ପଟାଙ୍ଗୀରେ ଖସିଲା ଚୂନମାଟି ଅତଡା, ୩ ମହିଳା ମୃତ ଓ ଜଣେ ଗୁରୁତର

ଚୂନମାଟି ଅତଡା ଖସି ୩ ଜଣ ମହିଳାଙ୍କର ମୃତ୍ୟୁ ହୋଇଛି। କେରାପୁଟ ଜିଲ୍ଲା ପଟାଙ୍ଗୀ ଥାନା ଅଂଚଳରେ ଆଜି ଅପରାହ୍‌ଣରେ ଏହି ଅଭାବନୀୟ ଘଟଣା ଘଟିଥିବା ଜଣାଯାଇଛି। ଏହି ଦୁର୍ଘଟଣାରେ ଜଣେ ଶ୍ରମିକ ଗୁରୁତର ଥିବା ଜଣାଯାଇଛି। ତାଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ରେଙ୍ଗା ଗ୍ରାମପଂଚାୟତ ଅନ୍ତର୍ଗତ ପଡ଼ାଗୁଡ଼ା ଗାଁ ନିକଟରେ ଆଜି ଅପରାହ୍‌ଣ ପ୍ରାୟ ୨ଟାରେ ୭ ଜଣ ମହିଳା ଘର ଲିପିବା ପାଇଁ ମାଟି ଆଣିବାକୁ ଯାଇଥିଲେ। ଏହି ସମୟରେ ଚୂନମାଟି ଅତଡ଼ା ଖସିପଡ଼ିଥିଲା। ଏହି ଚୂନମାଟି ଅତଡ଼ା ମହିଳାଙ୍କ ଉପରେ ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ୩ ଜଣ ମହିଳା ଚାପି ହୋଇଥିଲେ। ଅନ୍ୟ ଜଣେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ପଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ସୂଚନା ପାଇ ‌ପୁଲିସ ଘଟଣାସ୍ଥଳକୁ ପହଂଚିଥିଲା। ରିପୋର୍ଟ ଲେଖାଯିବା ବେଳକୁ ପୁଲିସ ୩ ଜଣଙ୍କର ମୃତଦେହ ଉଦ୍ଧାର କରିଛି। ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ପଡ଼ାଗୁଡ଼ା ଗାଁରେ ଶୋକର ଛାୟା ଖେଳିଯାଇଛି।

Spread the love