ୟୁକ୍ରେନ ଯୁଦ୍ଧ ନେଇ ଜି-୨୦ ଦିଲ୍ଲୀ ଘୋଷଣାନାମା: ‘ଆଣବିକ-ଅସ୍ତ୍ରଶସ୍ତ୍ରର ଧମକ କିମ୍ବା ବ୍ୟବହାର ଗ୍ରହଣୀୟ ନୁହେଁ’

ନୂଆଦିଲ୍ଲୀ: ବିଶ୍ବନେତାଙ୍କ ଦ୍ବାରା ସ୍ବୀକୃତ ଜି-୨୦ ନୂଆଦିଲ୍ଲୀ ଘୋଷଣାନାମାରେ ୟୁକ୍ରେନରେ ‘ଏକ ବ୍ୟାପକ, ନ୍ୟାୟପୂର୍ଣ୍ଣ ଏବଂ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା’ ପାଇଁ ଆହ୍ଵାନ ଦିଆଯାଇଛି। ଏହାବ୍ୟତୀତ ସଦସ୍ୟ ରାଷ୍ଟ୍ରମାନଙ୍କୁ ମଧ୍ୟ ଅନ୍ୟ ରାଷ୍ଟ୍ରର ସୀମାକୁ ବଳପୂର୍ବକ ଅକ୍ତିଆର କରିବା ଭଳି କାର୍ଯ୍ୟରୁ ଦୂରେଇ ରହିବାକୁ କୁହାଯାଇଛି। ସେଇଭଳି କୌଣସି ରାଷ୍ଟ୍ରର ଅଖଣ୍ଡତାକୁ କ୍ଷୁଣ୍ଣ କରିବା ଭଳି କାର୍ଯ୍ୟକଳାପରେ ଲିପ୍ତ ରହିବା କାର୍ଯ୍ୟରୁ ଦୂରେଇ ରହିବାକୁ ଅନୁରୋଧ କରାଯାଇଛି। ଆଣବିକ ଅସ୍ତ୍ରଶସ୍ତ୍ରର ବ୍ୟବହାର କିମ୍ବା ଧମକକୁ ‘ଅଗ୍ରହଣୀୟ’ ବୋଲି ମଧ୍ୟ ଘୋଷଣାନାମାରେ ସ୍ପଷ୍ଟ କରାଯାଇଛି। ଆଜିର ସମୟ, ଯୁଦ୍ଧର ସମୟ ନୁହେଁ ବୋଲି ଘୋଷଣାନାମାରେ ଦର୍ଶାଯାଇଛି। ୟୁକ୍ରେନ୍ ଆକ୍ରମଣ ପ୍ରସଙ୍ଗରେ ରୁଷ ବିରୋଧରେ କୌଣସି ସିଧାସଳଖ ମନ୍ତବ୍ୟ ରଖା ନଯାଇ ଏଭଳି ସଂକଳ୍ପ ନିଆଯାଇଛି।

ୟୁକ୍ରେନର ଯୁଦ୍ଧ ସମ୍ପର୍କରେ ବାଲିରେ ହୋଇଥିବା ଆଲୋଚନାକୁ ମନେ ପକାଇ ଆମେ ଜାତିସଂଘ ନିରାପତ୍ତା ପରିଷଦ ଏବଂ ଜାତିସଂଘ ସାଧାରଣ ସଭା (ଏ/ଆରଇଏସ୍‌/ଇଏସ୍‌-୧୧/୧ ଏବଂ ଏ/ଆରଇଏସ୍‌/ଇଏସ୍‌-୧୧/୬)ରେ ଗୃହୀତ ଆମର ଜାତୀୟ ଆଭିମୁଖ୍ୟ ଏବଂ ସଂକଳ୍ପଗୁଡ଼ିକୁ ଦୋହରାଇଥିଲୁ ଏବଂ ସମସ୍ତ ରାଷ୍ଟ୍ର ଜାତିସଂଘର ଉଦ୍ଦେଶ୍ୟ ଏବଂ ନୀତି ଅନୁଯାୟୀ କାର୍ଯ୍ୟ କରିବା ଉଚିତ ବୋଲି ଗୁରୁତ୍ୱାରୋପ କରିଥିଲୁ,’ ବୋଲି ଘୋଷଣାପତ୍ରରେ କୁହାଯାଇଛି।

ଜାତିସଂଘ ଚୁକ୍ତିନାମା ଅନୁଯାୟୀ, କୌଣସି ରାଷ୍ଟ୍ରର ଆଞ୍ଚଳିକ ଅଖଣ୍ଡତା ଏବଂ ସାର୍ବଭୌମତ୍ୱ କିମ୍ବା ରାଜନୈତିକ ସ୍ୱାଧୀନତା ବିରୋଧରେ କାର୍ଯ୍ୟ କରିବାରୁ ସମସ୍ତ ରାଷ୍ଟ୍ର ଧମକ କିମ୍ବା ବଳପ୍ରୟୋଗରୁ ଦୂରେଇ ରହିବା ଉଚିତ୍‌। ଏଥିସହ ଆଣବିକ ଅସ୍ତ୍ରର ବ୍ୟବହାର କିମ୍ବା ଧମକ ଆଦୌ ଗ୍ରହଣୀୟ ନୁହେଁ ବୋଲି ଏଥିରେ ସ୍ପଷ୍ଟ ଉଳ୍ଲେଖ ରହିଛି।

Spread the love