ପାଟ୍ରୋଲିଂ ଭ୍ୟାନ୍‌କୁ ଧକ୍କା ଦେଲା ଟ୍ରକ, ୩ ପୋଲିସ କର୍ମଚାରୀ ମୃତ

ପାଟନା ୦୪।୦୧:  ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୩ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଘନ କୁହୁଡ଼ି ଯୋଗୁଁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି ।

ଖବର ଅନୁଯାୟୀ, ବିହାରର ରାଜଧାନୀ ପାଟନାରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ରାତିରେ ପାଟ୍ରୋଲିଂ କରୁଥିବା ଏକ ପୋଲିସ ଜିପ୍‌କୁ ଜୋରଦାର ଧକ୍କା ଦେଲା ଟ୍ରକ । ଏହାପରେ ପୋଲିସ ଜିପ୍‌ଟି ଭାରସାମ୍ୟ ହରାଇ ଓଲଟିପଡିଥିଲା । ଯାହାଫଳରେ ଗାଡ଼ିରେ ଥିବା ପୋଲିସ କର୍ମୀ ଜିପ୍ ତଳେ ଚାପି ହୋଇଯାଇଥିଲେ । ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

ତେବେ ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ ଉଦ୍ଧାର ପରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେହିପରି ୩ ପୋଲିସ କର୍ମୀଙ୍କ ମୃତଦେହକୁ ପୋଷ୍ଟ ମର୍ଟମ ଲାଗି ନିକଟସ୍ଥ ମେଡିକାଲକୁ ପଠାଇଯାଇଛି । ବରିଷ୍ଠ ଥାନା ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

Spread the love