ରିକ୍ସା ଦୁର୍ଘଟଣାରେ ୩ ମୃତ, ଜ‌ଣେ ଆହତ

ଭୁବନେଶ୍ବର: ସୁରତରେ ବନ୍ଧୁତ୍ବ ଦିବସ ପାଳନ କରିବାକୁ ଯାଇଥିବା ୪ ଜଣ ଓଡ଼ିଆ ଯୁବକ ରିକ୍ସା ଦୁର୍ଘଟଣାର ସାମ୍ନା କରିଛନ୍ତି। ଏଥିରେ ୩ ଜଣ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ମୃତ ଯୁବକମାନେ ହେଲେ ମିଥୁନ ଡାକୁଆ, ଶରତ ନାୟକ ଓ ଅକ୍ଷୟ ସ୍ବାଇଁ। ଆହତ ବ୍ୟକ୍ତିଙ୍କ ନାମ ଦିନେଶ ବେହେରା।

ଗତ ରବିବାର (ଅଗଷ୍ଟ ପ୍ରଥମ ରବିବାର ଅବସରରେ) ଦେଶବ୍ୟାପି ବନ୍ଧୁତା ଦିବସ ପାଳନ ହୋଇଥିଲା। ଯୁବପିଢ଼ି ଏହି ଦିବସକୁ ନିଜସ୍ବ ଶୈଳୀରେ ପାଳନ କରିଥିଲେ। ଏହି କ୍ରମରେ ପ୍ରବାସୀ ଓଡ଼ିଆମାନେ ମଧ୍ୟ ବନ୍ଧୁତ୍ବ ଦିବସ ପାଳନ କରିଥିଲେ। ଗୁଜରାଟର ସୁରତରେ ମଧ୍ୟ ଓଡ଼ିଆ ଯୁବପିଢ଼ି ବନ୍ଧୁତ୍ବ ଦିବସ ପାଳନ କରିଥିଲେ। ଘଟଣା ଦିନ ଗଂଜାମ ଜିଲ୍ଲା ମଙ୍ଗଳପୁର ମୂଳ ବାସିନ୍ଦା ମିଥୁନ ଡାକୁଆ, ମାମୁଢିଅର ଅକ୍ଷୟ ସ୍ୱାଇଁ, ଭୁବନେଶ୍ବରର ଶରତ ନାୟକ ଏବଂ ଗଂଜାମ ଜିଲ୍ଲା ବାଲିସିରାର ଦିନେଶ ବେହେରା ଏକ ରିକ୍ସା ଯୋଗେ ବନ୍ଧୁତ୍ବ ଦିବସ ପାଳନ କରିବାକୁ ଅଞ୍ଜାନୀ ଇଣ୍ଡଷ୍ଟ୍ରିକୁ ଯାଇଥିଲେ। ଉତ୍ସବ ପରେ ସେମାନେ ସେଠାରୁ ଏକ ରିକ୍ସା ନେଇ କୋସାଦ ବାସଭବନକୁ ଫେରୁଥିଲେ। ଜିଆ ଫାର୍ମ ନିକଟରେ ରିକ୍ସା ଚଳାଉଥିବା ଅକ୍ଷୟ ସ୍ୱାଇ ଷ୍ଟିଅରିଂ ଉପରେ ନିୟନ୍ତ୍ରଣ ହରାଇ ରିକ୍ସା ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ରିକ୍ସାରେ ବସି ଥିବା ମିଥୁନ ଡାକୁଆଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଗୁରୁତର ଆହତ ଅକ୍ଷୟ, ଶରତ ଏବଂ ଦିନେଶଙ୍କୁ ଚିକିତ୍ସା ପାଇଁ ସ୍ମିମେର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଅକ୍ଷୟ ଏବଂ ଶରତଙ୍କୁ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏବେ ଦିନେଶଙ୍କ ଚିକିତ୍ସା ଜାରି ରହିଛି।

Spread the love