ମାନି ମତଦାନ କରାଯାଉଛି।

ସାମାଜିକ ଦୂରତା ରକ୍ଷା କରି ଓ କୋଭିଡ ଗାଇଡଲାଇନକୁ ପାଳନ କରି ଧାଡିରେ ଆସି ଭୋଟରମାନେ ମତ ସାବ୍ୟସ୍ତ କରୁଛନ୍ତି । ମତଦାନ କେନ୍ଦ୍ର ଆଗରେ ଗୋଲେଇ ଚିହ୍ନ ଦିଆଯାଇଥିବା ବେଳେ ସେଠାରେ ଠିଆ ହୋଇ ଭୋଟରମାନେ ନିଜ ପାଳି ଆସିବା ଯାଏଁ ଅପେକ୍ଷା କରୁଥିବା ଦେଖିବାକୁ ମିଳିଛି ।

କୋଭିଡ ମହାମାରୀ କାଳରେ ନିର୍ବାଚନ ହେଉଥିବାରୁ ଏହାକୁ ନଜରରେ ରଖି ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଚୂଡାନ୍ତ ପର୍ଯ୍ୟାୟ ମତଦାନରେ ୨କୋଟି ୩୫ଲକ୍ଷ ଭୋଟର ୧୨୦୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଏମାନଙ୍କ ମଧ୍ୟରେ ୧୧୦ଜଣ ମହିଳା ପ୍ରାର୍ଥୀ ରହିଛନ୍ତି । ଏହି ପର୍ଯ୍ୟାୟରେ ବିଜେପି ୩୫ଟି ଆସନରୁ ପ୍ରତିଦ୍ୱନ୍ଦିତା କରୁଥିବାର ବେଳେ ଜେଡିୟୁ ୩୭ଟି, ବିକାଶଶୀଳ ଇନସାନ ପାର୍ଟି ୫ଟି ଆସନରୁ ନିର୍ବାଚନ ଲଢୁଛନ୍ତି । ମହାମେଣ୍ଟରୁ ଆରଜେଡି ୪୬ଟି ଏବଂ କଂଗ୍ରେସ ୨୫ଟି ଆସନରୁ ପ୍ରତିଦ୍ୱନ୍ଦିତା କରୁଛନ୍ତି ।

ମୋଟ ୩୩ହଜାର ୭୮୨ମତଦାନ କେନ୍ଦ୍ରରୁ ୪ହଜାର ୯ଶହ ୯୯ଟି କେନ୍ଦ୍ରକୁ ଅତି ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି । ସକାଳ ୭ରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସଂଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଚାଲିବ । ତେବେ ନକ୍ସଲ ପ୍ରବଣ ବାଲ୍ମିକୀ ନଗର, ରାମନଗର, ସିମ୍ରି ଭକ୍ତିଆରପୁର ଏବଂ ମିହିଶିହି ଆସନରେ ଦିନ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ । ଅକ୍ଟୋବର ୨୮ ଏବଂ ନଭେମ୍ବର ୩ ତାରିଖରେ ବିହାରରେ ପ୍ରଥମ ଏବଂ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଥିଲା। ଆସନ୍ତା ୧୦ ତାରିଖ‌ରେ ନିର୍ବାଚନ ଫଳାଫଳ ଆସିବ।

Spread the love