ବଣ୍ଡାଘାଟିର ୩ ପ୍ରବାସୀ ଓଡ଼ିଆ ହାଇଦ୍ରାବାଦ୍‌ରେ ମୃତ

ମାଲକାନଗିରି: ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦ୍‌ରେ ନିର୍ମାଣାଧୀନ ଏକ‌ କୋଠାରେ ନିୟୋଜିତ ଥିବା ୫ ଜଣ ପ୍ରବାସୀ ଓଡ଼ିଆ ଦୁର୍ଘଟଣାର ଶିକାର ହୋଇଛନ୍ତି। କୋଠାର ସେଣ୍ଟ୍ରିଂ ଖସିପଡ଼ିବାରୁ ମାଲକାନଗିରି ଜିଲ୍ଲା ବଣ୍ଡାଘାଟିର ୩ ଜଣ ଯୁବକଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୨ ଜଣ ଗୁରୁତର ଥିବାରୁ ସେମାନଙ୍କୁ ସଠାକାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକମାନେ ହେଲେ ସନ୍ୟା ଚାଲାଣ, ସୋମା ବଡନାୟକ ଏବଂ ଗୋଇଗୁଡା ସନ୍ୟା ବଡନାୟକ।

ସୂଚନା ଅନୁସାରେ ଦୁଇମାସ ପୂର୍ବରୁ ମାଲକାନଗିରି ଜିଲ୍ଲା ବଣ୍ଡାଘାଟିର ଦୁର୍ଘଟଣାର ଶିକାର ହୋଇଥିବା ସନ୍ୟା ଚାଲାଣ, ସୋମା ବଡନାୟକ ଏବଂ ଗୋଇଗୁଡା ସନ୍ୟା ବଡନାୟକଙ୍କ ସମେତ ୫ ଜଣ ଯୁବକ ସ୍ଥାନୀୟ ଅଞ୍ଚଳର ଅନ୍ୟମାନଙ୍କର ସହିତ ରୋଜଗାର ଆଶାରେ ହାଇଦ୍ରାବାଦ ଯାଇଥିଲେ। ହାଇଦ୍ରାବାଦର କୁକୁଟପାଲି ଠାରେ ଚାଲିଥିବା ଗୃହ ନିର୍ମାଣ କାମରେ  ସେମାନେ ନିୟୋଜିତ ହୋଇଥିଲେ।

ତେବେ ସେଠାରେ ସେଣ୍ଟ୍ରିଂ ଖସିପଡ଼ିବାରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଦୁଇ ଜଣ ଗୁରୁତରଙ୍କୁ ସେଠାରେ ଏକ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି। ମୃତଦେହଗୁଡ଼ିକୁ ହାଇଦ୍ରାବାଦରୁ ବଣ୍ଡାଘାଟିର ଗାଁକୁ ଆଣିବାକୁ ପରିବାର ଲୋକେ ପ୍ରଶାସନର ସହଯୋଗ ଲୋଡ଼ିଛନ୍ତି। ଖବରପାଇ ପରିବାର ଲୋକେ ମୁଦୁଲିପଡା ଥାନାରେ ଏତଲା ଦାୟର କରିଛନ୍ତି।

Spread the love