୧୩ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ମୌସୁମୀ ନିମ୍ନଚାପ ରେଖା ଆଜି (ବୁଧବାର) ତାର ସାଧାରଣ ଅବସ୍ଥାନ ଠାରୁ ଉତ୍ତରରେ ରହିବା ସହ ପଞ୍ଜାବର ଫିରୋଜ଼ପୁରରୁ ବାହାରି ଆମ୍ବାଲା, ବରେଲୀ, ପାଟନା, ମଧ୍ୟ ଦେଇ ପଶ୍ଚିମବଙ୍ଗର ବାଲୁରଘାଟରୁ ପୂର୍ବ-ଦକ୍ଷିଣପୂର୍ବ ଦିଗରେ ମିଜୋରାମ ଯାଏଁ ଲମ୍ବିଛି। ଏହାର ପ୍ରଭାବରେ ଆଜି ସକାଳୁ ରାଜ୍ୟର ଏକାଧିକ ଜିଲ୍ଲାରେ ବର୍ଷା ଲାଗି ରହିଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉପକୂଳ, ଆଭ୍ୟନ୍ତରୀଣ, ଉତ୍ତର, ଦକ୍ଷିଣ ଓ ପଶ୍ଚିିମ ଓଡ଼ିଶାର ୨୫ଟି ଜିଲ୍ଲାରେ କାଳବେଶାଖୀ ଜନିତ ଝଡ଼ବର୍ଷାର ସମ୍ଭାବନା ରହଥିବା ବେଳେ ୧୩ଟି ଜିଲ୍ଲାରେ ପ୍ରବଳ ବର୍ଷା (୭ରୁ ୧୧ସେମି)ର ସମ୍ଭାବନା ରହିଛି ବୋଲି ଆଜି (ମଙ୍ଗଳବାର) ଅପରାହ୍ନରେ ଏକ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର।

ଜାରି ସତର୍କ ସୂଚନା ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ୨୪ ଅଗଷ୍ଟ, ବୁଧବାର ଅପରାହ୍ନ ସୁଦ୍ଧା ରାଜ୍ୟର ୨୫ ଟି ଜିଲ୍ଲାରେ କାଳବୈଶାଖୀ ଜନିତ ଝଡ଼ବର୍ଷା ସହ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ରାଜ୍ୟର ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ସୋନପୁର, ବଲାଙ୍ଗୀର, ବୌଦ୍ଧ, ଢ଼େଙ୍କାନାଳ, ଅନୁଗୁଳ, ଯାଜପୁର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, କନ୍ଧମାଳ, କୋରାପୁଟ ଓ ମାଲକାନଗିରି ପ୍ରଭୃତି ୨୫ଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ଝଡ଼ବର୍ଷା ଓ ବଜ୍ରପାତର ସମ୍ଭାବନା ରହିଛି।

ସେହିପରି ଏହି ସମୟ ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ବଲାଙ୍ଗୀର, ବୌଦ୍ଧ, ଅନୁଗୁଳ, ଖୋର୍ଦ୍ଧା, କୋରାପୁଟ ଓ ମାଲକାନଗିରି ପ୍ରଭୃତି ୧୩ଟି ଜିଲ୍ଲାରେ ପ୍ରବଳ ବର୍ଷା (୭ରୁ ୧୧ସେମି)ର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଏହି ସମସ୍ତ ଜିଲ୍ଲାକୁ ହଳଦିଆ ଚେତାବନୀ ବା ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

ଅନ୍ୟପକ୍ଷରେ ଟୁଇନ୍‌ ସିଟି କଟକ ଓ ଭୁବନେଶ୍ୱର ସମେତ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆଜି ସକାଳୁ ଆକାଶ ଆଂଶିକ ମେଘାଛନ୍ନ ରହିଛି। ତେବେ, ଟୁଇନ୍‌ ସିଟି ଅଞ୍ଚଳରେ ଅପରାହ୍ନରୁ ବିଳମ୍ବିତ ସନ୍ଧ୍ୟା ମଧ୍ୟରେ ବଜ୍ରପାତ ସହ ଅସରାଏ, ଦୁଇଅସରା ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଜାରି ସୂଚନାରେ କୁହାଯାଇଛି।

Spread the love