କ୍ୟାପିଟାଲ ହସପିଟାଲରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଯାଞ୍ଚ କଲେ ତିନି ଜଣିଆ କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ବର: କ୍ୟାପିଟାଲ ହସପିଟାଲରେ ସ୍ୱାସ୍ଥ୍ୟର ଗୁଣବତ୍ତା ନେଇ ତିନି ଜଣିଆ କେନ୍ଦ୍ରୀୟ ଏନ୍‌କ୍ବାସ (ନାସନାଲ କ୍ବାଲିଟି ଆସ୍ୟୁରାନ୍ସ ଷ୍ଟାଣ୍ଡାର୍ଡ) ଟିମ୍‌ ଯାଞ୍ଚ କରିଛନ୍ତି। ତିନି ଦିନ ଧରି ହସ୍ପିଟାଲର ୧୯ ବିଭାଗକୁ ତଦାରଖ କରିଛନ୍ତି ଏହି ଟିମ୍‌। ଗତ ୧୦ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ଯାଞ୍ଚ ପ୍ରକ୍ରିୟା ଆଜି (ବୁଧବାର) ପର୍ଯ୍ୟନ୍ତ ଏନ୍‌କ୍ବାସ ପକ୍ଷରୁ ତଦାରଖ କରାଯାଇଛି।

ପ୍ରଥମ ଥର ପାଇଁ କ୍ୟାପିଟାଲ ହସ୍ପିଟାଲ ଏନ୍‌କ୍ବାସରେ ମିଶିବା ପାଇଁ ଆବେଦନ କରିଥିଲା। ଏଥି ପାଇଁ ଗତ ଦୁଇ ବର୍ଷ ଧରି ଏନେଇ କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ପ୍ରସ୍ତୁତି କରାଯାଇଥିଲା। ଦେଶରେ ୮୦୦ ବେଡ୍‌ ବିଶିଷ୍ଟ ସ୍ୱାସ୍ଥ୍ୟ ଗୁଣବତ୍ତା ସର୍ଭେରେ ଆସିବାରେ କ୍ୟାପିଟାଲ ହସପିଟାଲ ପ୍ରଥମ। ଅନ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକର ବିଭାଗ ଏବଂ ବେଡ ସଂଖ୍ୟା କମ ଥିବା ବେଳେ ପ୍ରାୟ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଣବତ୍ତା ପାଇଁ ଏନ୍‌କ୍ବାସରେ ଆବେଦନ କରିଥାନ୍ତି। କ୍ୟାପିଟାଲ ହସପିଟାଲ ରିପୋର୍ଟ ଖୁବ୍ ଶୀଘ୍ର ଆସିବାକୁ ନେଇ ସୂଚନା ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ।ଏହି ଟିମ୍, କ୍ୟାପିଟାଲ ହସପିଟାଲରେ ତିନିଦିନ ଧରି ରୋଗୀ ଚିକିତ୍ସାରୁ ଆରମ୍ଭ କରି ସମସ୍ତ ନଥି ପତ୍ର, ମାନବସମ୍ବଳ ଓ କାର୍ଯ୍ୟ କରୁଥିବା ଡାକ୍ତର, ସେବିକା ଓ ପାରାମେଡିକ୍ସ କର୍ମଚାରୀଙ୍କ ଦକ୍ଷତା ପରଖୁଛନ୍ତି। ବେଙ୍ଗାଲୁରୁ, ଝାରଖଣ୍ଡ ଓ ପଶ୍ଚିମବଙ୍ଗରୁ ଟିମ ଆସିଛନ୍ତି। ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଦେବାରେ କ୍ୟାପିଟାଲ ହସ୍ପିଟାଲ କାର୍ଯ୍ୟ କରୁଛି ବୋଲି କ୍ୟାପିଟାଲ ହସ୍‌ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି।

Spread the love