ବିଜାଖମନ ଜଙ୍ଗଲରେ ବୁଲୁଛନ୍ତି ବାଘ; ୨ ମେଣ୍ଢାକୁ ମାରି ଖାଇଲେ

କୋମନା: ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ସଦର ମହକୁମା ଅଞ୍ଚଳର ବିଜାଖମନ ଜଙ୍ଗଲରେ ଦୁଇଟି ଚିତାବାଘ ବୁଲୁଥିବା ଖବର ଜଣାପଡ଼ିବା ପରେ ଅଞ୍ଚଳରେ ଆତଙ୍କ ଦେଖାଦେଇଛି। ଗତ ୮ ତାରିଖରୁ ବାଘମାନେ ବୁଲୁଥିବା ଆଲୋଚନା ହେଉଥିବା ବେଳେ ବାଟୋଇମାନେ ବେଳେବେଳେ ବାଘକୁ ଦେଖୁଥିବା ମଧ୍ୟ କହିଛନ୍ତି। ଅନ୍ୟପକ୍ଷରେ ଗତକାଲି ବିରୁନପଦର ଗାଁର ଜଣେ ବ୍ୟକ୍ତିଙ୍କ ୨ଟି ମେଣ୍ଢାକୁ ମାରି ଖାଇଥିବା ବେଳେ ବାଘ ଆକ୍ରମଣରେ ଆଉ ୨ ମେଣ୍ଢା ଗୁରୁତର ହୋଇଥିବା ଅଭିଯୋଗ ହୋଇଛି। ବାଘ ଭୟରେ ଅଞ୍ଚଳବାସୀ ସନ୍ଧ୍ୟା ହେଲେ ଘରୁ ବାହାରୁ ନାହାନ୍ତି। ପୁଣି ଏହି ଜଙ୍ଗଲ ନିକଟରେ କୋମନା ବ୍ଲକର ବହୁ ଗୁରୁତ୍ବପୂର୍ଣ୍ଣ ଅଫିସ୍‌ ରହିଥିବାରୁ କର୍ମଚାରୀ ତଥା ଜନସାଧାରଣ ଆସିବାକୁ ଭୟ କରୁଛନ୍ତି। ଏପରିକି ଲୋକମାନେ ବାଇକ୍ ତଥା ସାଇକଲରେ ଯିବାକୁ ସୁରକ୍ଷିତ ମଣୁନାହାନ୍ତି।

ତେବେ ଅଞ୍ଚଳରେ ବନ୍ୟଜନ୍ତୁ ଭୟ ସର୍ବଦା ଲାଗି ରହିଥିବାରୁ ଏଠାରେ ରହିବାକୁ ଲୋକେ ନିରାପଦ ମଣୁନଥିବା ଆଲୋଚନା ହେଉଛି। ଅନ୍ୟପକ୍ଷରେ ବନ ବିଭାଗ କର୍ତ୍ତୃପକ୍ଷ ସବୁଜାଣି ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି। ତେବେ ଜିଲ୍ଲା ପ୍ରଶାସନ ତଥା ବନ ବିଭାଗ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଅଞ୍ଚଳବାସୀ କିଭଳି ସୁରକ୍ଷିତ ରହିବେ ସେଥିପ୍ରତି ପଦକ୍ଷେପ ନେବାକୁ ଦାବି ହେଉଛି। ଅନ୍ୟପକ୍ଷରେ ଏ ସମ୍ପର୍କରେ କୋମନା ରେଞ୍ଜର ଦେବଦତ୍ତ ସୂତାରଙ୍କୁ ପଚାରିବାରୁ ଏହି ଅଞ୍ଚଳକୁ କୌଣସି ଚିତାବାଘ ଆସିନାହିଁ, ତଥାପି ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ପାଟ୍ରୋଲିଂ କରାଯାଉଥିବା କହିଛନ୍ତି।

Spread the love